• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସଜସଜ ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ । କିଏ ନିଜ ରେଜଲ୍ଚକୁ ନେଇ ଖୁସି ତ ଆଉ କିଏ ଟିକିଏ ନାଖୁସ୍‌ ଅଛନ୍ତି । ହେଲେ କନ୍ଧମାଳ ବାଲିଗୁଡାରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ପୂରା ରାଜ୍ୟରେ ବଢିଲାଣି ଚର୍ଚ୍ଚା । କାରଣ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ମାଆ ଓ ପୁଅ ଉଭୟେ ପରୀକ୍ଷା ଦେଇଥିଲେ । ହେଲେ ପୁଅଠାରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି ମାଆ ।

ପରୀକ୍ଷା ଦେଲେ, ପୁଅଠାରୁ ଅଧିକ ନମ୍ବର ବି ରଖିଲେ । ଦାରିଙ୍ଗବାଡି ଲୋହରା ସାହିର ସୁଜାତା ନାୟକ । ସୁଜାତା ମୋଟ୍‌ ୬୦୦ ମାର୍କରୁ ୩୪୬ ନମ୍ବର ରଖି ବି-୨ ଗ୍ରେଡ ପାଇଛନ୍ତି । ଆଉ ଏତିକି ବେଳେ ପରୀରକ୍ଷା ଦେଇଥିବା ପୁଅ ଆୟୁଷ ନାୟକ ମୋଟ୍‌ ୬୦୦ ମାର୍କରୁ ୨୫୮ ନମ୍ବର ସହ ଡି ଗ୍ରେଡ ପାଇଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କି, ୩୦ ବର୍ଷ ପରେ ସୁଜାତା ମାଟ୍ରିକ୍‌ ପରୀକ୍ଷା ଦେଉଥିବା ପରେ ବି ଏତେ ମାର୍କ ରଖି ଏବେ ପୂରା ଜିଲ୍ଲାରେ ଚର୍ଚ୍ଚାରେ ଅଛନ୍ତି ।

ବିବାହ ପରେ ଘର ସଂସାର ଜଞ୍ଜାଳ ବଢିବା ସହିତ ସୁଜାତା ମାଟ୍ରିକ ପରୀକ୍ଷା ଦେବା ପାଇଁ ଆଉ ସୁଯୋଗ ପାଇନଥିଲେ । ଆଉ ଏବେ ପୁଣି ଥରେ ସୁଯୋଗ ପାଇଥିବାରୁ ରାଜ୍ୟ ଓପେନ ସ୍କୁଲ ସାର୍ଟିଫିକେଟ ବିଦ୍ୟାର୍ଥୀ ଭାବେ ଲାଲ ବାହାଦୂର ବିଦ୍ୟାପୀଠ ଷ୍ଟଡ଼ି ସେଣ୍ଟରରେ ନାମ ଲେଖାଇଥିଲେ । ଆଉ ଏପଟେ ଆୟୁଷ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିବା ସହ ମାଆଙ୍କ ସହ ମିଶି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ହେଲେ ଫଳ ବାହାରିବା ପରେ ସମସ୍ତଙ୍କୁ ଚକିତ କରିଦେଇଥିଲା ଯେତେବେଳେ ମାଆଙ୍କଠାରୁ କମ୍‌ ନମ୍ବର ରଖିଲା ପୁଅ ।.

ତେବେ ସୁଜାତା ମାଟ୍ରିକ ପାସ୍‌ କରିବା ପରେ ସୁଯୋଗ ମିଳିଲେ ଉଚ୍ଚ ଶିକ୍ଷା ଗ୍ରହଣ କରିବାର ଆଶା ରଖିଛନ୍ତି । ତେଣୁ ତାଙ୍କୁ ପାଠ ପଢାଇବାକୁ ଇଚ୍ଛା ବି ରଖିଛନ୍ତି ସ୍ୱାମୀ । ନିଜେ ରାଜମିସ୍ତ୍ରୀ କାମ କରୁଥିବା ବେଳେ ସ୍ତ୍ରୀର ସଫଳତାକୁ ନେଇ ସେ କିନ୍ତୁ ଭାରି ଖୁସି ।.

 

  • Reported by:
  • Ajit Kumar Nayak