• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀଙ୍କ ଇଚ୍ଛା ଥିଲା ମୃତ୍ୟୁ ପରେ ତାଙ୍କ ଆଖିରେ ଆଉ ଜଣେ ଦୁନିଆ ଦେଖୁ । ଆଉ ସ୍ୱାମୀଙ୍କ ଏହି ଇଛାକୁ ପୂରଣ କରିଛନ୍ତି ପତ୍ନୀ । ମଥାରୁ ସିନ୍ଦୂର ପୋଛିବା ଆଗରୁ ଛାତିରେ ପଥର ରଖି ସ୍ୱାମୀଙ୍କ ଆଖି ଦାନ କରିଛନ୍ତି ପତ୍ନୀ । ସତରେ ତାଙ୍କ ପରି ମହିଳାଙ୍କୁ ଶତ ଶତ ନମନ । କୋହକୁ ଛାତିରେ ଚାପି ଧରି ଏଭଳି ନିଷ୍ପତ୍ତି ନେବା ପାଇଁ ସତରେ ସାହସ ଆବଶ୍ୟକ ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ପଂଚାୟତ ନୂଆସାହି ଗ୍ରାମର ୪୫ ବର୍ଷୀୟ କମଳାକାନ୍ତ ମଢେଇ। ପରିବାର ପ୍ରତିପୋଷଣ ପାଇଁ ସାର୍ଥା ଅଞ୍ଚଳରେ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ କରୁଥିଲେ । ଗତକାଲି ତାଙ୍କର କାମ ସମୟରେ ପ୍ଲାଣ୍ଟରେ କରେଣ୍ଟ ଲାଗି ତାଙ୍କର ମୃତ୍ୟ ହୋଇଥିଲା । ଖବର ପାଇ ପୂରା ପରିବାର କମଳାକାନ୍ତଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡିଥିଲେ । ତେବେ ଦୁଃଖର ଏହି ମୁହୂର୍ତ୍ତରେ ବି ସ୍ୱାମୀଙ୍କ ଇଚ୍ଛାକୁ ମନେପକାଇ ତାଙ୍କ ଆଖିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପତ୍ନୀ ।

କମଳାକାନ୍ତଙ୍କ ମା’ କହିଛନ୍ତି, ପୁଅ ସବୁବେଳେ କହୁଥିଲା.. ମଲାପରେ ନିଜ ଆଖିରେ ଯଦି ଆଉ କିଏ ଦୁନିଆ ଦେଖିବ.. ତା’ ଠାରୁ ଆଉ ଖୁସି କ’ଣ ଅଛି । ଆଉ ତା’ର ଶେଷ ଇଚ୍ଛାକୁ ସମ୍ମାନ ଜଣାଇ କଷ୍ଟ ହେଉ ପଛେ ସମସ୍ତେ ମିଶି ଏହି ନିଷ୍ପତ୍ତି ନେଇଛନ୍ତି ।