Advertisment

ଯେଉଁ ହାତରେ ଥିଲା ବନ୍ଧୁକ, ସେଇ ହାତ ଧରିଛି ପିଏଚଡି ଉପାଧୀ

ଦିନେ ହାତରେ ଥିଲା ତାଙ୍କର ବନ୍ଧୁକ। ଘଞ୍ଚ ଜଙ୍ଗଲରେ ବୁଲି ବୁଲି ଖେଳୁଥିଲେ ରକ୍ତର ହୋଲି। ହେଲେ ଆଜି ସେ ଜଙ୍ଗଲ ଛାଡି ପହଞ୍ଚିଛନ୍ତି ବିଧାନସଭାରେ। ଆଜି ସେ ବନ୍ଧୁକ ଛାଡି ହାତରେ ଧରିଛନ୍ତି କଲମ। ସେଦିନ ସେ ଲୋକଙ୍କ ପାଇଁ ଲଢୁଥିଲେ, ଆଜି ବି ଲୋକଙ୍କ ପାଇଁ ଲଢୁଛନ୍ତି । ଖାଲି ରାସ୍ତା ଭିନ୍ନ।

author-image
Minati Mishra
ଅଦ୍ୟତନ ହୋଇଛି
 maoist anasuya seethakka from elangana gets phd

maoist anasuya seethakka from elangana gets phd

କୌଣସି ରାସ୍ତା ଦୁର୍ଗମ ନୁହେଁ। କୌଣସି ଲକ୍ଷ୍ୟ ଅପହଞ୍ଚ ନୁହେଁ। ଆଗକୁ ଯିବା ପାଇଁ ମନ ଦୃଢ ଥିଲେ ରାସ୍ତାରେ ପଡ଼ିଥିବା କଣ୍ଟା ବି ଫୁଲ ପାଲଟି ଯାଏ। ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧତା ଥିଲେ ପ୍ରତିବନ୍ଧକ ବି ସୁଯୋଗ ଆଣିଦିଏ। ନିଜ ଭିତରର ଦୁର୍ବଳତା ସଫଳତାର ମାପକାଠି ହୋଇଯାଏ। ଦିନେ ହାତରେ ଥିଲା ତାଙ୍କର ବନ୍ଧୁକ। ଘଞ୍ଚ ଜଙ୍ଗଲରେ ବୁଲି ବୁଲି ଖେଳୁଥିଲେ ରକ୍ତର ହୋଲି। ହେଲେ ଆଜି ସେ ଜଙ୍ଗଲ ଛାଡି ପହଞ୍ଚିଛନ୍ତି ବିଧାନସଭାରେ। ଆଜି ସେ ବନ୍ଧୁକ ଛାଡି ହାତରେ ଧରିଛନ୍ତି କଲମ। ସେଦିନ ସେ ଲୋକଙ୍କ ପାଇଁ ଲଢୁଥିଲେ, ଆଜି ବି ଲୋକଙ୍କ ପାଇଁ ଲଢୁଛନ୍ତି । ଖାଲି ରାସ୍ତା ଭିନ୍ନ। ସେଦିନର ସେଇ କୁଖ୍ୟାତ ମାଓନେତ୍ରୀ ଆଜି ଡକ୍ଟରେଟ ଉପାଧିରେ ସମ୍ମାନିତ। ଦିନେ ତାଙ୍କ ନାଁ ଶୁଣିଲେ ସାଧାରଣ ଜନତାଙ୍କର ଛାତି ଥରୁଥିଲା। ଆଜି ସେ ବିଧାନସଭାରେ ସେଇ ଜନତାଙ୍କ ପାଇଁ ଲଢୁଛନ୍ତି। ସେ ହେଉଛନ୍ତି ବିଧାୟିକା ଡକ୍ଟର ଦାନସାରି ଅନୁସ୍ୱୟା ଓରଫ ସିଥାକ୍କା।

Advertisment

ତେଲେଙ୍ଗାନା ରାଜ୍ୟର ମୁଲଗୁ ବିଧାୟିକା ଦାନସାରି ଅନସୂୟା ଓରଫ ସିଥାକ୍କା। ଜନ୍ମ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୁଲୁଗୁ ଗାଁରେ। ୧୯୭୧ ମସିହା ଜୁଲାଇ ୯ ତାରିଖରେ ଜନ୍ମିତ ଅନସୂୟା ଖୁବ କମ ବୟସରୁ ମାଓ ଆନ୍ଦୋଳନରେ ସାମିଲ ହୋଇଥିଲେ। ବାପା, ଭାଇ ଓ ଭଉଣୀଙ୍କ ସହ ସେ ବି ନକ୍ସଲ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜନଶକ୍ତି ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ। ସେତେବଳକୁ ଅନସୂୟାଙ୍କ ବୟସ ଥିଲା ମାତ୍ର ୧୪ ବର୍ଷ। ସେଠାରେ ଜଣେ ନକ୍ସଲ ନେତାଙ୍କୁ ନିଜ ଜୀବନ ସାଥୀ କରିଥିଲେ। ଆଉ ତା ପରଠାରୁ ସେ ସିଥାକ୍କା ନାଁରେ ପରିଚିତ ହେଲେ । ଦୀର୍ଘ ୧୦ ବର୍ଷ ଧରି ସେ ନକ୍ସଲ ସଙ୍ଗଠନ ପାଇଁ କାମ କରିଥିଲେ। ସେଥିପାଇଁ ୩ ଥର ପୁଲିସ୍‌ ହାତରେ ଧରାପଡ଼ି ଜେଲ୍‌ ମଧ୍ୟ ଯାଇଥିଲେ। ପୋଲିସ ଏନକାଉଣ୍ଟରରେ ସେ ତାଙ୍କ ଭାଇ ଓ ସ୍ୱାମୀ ଉଭୟଙ୍କୁ ହରାଇଥିଲେ। ଏହାପରେ ସେ ମାଓ ଆନ୍ଦୋଳନ ପ୍ରତି ବିମୁଖ ହୋଇଥିଲେ। ।୧୯୯୪ରେ ସେ ଆତ୍ମସମର୍ପଣ କରିଥିଲେ। ତେବେ ଜେଲ୍‌ରେ ରହିବା ସମୟରେ ତାଙ୍କର ପାଠ ପଢିବା ପାଇଁ ଇଚ୍ଛା ହୋଇଥିଲା। ଏହା ପରେ ସେ ପାଠ ପଢି ଓକିଲ ଡିଗ୍ରୀ ହାସଲ କରିଥିଲେ। ପରେ ୱାରଙ୍ଗଲ କୋର୍ଟରେ ଓକିଲାତି କରିବା ଆରମ୍ଭ କରିଥିଲେ। ତା ପରେ ସେ ମୁଲୁଗୁ ବିଧାନସଭା ଆସନରୁ ଲଢି ୨୦୦୯ରେ ଜିତିଥିଲେ। ବିଧାୟିକା ଦାୟିତ୍ୱ ତୁଲାଇବା ଭିତରେ ସେ ନିଜ ଭିତରର ଇଚ୍ଛାକୁ ମାରି ଦେଇ ନ ଥିଲେ। ତାଙ୍କର ଇଚ୍ଛା ଥିଲା ଅଧିକ ପାଠ ପଢିବେ ଜ୍ଞାନ ଆହରଣ କରିବେ। ଏବେ ସେ ଉସମାନିଆ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଛନ୍ତି। ୱାରଙ୍ଗଲ ଏବଂ କାମାମ ଜିଲ୍ଲାର ଗୁଥିକୋୟା ଜନଜାତିର ସାମାଜିକ ଅବସ୍ଥା ଉପରେ ଅଧ୍ୟୟନ କରି ସିଥାକ୍କା ଡକ୍ଟରେଟ ଉପାଧି ହାସଲ କରିଛନ୍ତି।

ମାଓବାଦୀରୁ ରାଜନେତା ଆଉ ତା’ ଭିତରେ ଡକ୍ଟରେଟ ପାଇବା..କିଛି ସହଜ ଯାତ୍ରା ନ ଥିଲା। ଖୁବ୍‌ ସଂଘର୍ଷପୂର୍ଣ୍ଣ ଥିଲା ତାଙ୍କର ଜୀବନ। ଆଜିର ଏଇ ସଫଳତା ପାଇବା ପରେ ସେ କହିଛନ୍ତି, ପିଲାବେଳେ ମୁଁ କେବେ ଭାବି ନ ଥିଲି ମାଓବାଦୀ ହେବି ବୋଲି। ଯେତେବେଳେ ମାଓବାଦୀ ହେଲି, ଭାବି ନ ଥିଲି ଓକିଲ ହେବି ବୋଲି। ଓକିଲ ହେବା ପରେ ବିଧାୟକ ହେବାର ସ୍ୱପ୍ନ ବି ଦେଖି ନ ଥିଲି। ଆଉ ବିଧାୟିକା ହେବା ପରେ ଡକ୍ଟରେଟ ପାଇବି ବୋଲି ବି ଭାବି ନ ଥିଲି। ଏବେ ମୁଁ ରାଜନୀତି ବିଜ୍ଞାନରେ ପିଏଚଡି କରି ଡକ୍ଟରେଟ ଉପାଧି ପାଇଛି। ମୋତେ ଡକ୍ଟର ଅନସୂୟା ସୀଥିକା ନାଁରେ ଲୋକେ ଡାକିବେ। ଲୋକଙ୍କର ସେବା କରିବା ଏବଂ ଜ୍ଞାନ ଆହରଣ କରିବା ମୋର ଅଭ୍ୟାସ। ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଏହାକୁ ବନ୍ଦ କରିପାରିବି ନାହିଁ।

Advertisment

ଓସମାନିଆ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ତଥା ବର୍ତ୍ତମାନ ମଣିପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତିରୁପତି ରାଓଙ୍କ ନିର୍ଦ୍ଦେଶରେ ସୀଥିକା ତାଙ୍କର ପିଏଚଡି ସମାପ୍ତ କରିଥିଲେ। ସିଥୀକାଙ୍କ ପିଏଚଡି ଡିଗ୍ରୀ ହାସଲ କରିଥିବା ଖବର ପ୍ରଚାରିତ ହେବା ପରେ ପ୍ରଶାସକଙ୍କ ସହ ସୋସିଆଲ ମିଡିଆରେ ହଜାର ହଜାର ଦର୍ଶକ ତାଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି।

Maoists Doctorate Degree
Advertisment
Advertisment