• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜିରୋ ଫାଟାଲିଟି ୱିକ୍ ବା ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଆରମ୍ଭରୁ କେନ୍ଦୁଝରରେ ୮ ଜଣକ ଜୀବନ ଯିବା ପରେ ରାଜ୍ୟ ପରିବହନ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ ଦୋଷ ଲଦାଲଦି । ପରିବହନ ସଚିବ ଚିଠି ଲେଖି ଏ ଦୁର୍ଘଟଣା ପାଇଁ ସିଧାସଳଖ NHAIକୁ ଦୋଷୀ କରିବା ସହ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି । ଏପଟେ NHAI ଓଡ଼ିଶା ମୁଖ୍ୟ କହିଛନ୍ତି, NHAI ନିୟମିତ ପାଟ୍ରୋଲିଂ କରୁଛି । ହେଲେ ରାସ୍ତା କଡ଼ରୁ ଗାଡ଼ି ଉଠାଇବା କାମ ସ୍ଥାନୀୟ ପ୍ରଶାସନର ।

NHରେ ବେଆଇନ ଗାଡ଼ି ପାର୍କିଂ ଡାକୁଛି ବିପଦ । ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ । କେନ୍ଦୁଝର ହେଉ ବା ଭୁବନେଶ୍ୱର ଅଥବା ଆଜି ଯାଜପୁରରେ ଘଟିଥିବା ଦୁର୍ଘଟଣା, ସବୁଠି ବେଆଇନ ଗାଡ଼ି ପାର୍କିଂ ହିଁ ଦୁର୍ଘଟଣା ପଛର ମୁଖ୍ୟ କାରଣ । ହେଲେ ଘଟଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ଏବେ ରାଜ୍ୟ ସରକାର ଓ ଏନ୍ଏଚ୍ଏଆଇ ମୁହାଁମୁହିଁ । ପରସ୍ପରକୁ ଦୋଷ ଲଦାଲଦି ।

କେନ୍ଦୁଝର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଲାଗି NHAI କର୍ତ୍ତୃପକ୍ଷକୁ ସିଧାସଳଖ ଦାୟୀ କରିଛି ପରିବହନ ବିଭାଗ । NHAI ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକଙ୍କୁ ଚିଠି ଲେଖି ପରିବହନ ସଚିବ ଊଷା ପାଢ଼ୀ କହିଛନ୍ତି, NHAI ପାଟ୍ରୋଲିଂ ଟିମ୍‌ର ଅସମ୍ବେଦନଶୀଳତା ତଥା କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଛି । କିଛି ବ୍ୟକ୍ତିଙ୍କ ଅବହେଳା ପାଇଁ ମଣିଷ ଜୀବନ ଯିବାକୁ ବିଲକୁଲ ସାଲିସ କରାଯିବ ନାହିଁ । ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ।

ଅନ୍ୟପକ୍ଷରେ ଯଦି ରାଜପଥ ପାଟ୍ରୋଲିଂ କିମ୍ବା ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରାଇକ୍ କରୁଛନ୍ତି, NHAI ତତ୍କାଳ ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ । ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳକୁ ବ୍ଲାକ୍ ସ୍ପଟ ଚିହ୍ନଟ କରାଯାଇଥିବା ସତ୍ତ୍ୱେ NHAI କାହିଁକି ପଦକ୍ଷେପ ନେଇ ନଥିଲା ବୋଲି ସଚିବ ପ୍ରଶ୍ନ କରିଛନ୍ତି । ଜବାବରେ NHAI ଓଡ଼ିଶା ମୁଖ୍ୟ କହିଛନ୍ତି, ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତାହା ବ୍ଲାକ୍ ସ୍ପଟ୍ ନୁହେଁ । ତେବେ ଦୁର୍ଘଟଣା ନେଇ ଖବର ମିଳିବାର ୩୫ ମିନିଟ୍ ମଧ୍ୟରେ ଅର୍ଥାତ୍ ଧାର୍ଯ୍ୟ ସମୟର ୧୫ ମିନିଟ୍ ବିଳମ୍ବରେ NHAI ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ଯଦି କୌଣସି କର୍ମଚାରୀ ବା ଏଜେନ୍ସିର ତ୍ରୁଟି ଥିବା ଜଣାପଡ଼ିବ, ତାଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ରାଜପଥ କଡ଼ରେ ବେଆଇନ ପାର୍କିଂ ହଟାଇବା ସ୍ଥାନୀୟ ପ୍ରଶାସନର ଦାୟିତ୍ୱ ବୋଲି ସେ କହିଛନ୍ତି ।

ପ୍ରତିବର୍ଷ ସଡ଼କ ଦୁର୍ଘଟଣା ଯୋଗୁ ରାଜ୍ୟରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଛି । ସେଥିମଧ୍ୟରୁ କେବଳ ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣା ପାଖାପାଖି ୨ ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି । ଏବେ ପ୍ରଶ୍ନ, ବାସ୍ତବରେ NH ରେ ଦୁର୍ଘଟଣାଜନିତ ମୃତ୍ୟୁ ଲାଗି ଦାୟୀ କିଏ ? କିଭଳି କମିବ NH ରେ ଦୁର୍ଘଟଣା ?

  • Reported by:
  • PRANAYA PANI , KAPILENDRA PRADHAN