• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଢ଼ୁଛି ବଜ୍ର ବିପତ୍ତି । ଯାଉଛି ଜୀବନ । ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, କେବଳ ଗତକାଲି ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ୬୨ ହଜାର ୩୫୦ ଥର ବିଜୁଳି ମାରିଛି । ସେଥିମଧ୍ୟରୁ ୨୫ ହଜାର ୭୫୩ଟି ବିଜୁଳି ଭୂପୃଷ୍ଠ ଛୁଇଁଛି । ଗତକାଲିର ଘନଘନ ବିଜୁଳି ଓ ଘଡ଼ଘଡ଼ିରେ ଚାଲିଯାଇଛି ୧୨ ଅମୂଲ୍ୟ ଜୀବନ। ଆହତ ହୋଇଛନ୍ତି ୧୪ ଜଣ । ୮ ଗାଈଗୋରୁଙ୍କ ଜୀବନ ବି ଯାଇଛି ବଜ୍ରାପାତରେ ।

ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ଙ୍କ ତଥ୍ୟ କହୁଛି, ଗତ ୫ ବର୍ଷରେ ବଜ୍ରପାତ ଯୋଗୁ ରାଜ୍ୟରେ ୧ ହଜାର ୭୨୭ ଜଣଙ୍କ ମୃତ୍ୟୁ ହୋଇଛି । ପାଣିପାଗ ବିଜ୍ଞାନୀଙ୍କ ମତ, ଏବେ ଓଡ଼ିଶାରେ ମୌସୁମୀ ଦୁର୍ବଳ ଥିବାରୁ ବାୟୁମଣ୍ଡଳ ଉପରି ଭାଗରେ ଉତପ୍ତ ଶୁଷ୍କ ବାୟୁ ରହିଛି । ଅନ୍ୟପଟେ ଘୁର୍ଣ୍ଣିବଳୟ ପ୍ରଭାବରେ ସମୁଦ୍ର ଭିତରୁ ଜଳୀୟ ବାଷ୍ପପୂର୍ଣ୍ଣ ଆଦ୍ର ବାୟୁ ଭୂମଣ୍ଡଳ ଆଡ଼କୁ ଆସୁଛି, ବିଜୁଳିର ବାରମ୍ବାରତା ଓ ତୀବ୍ରତା ବଢ଼ୁଛି । ତେବେ ବଜ୍ରପାତ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ୩ ଘଣ୍ଟା ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ପର୍କିତ ସୂଚନା ଦିଆଯାଉଛି । ଲୋକେ ସଚେତନ ହେଲେ, ନିଶ୍ଚିତ ଭାବେ ବଜ୍ରପାତଜନିତ ମୃତ୍ୟୁ ରୋକାଯାଇପାରିବ ।

ଏବେ ପ୍ରଶ୍ନ, କେମିତି ଜାଣିବେ ଆଗକୁ ବଜ୍ରପାତର ଆଶଙ୍କା ରହିଛି ? ବଜ୍ରପାତରୁ ରକ୍ଷା ପାଇବା ଲାଗି କ’ଣ କରିବେ ? ପାଣିପାଗ ବିଶେଷଜ୍ଞଙ୍କ ମତରେ, ଆମ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲା ସର୍ବାଧିକ ବଜ୍ରପାତପ୍ରବଣ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଅଧିକ ବଜ୍ରପାତ ହୋଇଥାଏ । ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେଲେ ବା ଆକାଶ ଆଂଶିକ ମେଘୁଆ ଓ ଶୁଖିଲା ଦେଖାଗଲେ, ଏହା ବଜ୍ରପାତର ସଙ୍କେତ । ଯଦି ୩୦ ସେକେଣ୍ଡ ବ୍ୟବଧାନରେ ଦୁଇଥର ଘଡ଼ଘଡ଼ି ଶୁଣାଯାଏ, ଭୟଙ୍କର ବଜ୍ରପାତର ସଙ୍କେତ । ଏଭଳି ସମୟରେ ଖୋଲା ସ୍ଥାନରେ, ଗଛ ତଳେ କିମ୍ବା ଜଳାଶୟ ମଧ୍ୟରେ ରହିବା ଅନୁଚିତ । ତୁରନ୍ତ ନିକଟସ୍ଥ ବାସଗୃହ ଭିତରକୁ ଚାଲିଯିବା ଉଚିତ । ବିଲ ଭିତରେ ଥିଲେ ମୁଣ୍ଡକୁ ନୁଆଁଇ ରଖି ଗୋଡ଼କୁ ମାଟିରୁ ସର୍ବନିମ୍ନ ସ୍ପର୍ଶରେ ରୁହନ୍ତୁ ।

ପାଣିପାଗ ବିଜ୍ଞାନୀଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ବଜ୍ରପାତ ବୃଦ୍ଧିର ଏକ ବଡ଼ କାରଣ । ଏହାଯୋଗୁ ଆଗାମୀ ବର୍ଷଗୁଡ଼ିକରେ ବଜ୍ରପାତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ଯେହେତୁ ବଜ୍ରପାତକୁ ରୋକିବା ସମ୍ଭବ ନୁହେଁ, ଏହା ପ୍ରଭାବରୁ ରକ୍ଷା ପାଇବା ଲାଗି ସଚେତନତା ହିଁ ଏକମାତ୍ର ବିକଳ୍ପ ।

  • Reported by:
  • KAPILENDRA PRADHAN