ଅଙ୍ଗଦାନ କରି ଅମର ହୋଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର । ସତ୍ୟନଗର ଶ୍ମଶାନରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ DCP ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୋଲିସ ପକ୍ଷରୁ ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସତ୍ୟନଗର ଶ୍ମଶାନରେ ଆଜି ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଡାକ୍ତର ବ୍ରେନ ଡେଡ୍ ଘୋଷଣା କରିବା ପରେ ତାଙ୍କ ପରିବାର ଲୋକେ ତାଙ୍କର ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ଗତକାଲି ଏକ ଘରୋଇ ହସ୍ପିଟାଲରେ ଶୁଭଜିତଙ୍କ କିଡନୀ ଦୁଇଟି କଢାଯାଇ ଦୁଇ ଜଣ ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଛି ।
Also Read
ତେବେ ଆପଣ ଜାଣିଛନ୍ତି କି ଅଙ୍ଗଦାନ କ’ଣ ? କିପରି ଓ କେଉଁ ଅବସ୍ଥରେ କରାଯାଏ ଅଙ୍ଗଦାନ ?
ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ୱାରା ଅଙ୍ଗକୁ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କ ଠାରେ ପ୍ରତିରୋପଣ କରିବାରେ ସମ୍ଭବ ହୋଇପାରିଛି । 1954 ମସିହାରେ, ଯୁକ୍ତରାଷ୍ଟ୍ରରେ ପ୍ରଥମେ ସଫଳ ଅଙ୍ଗ ପ୍ରତିରୋପଣ କରାଯାଇଥିଲା । ଯାଆଁଳା ଭାଇ ରୋନାଲ୍ଡ ଏବଂ ରିଚାର୍ଡ ହେରେକଙ୍କ କିଡନୀ ପ୍ରତିରୋପଣ ପାଇଁ, ଡାକ୍ତର ଜୋସେଫ ମୁରେଙ୍କୁ 1990ରେ ଫିଜିଓଲୋଜି ତଥା ମେଡିସିନରେ ନୋବେଲ ପୁରସ୍କାର ଦିଆଯାଇଥିଲା ।
ଅଙ୍ଗଦାନର ପ୍ରକାର
-ଜୀବନ ଥିବା ସମୟରେ ଅଙ୍ଗଦାନ
-ମୃତ୍ୟୁପରେ ଅଙ୍ଗଦାନ
ଅଙ୍ଗ ଦାନ ବିଷୟରେ ଲୋକେ ଧିରେ ଧିରେ ସଚେତନ ହେଉଛନ୍ତି । ତେଣୁ ଦିନକୁ ଦିନ ଅଙ୍ଗଦାନ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କୁ ଆହୁରି ଅଧିକ ସଚେତନ କରାଗଲେ ଏହାର ସଂଖ୍ୟା ଆହୁରି ବୃଦ୍ଧି ହୋଇପାରନ୍ତା ବୋଲି ଆଶା କରାଯାଉଛି । ଅନେକ ଏନଜିଓ ଏବଂ ଜନସାଧାରଣ ସଂଗଠନ ଏ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଧିରେ ଧିରେ ତାହା ଫଳପ୍ରଦ ହେଉଛି ।
ତେବେ ଅଙ୍ଗ ଦାନ ପାଇଁ ଜଣେ ବ୍ୟକ୍ତି ସୁସ୍ଥ ରହିବା ଆବଶ୍ୟକ। ମୃତ ବ୍ୟକ୍ତିଙ୍କଠାରେ ଏଚ୍.ଆଇ.ଭି, କର୍କଟ, ମଧୁମେହ, କିଡନୀ ରୋଗ ଏବଂ ହୃଦରୋଗ ଭଳି ରୋଗ ନଥିବା ଉଚିତ୍ । ଅଙ୍ଗଦାନ ଦୁଇଟି ଉପାୟରେ କରାଯାଇପାରିବ । ଯେତେବେଳେ ଜଣେ ବ୍ୟକ୍ତିର ବ୍ରେନ ଡେଡ ହୋଇଯାଇଥାଏ କିନ୍ତୁ ହୃଦସ୍ପନ୍ଦନ ଜାରି ରହିଥିବ ସେମାନେ ଚାହିଁଲେ ଅଙ୍ଗଦାନ କରିପାରିବେ । ଏହି ସମସ୍ତ ରୋଗ ଥିଲେ କୌଣସି ବ୍ୟକ୍ତି ଅଙ୍ଗଦାନ କରିପାରିବ ନାହିଁ ।