• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟୁରୁ ଜୀବନର ଆରମ୍ଭ ଆଉ ଜୀବନରୁ ମୃତ୍ୟୁ । ଜଣକ ବିନା ଆଉ ଜଣେ ଅସମ୍ପୂର୍ଣ୍ଣ । ଶରୀରରୁ ଜୀବନ ଚାଲିଯିବା ପରେ ସାହିଭାଇ ଖଇକଉଡ଼ି ବିଞ୍ଚି ଛ’ ଖଣ୍ଡ କାଠରେ ମଶାଣିକୁ ବୋହିନେବେ । ନିଜ ଲୋକ ଘଡ଼ିଏ କାନ୍ଦିବେ, ଆଉ କିଛି ଦିନ ପରେ ସବୁ ଶାନ୍ତ ପଡ଼ିଯିବ । ମୃତ୍ୟୁ ଠାରୁ ଧାର ଆଣିଥିବା ସମୟ କେତେବେଳେ ଯେ ଚାଲିଯିବ ଜାଣିହେବ ନାହିଁ । ମୃତ୍ୟୁ ଚିରନ୍ତନ ଆଉ ଏକମାତ୍ର ସତ୍ୟ । ଏଥିରୁ ତାହ୍ରି ପାଇବାର କୌଣସି ରାସ୍ତା ନାହିଁ । ମୃତ୍ୟୁକୁ ଆଖି ଆଗରେ ଦେଖିଲେ ସମସ୍ତେ ଭୟଭୀତ ହେବା ସ୍ୱାଭାବିକ । କିନ୍ତୁ କ୍ୟାନସର୍‌ ପୀଡ଼ିତ ଏକ ଛଅ ବର୍ଷିୟ କୁନି ପୁଅ ଡାକ୍ତରଙ୍କୁ ଏପରି କଥା କହିଛି, ଯାହା ତାଙ୍କୁ ଭାବୁକ କରିଦେଇଛି ।

ହାଇଦ୍ରାବାଦର ଜଣେ ଡାକ୍ତର ଅଳ୍ପ ବୟସରେ କ୍ୟାନସର ପରି ମାରାତ୍ମକ ରୋଗ ଭୋଗୁଥିବା କୁନି ପୁଅର ଅନୁରୋଧ ଶୁଣି ଅବାକ୍‌ ହୋଇଯାଇଛନ୍ତି । ଡାକ୍ତର ହେଲେ ଦ୍ୱିତୀୟ ଭଗବାନ୍‌ । ତାଙ୍କ ହାତରେ ଜୀବନ ଆଉ ମୃତ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ନିତିଦିନ କେତେ ଯେ ରୋଗୀ ତାଙ୍କ ସମ୍ମୁଖରେ ପ୍ରାଣ ହରାଉଛନ୍ତି ଜଣାନାହିଁ । ମୃତ୍ୟୁ ଆଉ ମୃତ୍ୟୁ ପରେ ସମ୍ପର୍କୀୟଙ୍କ ଯନ୍ତ୍ରଣା ସେ ମର୍ମେମର୍ମେ ଅନୁଭବ କରିଛନ୍ତି । ହେଲେ କୁନି ପିଲାର ଅନୁରୋଧ ତାଙ୍କ ଆଖିକୁ ଓଦା କରିଦେଇଛି । କାହିଁକି କେଜାଣି ତାଙ୍କର ହୃଦୟ ବିଳପି ଉଠିଛି । ଆଉ ଟ୍ୱିଟର୍‌ ଜରିଆରେ ସେହି ହୃଦୟସ୍ପର୍ଶୀ କାହାଣୀକୁ ଲୋକଙ୍କ ସହ ସେୟାର କରିଛନ୍ତି , ଯାହା ବର୍ତ୍ତମାନ ଭାଇରାଲ ହୋଇଛି ।

ସିରିଜ୍‌ ଟ୍ୱିଟ୍‌ ଜରିଆରେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲର ସ୍ନାୟୁବିଜ୍ଞାନୀ ଡକ୍ଟର ସୁଧୀର କୁମାର ପୂରା କାହାଣୀ ବଖାଣିଛନ୍ତି । ସବୁଦିନ ପରି ଓପିଡ଼ିରେ ଥିବା ସମୟରେ ପତି-ପତ୍ନୀ ତାଙ୍କ ପାଖରେ ପହଞ୍ଚିଥିଲେ । ବାହାରେ ଛଅ ବର୍ଷିୟ କୁନି ପୁଅ ଥିବା ବେଳେ ସେ ଆସିଲେ ରୋଗ ସମ୍ପର୍କରେ ତାକୁ ନକହିବା ପାଇଁ ଅନୁରୋଧ କରିଥିଲେ ।  ଏହାର କିଛି ସମୟ ପରେ ମନୁ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲା । ଅନେକ ଥର କେମୋ ନେବା ସହ ଯନ୍ତ୍ରଣାଜଡ଼ିତ ଚିକିତ୍ସା ପରେ ବି ତା’ ମୁହଁରେ ହସ ଲାଖି ରହିଥିଲା । ହସ ହସ ମୁହଁରେ ଡାକ୍ତରଙ୍କ ପାଖକୁ ଆସି ଅଭିନନ୍ଦନ ଜଣାଇଥିଲା । ହେଲେ ସୁଧୀର କିଛି କହିବା ପୂର୍ବରୁ ସେ ଯାହା କହିଲା, ସେ ଘଡ଼ିଏ ଚୁପ୍‌ ହୋଇଯାଇଥିଲେ । ତାଙ୍କ ପାଟିରୁ ବି କିଛି କଥା ବାହାରିନଥିଲା । କ’ଣ କହି ତାକୁ ବୁଝାଇବେ ବା ବୋଧଦେବେ ଚିନ୍ତା କରିପାରି ନଥିଲେ ।

ମନୁ ଡାକ୍ତରଙ୍କ ପାଖରେ ଗୁହାରୀ ଜଣାଇଥିଲା । ମୋତେ କ୍ୟାନସର୍‌ ବୋଲି ବାପାମା’ଙ୍କୁ ନଜଣାଇବା ପାଇଁ ଅନୁରୋଧ କରିଥିଲା । ସେ କହିଥିଲା, ଆଇପ୍ୟାଡରେ ମୁଁ ମୋ କ୍ୟାନସର୍‌ ରିପୋର୍ଟ ସମ୍ପର୍କରେ ବିସ୍ତୃତ ଭାବରେ ପଢ଼ିଛି । ମୋତେ ଚତୁର୍ଥ ଷ୍ଟେଜ୍ କ୍ୟାନସର୍‌ । ମୁଁ ଆଉ ବଞ୍ଚିବି ନାହିଁ, ପାଖରେ ମାତ୍ର ୬ ମାସ ସମୟ ଅଛି । ବାପାମା’ ମୋତେ ବହୁତ ଭଲପାଆନ୍ତି । ମୋ କଷ୍ଟ ଦେଖି ସେମାନେ ସହ୍ୟ କରିପାରୁ ନାହାନ୍ତି । ମା’ ଆଖିରୁ ତ ନିଦ ହଜିଯାଇଛି । ବାପା ଦିନ ରାତି ଡାକ୍ତରଖାନାର ଚକ୍କର କାଟୁଛନ୍ତି । ତାଙ୍କ ଦୁଃଖ ଦେଖି ପାରୁନି ମୁଁ । ମୋତେ କ୍ୟାନସର ହୋଇଥିବା କଥା ମା’ବାପାଙ୍କୁ ଜଣାଇବ ନାହିଁ ।

ତେବେ ମନୁର ବାପାମା’ ଏସମ୍ପର୍କରେ ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହି ଘଟଣାର ଆଠ ମାସ ପରେ ଡାକ୍ତର ସୁଧୀରଙ୍କୁ ସାକ୍ଷାତ କରିଥିଲେ ମନୁଙ୍କ ବାପାମା’ । ମାସେ ପୂର୍ବରୁ ସେ ଆମକୁ ଏକା କରି ଚାଲିଯାଇଛି, ହେଲେ ତା’ର ସ୍ମୃତି ଆମ ପାଖରେ ରହିଯିବ । ପୁଅ ପାଖରେ ନଥିଲେ ସୁଦ୍ଧା ତା’ ସହ ବିତାଇଥିବା ସବୁ ମୁହୂର୍ତ୍ତ ଭଲରେ କଟିଥିବାରୁ ଡାକ୍ତରଙ୍କୁ ସେମାନେ ଧନ୍ୟବାଦ ଦେଇଥିଲେ ।