• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଁ ମୁଣ୍ଡରେ ଗାଡ଼ି ଲାଗିଛି, ପେଟ ପାଟଣା ପାଇଁ ଘରଦ୍ୱାର ଓ ଆପଣାଙ୍କୁ ଛାଡ଼ି କାମଧନ୍ଦା ଲାଗି କେରଳ ଓ ତାମିଲନାଡୁ ମୁହାଁ ମଣିଷ । ସେମାନେ ହେଉଛନ୍ତି ଦାଦନ ଶ୍ରମିକ,ତାହା ବୁଝିବାକୁ ବାକିନାହିଁ । ୧୯୯୯ ମହାବାତ୍ୟା ପରଠୁ ଏମିତି ନିୟମିତ ଚାଲିଛି। ପରିବାର- ପିଲାଛୁଆ ଧରି ଦି ପଇସା କମେଇବାକୁ ଗାଁଠୁ ହଜାର ହଜାର କିଲୋମିଟର ଦୂର ଚେନ୍ନାଇ ଓ କେରଳ ଧାଉଁଥିବା ସାତଭାୟାର ଲୋକମାନେ କିଏ ଇଟା ଭାଟିରେ ତ କିଏ ସୂତାକଳରେ ତ ପୁଣି କିଏ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଛନ୍ତି।

ଭଲ ଦି ପଇସା ହାତକୁ ଆସିଗଲେ, ଭିଟାମାଟି ବୁଲି ଆସୁଛନ୍ତି। ବାପା-ମାଆ ଓ ପରିଜନଙ୍କ ସହ କିଛି ଦିନ କଟାଇ ଖର୍ଚ୍ଚ-ପାଣି ଦେଇ ପୁଣି କର୍ମକ୍ଷେତ୍ରକୁ ଫେରୁଛନ୍ତି। ତେବେ ଓଡ଼ିଶା ସରକାର ଦାଦନ ରୋକିବାକୁ ମାଳ ମାଳ ଯୋଜନା କରିଥିବା ନେଇ ଯେଉଁ ପ୍ରଚାର ଚାଲିଛି, ସେକଥା ପଚାରିବାରେ,ସେମାନଙ୍କ ଉତ୍ତରଥିଲା ବେଶ୍ ତାଚ୍ଛଲ୍ୟଭରା ।

କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର କୂଳିଆ ପଞ୍ଚାୟତ ସାତଭାୟା, ଏଇଠୁ ପ୍ରତି ସପ୍ତାହରେ ଶ୍ରମିକଙ୍କୁ ଧରି କେରଳ ମୁହାଁ ହେଉଛି ତିନି ତିନିଟି ବସ୍। ତାମିଲନାଡୁ-କେରଳରୁ ଶହେ ପାଖାପାଖି ଶ୍ରମିକ ଯାଆସ କରୁଛନ୍ତି। ଏଠୁ ଗାଡ଼ି ବାହାରିଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ୩ ଦିନ ଲାଗୁଛି। ଭଡ଼ା ଅଢ଼େଇ ହଜାର ଟଙ୍କା ପଡୁଛି।

ତେବେ ଏଠି ପ୍ରଶ୍ନ, କାହିଁକି ମଣିଷଶୂନ୍ୟ ହୋଇ ଯାଉଛି ସାତଭାୟା ? କାହିଁକି ଭିଟ୍ଟାମାଟି ଛାଡ଼ି ପର ରାଇଜକୁ ପେଟପାଟଣା ପାଇଁ ଯାଉଛନ୍ତି ସପରିବାର ? ଉତ୍ତର ବି ବେଶ୍ ... ତଥ୍ୟ କହୁଛି-ଜଳବାୟୁ ପରିବର୍ତ୍ତନର ସିଧା ପ୍ରଭାବ ପଡିଛି ଏ ଅଞ୍ଚଳ ଉପରେ। କୂଳ ଲଂଘି ସମୁଦ୍ର ୭ ଗାଁକୁ ଗିଳି ସାରିଛି। ଯାହା ଚାଷ ଜମି ଅଛି ତାହା ଲୁଣା ମାଡ଼ି ଯାଉଛି। ୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତର ୧୨ଶହରୁ ଅଧିକ ଯୁବକ ଓ ଯୁବତୀ ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଛନ୍ତି।

୫୭୧ ପରିବାରକୁ ପ୍ରଶାସନ ପକ୍ଷରୁ ବଗପାଟିଆଠାରେ ଥଇଥାନ କରାଯାଇଛି ସତ ହେଲେ ଜୀବନ ସିନା ରହିଛି କିନ୍ତୁ ଜୀବୀକା ଭାସି ଯାଇଛି। ସେଇଥିପାଇଁ ଏ ସ୍ଥିତି ବୋଲି ଖୋଦ୍ ସ୍ଥାନୀୟ ସରପଞ୍ଚ ସ୍ୱୀକାର କରିଥିବାବେଳେ ଜିଲ୍ଲାପାଳ କହିଛନ୍ତି ସାତଭାୟାରୁ ସମସ୍ତେ ଦାଦନ ଖଟିବାକୁ ନୁହେଁ ବରଂ ଭଲ ରୋଜଗାର ଆଶାରେ ଯାଉଛନ୍ତି ।
 

  • Reported by:
  • PRABIR KUMAR NAYAK