• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିନକୁ ଦିନ ସଫା ହେବାରେ ଲାଗିଛି ଜଙ୍ଗଲ । ଆଉ ଗାଁ ମୁହଁ ହେଉଛନ୍ତି ଜଙ୍ଗଲୀ ଜାନୁଆର । କେତେବେଳେ ଆହାର ସନ୍ଧାନରେ ହେଉ କି କେତେବେଳେ ରହିବା ଲାଗି ଜାଗା ଖୋଜିବା ହେଉ,  ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜୀବ । ଆଉ ଗାଁ ଭିତରେ ବନ୍ୟଜନ୍ତୁ ପଶୁଥିବାରୁ ଆହତ ଓ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଗାଁ ଲୋକେ । ସ୍ଥିତି ଏମିତି ହେଲାଣି ଯେ ଅନେକ ସମୟରେ ମଣିଷ ଓ ଜଙ୍ଗଲୀ ଜୀବଙ୍କ ମଧ୍ୟରେ ଚାଲୁଛି ଲଢେଇ । କେତେବେଳେ ମଣିଷ ଜୀବନ ଯାଉଛି ତ ଆଉ କେତେବେଳେ ଜଙ୍ଗଲୀ ଜନ୍ତୁର ।

ଲୋକେ ଘର ଲାଗି ଆନ୍ଦୋଳନ କଲେ, ସରକାର ଜମି ପଟ୍ଟା ଦେଲେ । ହେଲେ ଥରେ ବି ବନ୍ୟଜନ୍ତୁଙ୍କ କଥା ଚିନ୍ତା କଲେ ନାହିଁ । ପଟ୍ଟା ପାଇବା ପରେ ଜଙ୍ଗଲ ସଫା କରି ଘର ତୋଳିବାରେ ବ୍ୟସ୍ତ ରହିଲା ମଣିଷ । ଥରେ ବି ଚିନ୍ତା କଲାନି ଜଙ୍ଗଲ ସଫା ହେଲେ ବାଘ, ଭାଲୁ ଓ ହାତୀ ରହିବେ କେଉଁଠି? ନିଜ ଆଖି ସାମ୍ନାରେ ଜଙ୍ଗଲ ସଫା ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜୀବଜନ୍ତୁ । ତେଣୁ ସେମାନଙ୍କ ସାମ୍ନାରେ ମଣିଷ ଯେତେବେଳେ ପଡୁଛି ସେତେବେଳେ ସ୍ଥିତି ଅଣାୟତ୍ତ ହେଉଛି । ଯାହାକୁ ନେଇ ଚିନ୍ତାରେ ପରିବେଶବିତ୍‌ ।

ଖାସ୍‌ କରି ନବରଙ୍ଗପୁର ଉମରକୋଟ୍‌ରେ ବିଷମସ୍ଥିତି ଉପୁଜିଲାଣି । ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ଏବଂ ଡାବୁଗାଁ ବ୍ଲକ୍ ଅଂଚଳରେ କିଛି ବର୍ଷ ତଳେ ଘଞ୍ଚ ଜଙ୍ଗଲ ଯୋଗୁଁ ଲୋକେ ଦିନ ବେଳେ କୁଆଡେ ଯିବାକୁ ଭୟ କରୁଥିଲେ । ହେଲେ ବର୍ତ୍ତମାନ ସେହି ଅଞ୍ଚଳରେ ସଡ଼କର ଦୁଇ ପାର୍ଶ୍ଵର କିଛି ଅଂଶ ଜଙ୍ଗଲ ଦେଖା ଦେଉଥିବାବେଳେ ବଳକା ଜଙ୍ଗଲ ଚାଷ ଜମିରେ ପରିଣତ ହୋଇଯାଇଛି । ଯାହା ଫଳରେ ଜଙ୍ଗଲରେ ରହୁଥିବା ଭାଲୁ ଖାଦ୍ୟ ଅନ୍ୱେଷଣ ପାଇଁ ସହର ଓ ଗାଁ ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି । ଏମିତିକି ଖାଦ୍ୟ ପାଇଁ ଜଣଙ୍କ ଘରେ ପଶିଯାଇଥିଲା ଭାଲୁ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।

ବାରମ୍ବାର ବନ୍ୟଜନ୍ତୁଙ୍କ ସହ ସାମ୍ନାସାମ୍ନି ହେଉଥିବାରୁ ଅନେକ ସମୟରେ ଆହତ ହେଉଛନ୍ତି ଲୋକେ । ତେଣୁ ଲୋକଙ୍କୁ ସଚେତନ କରିବା ସହ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ବିଭିନ୍ନ କମିଟି ମାଧ୍ୟମରେ ଗାଁଗାଁ ବୁଲି ବିଭାଗୀୟ କର୍ମଚାରୀ ପ୍ରଚାର ପ୍ରାସାର କରୁଥିବା ଉମରକୋଟ ରେଞ୍ଜର କହିଛନ୍ତି । ଆଜି କି କାଲି ନୁହେଁ ଅନେକ ସମୟରେ ବନ୍ୟଜନ୍ତୁ ଓ ଗାଁ ଲୋକଙ୍କ ମଧ୍ୟରେ ବଳ କଷାକଷି ହେଉଛି । ତେଣୁ ସମୟ ଥାଉ ଥାଉ ସାବଧାନ ହେବା ଲାଗି ପରିବେଶବିତ୍‌ମାନେ ପରାମର୍ଶ ଦେଇଛନ୍ତି ।

  • Reported by:
  • KARTIK MALLICK