• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଶ୍ଚିମ ଓଡ଼ିଶାରେ ମାଡ଼ୁଛି ସ୍କ୍ରବ ଟାଇଫସ । କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୨ ଶହ ଟପିଲା ପଜିଟିଭ ସଂଖ୍ୟା । ଜିଲ୍ଲାରେ ଆଉ ୬ ଜଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏହି ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ଅନ୍ୟ ରାଜ୍ୟର ହୋଇଥିବା ବେଳେ ୯ ଜଣ ଅନ୍ୟ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ତେବେ ସଂକ୍ରମଣ ରୋକିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ସିଡିଏମଓ ସୂଚନା ଦେଇଛନ୍ତି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢ଼ିଛି ।

ସ୍କ୍ରବ ଟାଇଫସ କୀଟ ଚାଷ ଜମିରେ ସାଧାରଣତଃ ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଜମିକୁ ଯାଉଥିବାରୁ ଏହି କୀଟ ଚାଷୀଙ୍କୁ କାମୁଡ଼ୁଥିବା ସୂଚନା ମିଳିଛି । ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋ‌ଇଥାନ୍ତି ଏନେଇ ଲୋକଙ୍କୁ ସଚେତନ ରହିବାକୁ ଡାକ୍ତରଙ୍କ ପରାମର୍ଶ ଦେଇଛନ୍ତି ।

ଚିଗର ପୋକ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ। ପ୍ରଥମେ ରୋଗୀ ଶରୀରରେ ଘା ଭଳି ହୁଏ। ଘା ଚାରିପାଖ ନାଲି ପଡ଼ିଯାଏ। ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ଆକ୍ରାନ୍ତ ବ୍ୟକ୍ତିଙ୍କୁ ହଠାତ୍‌ ଜ୍ୱର, ଥଣ୍ଡା, ତଳିପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ ।

ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ସ୍କ୍ରବ ଟାଇଫସ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି।