• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତାତି ଏମିତି ବଢ଼ିଗଲାଣି ଯେ, ବିନା ଏସିରେ ଖରାଦିନେ ଚଳିବା ବଡ଼ କଷ୍ଟ । କଂକ୍ରିଟ ସହରରେ ତ ଖରାବେଳେ ବାହାରକୁ ବାହାରିବା ମୁସ୍କିଲ । ବିନା ଫ୍ୟାନରେ ଆଉ କାମ ଚଳୁନି । ତେବେ ଆପଣମାନେ ଦେଖିଥିବେ ଏସି ଚାଲିବା ସମୟରେ ସେଠାରୁ ପାଣି ବାହାରେ । ଅନେକ ଏହାକୁ ବାହାରେ ଫୋପାଡ଼ି ଦିଅନ୍ତି ।

ବର୍ତ୍ତମାନ କିଛିଦିନ ହେବ ବେଙ୍ଗାଲୁରୁର ଜଳ ସମସ୍ୟା କଥା ତ ମନେ ଥିବ । ଶୋଷରେ ପୂରା ବେଙ୍ଗାଲୁରୁ ଡହଳବିକଳ ହେଉଛି । ପାଣି ମୁନ୍ଦାଏ ସେଠି ଅମୁଲମୂଲ ପାଲଟିଛି । ପାଣି ଯେ ଜୀବନଧାରଣ ପାଇଁ ନିହାତି ଆବଶ୍ୟକ, ଏହା ପୁଣି ଥରେ ବେଙ୍ଗାଲୁରୁ ମନେ ପକାଇ ଦେଇଛି । ଏପରି ସମୟରେ ଜଳ ସଂରକ୍ଷଣ ଉପରେ ଏକ ଭିଡିଓ ସେୟାର କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ।

ଅଧିକ ପଢ଼ନ୍ତୁ: ମହିନ୍ଦ୍ରା ଶେୟାର କିଣିବାକୁ ଖୋଦ୍ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଲକ୍ଷ ଟଙ୍କା ଧାର ମାଗିଲେ ଏହି ବ୍ୟକ୍ତି

ଏୟାର କଣ୍ଡିସନରୁ ବାହାରୁଥିବା ଜଳର ପୁନଃ ବ୍ୟବହାର ପାଇଁ ଏକ ସ୍ମାର୍ଟ କୌଶଳ ଏହି ଭିଡିଓରେ ଦର୍ଶାଯାଇଛି । ନିଜ X ଆକାଉଣ୍ଟରେ ସେ ପୋଷ୍ଟ କରି ଲେଖିଛନ୍ତି, ଏହି କୌଶଳ ପୂରା ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଯେଉଁ ଲୋକମାନେ ଏସି ବ୍ୟବହାର କରନ୍ତି, ସେମାନେ ଏପରି ଭାବେ ଜଳ ସଂରକ୍ଷଣ କରିବାକୁ ସେ ଅନୁରୋଧ କରିଛନ୍ତି । ଜଳ ହେଉଛି ଧନ । ଏହାକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଉକ୍ତ ଭିଡିଓରେ, ଜଣେ ମହିଳା ନିଜ ଏସିରୁ ବାହାରୁଥିବା ଜଳକୁ ଏକ ପାଇପ୍ ଭିତରେ ରଖାଯିବାର ବ୍ୟବସ୍ଥା କରିଛନ୍ତି । ତଳ ପାଇପ ଶେଷରେ ସେ ଏକ ଟ୍ୟାପ ଲଗାଇ ଦେଇଛନ୍ତି । ସଂରକ୍ଷିତ ହୋଇ ରହିଥିବା ଜଳକୁ ସେ ସଫା କରିବା, ବଗିଚାରେ ଦେବା ଆଦି ଅନେକ କାମରେ ଲଗାଇ ଥାଆନ୍ତି । ଭିଡିଓରେ ପାଣି ସଂରକ୍ଷିତ କରିବାର ଏପରି ପନ୍ଥା ଆପଣେଇବାକୁ ସେ ଅନୁରୋଧ କରିଛନ୍ତି ।

ଗତ ମାର୍ଚ୍ଚ ୧୬ରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ୯ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି । ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି କୌଶଳ ପାଇଁ କୃତଜ୍ଞତା ଜଣାଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ସବୁ ସ୍ଥାନରେ ଜଳ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏସି ପାଣି ପିଇବାଯୋଗ୍ୟ ନୁହେଁ, କିନ୍ତୁ ଏହାକୁ ବଗିଚା ଓ ସଫେଇ କାର୍ଯ୍ୟରେ ବ୍ୟବହାର କରା ଯାଇପାରିବ । ଭାରତରେ ସୃଜନଶୀଳତାର କୌଣସି ଅଭାବ ନାହିଁ, ତାହା ଏହି ଭିଡିଓରୁ ପ୍ରମାଣ ମିଳୁଛି ।