• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାନଗା ଟ୍ରେନ ଟ୍ରାଜେଡି ଶିଖାଇଛି ଶବ ପରିଚାଳନାର ନୂଆ ଦିଗ । ସେଥିଲାଗି ରାଜ୍ୟରେ ରିଜିଓନାଲ ଫରେନ୍ସିକ ଲାବୋରେଟୋରି ସ୍ଥାପନ ପାଇଁ ଯୋଜନା କରୁଛି ଏମ୍ସ ଭୁବନେଶ୍ୱର । ପ୍ରସ୍ତାବିତ ଲ୍ୟାବରେ ରହିବ ଭିସେରା ଏକ୍ସଟ୍ରାକ୍ସନ ଓ ଡିଏନ୍ଏ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ମୃତଦେହ ସଂରକ୍ଷଣ ପାଇଁ ବିଶାଳ କୋଲ୍ଡ ଷ୍ଟୋରେଜ । ଆଉ ମୃତ ବ୍ୟକ୍ତିଙ୍କ ଫଟୋରୁ ପରିଚୟ ଖୋଜିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

ବାହାନଗା ଟ୍ରାଜେଡିରୁ ଶିକ୍ଷା । ଭୁବନେଶ୍ୱର ଏମ୍ସରେ ଖୋଲିବ ଅତ୍ୟାଧୁନିକ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି । ଗୋଟିଏ ସ୍ଥାନରେ ରହିବ ଡେଡ୍ ବଡି ପରିଚାଳନାର ସବୁ ସୁବିଧା । ବାହାନଗା ଟ୍ରେନ ଟ୍ରାଜେଡିରେ ଶହ ଶହ ଲୋକଙ୍କ ମୃତ୍ୟୁ ଓ ଶବ ପରିଚାଳନାରେ ଦେଖାଦେଇଥିବା ସମସ୍ୟା ପରେ ଏଭଳି ଲାବୋରେଟୋରି ସ୍ଥାପନ ପାଇଁ ବିଚାର କରୁଛି ଏମ୍ସ ଭୁବନେଶ୍ବର ।

ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି, ବାହାନଗା ଟ୍ରେନ ଦୁର୍ଘଟଣା ପରେ ଭୁବନେଶ୍ବର ଏମ୍ସକୁ ୧୬୨ଟି ମୃତଦେହ ଆସିଥିଲା । ମାତ୍ର ୧୫-୨୦ଟି ମୃତଦେହ ରଖିବାର ବ୍ୟବସ୍ଥା ଥିବା AIIMSରେ ଏତେ ସଂଖ୍ୟକ ଡେଡ୍ ବଡିକୁ ଦୀର୍ଘଦିନ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ । ଖାଲି ସେତିକି ନୁହେଁ, ଶତାଧିକ ମୃତ ଶରୀରର ତତ୍କାଳ ପୋଷ୍ଟ ମର୍ଟମ, ଭିସେରା ପାଇଁ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । DNA ପରୀକ୍ଷା ଲାଗି ବ୍ୟବସ୍ଥା ନ ଥିବାରୁ ୮୧ ମୃତ ଶରୀରକୁ ଉପଯୁକ୍ତ ପରିବାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଢେର ଦିନ ଅପେକ୍ଷା କରିବାକୁ ପଡ଼ିଲା । ଆଗାମୀ ଦିନରେ ରାଜ୍ୟରେ ଏଭଳି ଅକସ୍ମାତ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତି ମୁକାବିଲା ଉଦ୍ଦେଶ୍ୟରେ ଏମ୍ସରେ ଏକ ଆଞ୍ଚଳିକ ଫରେନ୍ସିକ ଲ୍ୟାବ ସ୍ଥାପନ ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

 

ଏମ୍ସ ଭୁବନେଶ୍ବରର ଏ ପ୍ରସ୍ତାବିତ ଲାବୋରେଟୋରିରେ କ’ଣ ରହିବ ? କିଭଳି ଏହା କାମ କରିବ ? AIIMS ଆଡିସିନାଲ ସୁପରିଟେଣ୍ଡେଣ୍ଟଙ୍କ କହିବା କଥା, ପ୍ରସ୍ତାବିତ ଫରେନ୍ସିକ ଲାବୋରେଟୋରିରେ ଏକକାଳୀନ ଶତାଧିକ ମୃତଦେହ ପରିଚାଳନା ପାଇଁ ବ୍ୟବସ୍ଥା ରହିବ । ମୃତଶରୀର ଆସିବା ମାତ୍ରେ ଏମ୍ବାଲମିଙ୍ଗ୍ ପାଇଁ ମହୁଜୁଦ ରହିବ କେମିକାଲ, ମେସିନ ଓ ମ୍ୟାନ ପାୱାର । ଦୀର୍ଘଦିନ ସୁରକ୍ଷିତ ରଖିବା ପାଇଁ ରହିବ ବିଶାଳ କୋଲ୍ଡ ଷ୍ଟୋରେଜ । ସୀମିତ ସମୟ ମଧ୍ୟରେ ପୋଷ୍ଟ ମର୍ଟମ ପାଇଁ ବ୍ୟବସ୍ଥା ହେବ । ଭିସେରା ଏକ୍ସଟ୍ରାକ୍ସନ ପାଇଁ ରହିବ ଟକ୍ସିକୋଲଜି ଲ୍ୟାବ ।

ଏହାସହ ଡିଏନଏ ଟେଷ୍ଟିଂ ପାଇଁ ଏଠାରେ ସ୍ୱତନ୍ତ୍ର ଲ୍ୟାବ ବି ରହିବ । ଏମିତିକି ପ୍ରସ୍ତାବିତ ଲାବୋରେଟୋରିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ହେବ । ଏହା ଜରିଆରେ ଦୁର୍ଘଟଣା ପରେ ଚେହେରାରୁ ଚିହ୍ନଟ ହୋଇ ପାରୁନଥିବା ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ବ୍ୟବସ୍ଥା ରହିବ ।

  • Reported by:
  • KAPILENDRA PRADHAN