ଦୈନନ୍ଦିନ ଜୀବନରେ ଆମେ ଅନେକ କାମ କରୁଥାଉ । ସେଥିରୁ କିଛି ଅଭ୍ୟାସରେ ପରିଣତ ହୋଇଯାଏ । ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଯାହା ସବୁ ଆମେ କରୁ ସେଥିରୁ ଅନେକ କିଛି ଆମର ଅଭ୍ୟାସରେ ପଡ଼ିଯାଏ । ଏମିତିକି ସେହି ସବୁ ଜିନିଷ ସମୟ ଆସିଲେ ଆପେ ଆପେ ହୋଇଯାଏ । ସେହି ଅଭ୍ୟାସଗୁଡ଼ିକ ମଧ୍ୟରେ କିଛି ଭଲ ରହିଥାଏ ଆଉ କିଛି ଖରାପ ବି ରହିଥାଏ ।
ତେବେ ଜୀବନକୁ ଅତି ସରସ ଓ ସୁନ୍ଦର ଭାବେ ବଞ୍ଚିବାକୁ ହେଲେ ଆମକୁ କିଛି ଭଲ ଅଭ୍ୟାସ କରିବାକୁ ହେବ । ଖାଲି ସୁସ୍ଥ ଶରୀର ହେଲେ ହେବନି, ଆମକୁ ସୁସ୍ଥ ମାନସିକତା ରଖିବାକୁ ହେବ । ଏଥିପାଇଁ ଆମକୁ ଦୈନନ୍ଦିନ ଜୀବନରେ କିଛି ନିୟମ ମାନି ଚଳିବାକୁ ହେବ । ତେବେ ଆସନ୍ତୁ ଜାଣିବା, ଆମ ଜୀବନକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ କେଉଁ କେଉଁ ଅଭ୍ୟାସ କରିବାକୁ ହେବ ।
Also Read
ଅଧିକ ପଢ଼ନ୍ତୁ: କ୍ରୋଧ ଅନେକ ରୋଗର କାରଣ; ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ
ସକାଳୁ ଜଲଦି ଉଠିବା
ସକାଳୁ ଜଲ୍ଦି ଉଠିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଜଲ୍ଦି ନିଦ ଭାଙ୍ଗିଲେ ଆମକୁ ଯୋଗ ବା ଧ୍ୟାନ ଓ ବ୍ୟାୟାମ ଆଦି କରିବାକୁ ଖୁବ୍ ସମୟ ମିଳିଥାଏ । ଖାଲି ସେତିକି ନୁହେଁ ଦିନ ସାରା ଆପଣଙ୍କୁ ସକାରାତ୍ମକ ଅନୁଭବ ହେବା ସହ ଖୁସି ବି ଲାଗିଥାଏ ।
ବ୍ୟାୟାମ
ନିୟମିତ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ ଏବଂ ଆପଣ ଫିଟ୍ ରହିଥାନ୍ତି । ଏହାଦ୍ୱାରା ଆପଣଙ୍କ ଶରୀରରୁ ଝାଳ ଦ୍ୱାରା ସମସ୍ତ ବିଶାକ୍ତ ତତ୍ୱ ବାହାରିଯାଇଥାଏ । ବ୍ୟାୟାମ ଦ୍ୱାରା ଆପଣଙ୍କ ତ୍ୱଚା ଏବଂ ଚୁଟି ମଧ୍ୟ ଭଲ ରହିଥାଏ ।
ଭଲ କି ଖାଆନ୍ତୁ ସକାଳ ଜଳଖିଆ
ଅନେକ ଲୋକ ଅଛନ୍ତି ଯେଉଁମାନେ ସକାଳ ଜଳଖିଆ ଖାଆନ୍ତି ନାହିଁ । ସେମାନେ ଭାବନ୍ତି ସକାଳ ଜଳଖିଆ ନଖାଇଲେ ତାଙ୍କର ଓଜନ କମିଯିବ । କିନ୍ତୁ ବାସ୍ତବରେ ସକାଳ ଜଳଖିଆ ନଖାଇଲେ ଆପଣଙ୍କ ଶରୀରକୁ ଅନେକ ରୋଗ ମାଡ଼ି ବସିଥାଏ । ଦିନ ସାରା ଆପଣଙ୍କୁ ଅଳସୁଆ ଲାଗିଥାଏ । ସକାଳ ଜଳଖିଆ ନଖାଇଲେ ଆପଣଙ୍କୁ ଅଧିକ ଭୋକ ଲାଗିବା ସହ ଆପଣ ଆବଶ୍ୟକତାଠାରୁ ଅଧିକ ଖାଇବାର ସମ୍ଭାବନା ମଧ୍ୟ ରହିଛି ।
ପ୍ରଚୁର ପାଣି ପିଅ
ଦିନ ଯାକରେ ପ୍ରଚୁର ପାଣି ପିଇବା ନିହାତି ଜରୁରୀ । ପ୍ରଚୁର ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରୁହେ । ଶରୀରରେ କୌଣସି ବିଶାକ୍ତ ପଦାର୍ଥ ରହେ ନାହିଁ । ତ୍ୱଚା ଚିକ୍କଣ ରୁହେ । ପାଣି ପିଇବା ଦ୍ୱାରା ଶରୀରର ସବୁ କୋଷ ତଥା ଟିସୁ ସଠିକ୍ ଭାବେ କାମ କରିଥାଏ । ଏହା ଶରୀରର ତାପମାତ୍ରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
ଦିନ ସାରା କଣ କରିବେ ଲେଖନ୍ତୁ
ଆପଣ ସକାଳୁ ଉଠିବା ପରେ କ’ଣ ସବୁ କାମ କରିବେ ସେନେଇ ଏକ ଚିଠା ତିଆରି କରନ୍ତୁ । ଆଉ ସେହି ଅନୁସାରେ କାମ କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଆପଣ କୌଣସି କାମକୁ ଭୁଲିବେ ନାହିଁ କିମ୍ବା ଶେଷ ମୁହୁର୍ତ୍ତରେ ତରବରିଆ ଭାବେ କରିବାକୁ ପଡ଼ିବ ନାହିଁ । କିମ୍ବା କାମ ହୋଇପାରିଲା ନାହିଁ ବୋଲି ଚିନ୍ତା କରିବାକୁ ପଡ଼ିବ ନାହିଁ । ତାଲିକାରେ ପ୍ରତ୍ୟେକ କାମ ପାଇଁ ସମୟ ମଧ୍ୟ ବାଣ୍ଟି ଲେଖିବା ଉଚିତ୍ ।
ସୁସ୍ଥ ପାନୀୟ
ସୁସ୍ଥ ଶରୀର ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଯେତିକି ଜରୁରୀ, ସୁସ୍ଥ ପାନୀୟ ବି ସେତିକି ଜରୁରୀ । ଶରୀରକୁ ସୁସ୍ଥ ରଖିବା ପାଇଁ ଗ୍ରୀନ୍-ଟି ପିଇବା ଉଚିତ୍ । ଆଉ ସବୁଦିନ ଗରମ ପାଣି ମଧ୍ୟ ପିଇବା ଉଚିତ । ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହାଦ୍ୱାରା ମାନସିକ ଚାପ ମଧ୍ୟ ଦୂର ହୋଇଥାଏ ।
ଆକ୍ଟିଭ୍ ରୁହନ୍ତୁ
ଲିଫ୍ଟ ବଦଳରେ ପାହାଚର ବ୍ୟବହାର କରନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରର ଆକ୍ଟିଭ୍ ରହିବ । ଖାଲି ସେତିକି ନୁହେଁ ନିଜକୁ ଫୁର୍ତ୍ତୀ ରଖିବା ପାଇଁ ଆପଣ ଟ୍ରେକିଂ ବି କରିପାରିବେ । ନିୟମିତ ଚାଲିବା ଅଭ୍ୟାସ କରନ୍ତୁ । ଏହା ଶରୀର ପାଇଁ ଖୁବ୍ ହିତକର ।
ଘରୋଇ ଖାଦ୍ୟ
ବାହାରେ ବା ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଇବା ବନ୍ଦ କରନ୍ତୁ । ଘରେ ସାଧା ସିଧା ରୋଷେଇ କରି ଖାଇଲେ ଆପଣ ଯେତିକି ସୁସ୍ଥ ରହିବେ ବାହାରେ ହୋଟେଲରେ ଖାଇଲେ ଅଧିକ ଅସୁସ୍ଥ ହେବାର ସମ୍ଭାବନା ରହିଛି । ଘରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟରେ କେମିକାଲ ଅଧିକ ନଥାଏ । ଖାଲି ସେତିକି ନୁହେଁ ଘରେ ରାନ୍ଧି ଖାଇଲେ ଆପଣ ନିଜ ଶରୀରର କ୍ୟାଲୋରୀ ଓ ପ୍ରୋଟିନକୁ ନିୟନ୍ତ୍ରଣ କରିପାରିବେ ।
ଭଲ ନିଦ୍ରା
ସୁସ୍ଥ ରହିବାକୁ ହେଲେ ଭଲ ନିଦ୍ରା ନିହାତି ଆବଶ୍ୟକ । ନିଦ ଭଲ ହେଲେ ମାନସିକ ଚାପ ଦୂର ହେବ । ଖାଲି ସେତିକି ନୁହେଁ ମସ୍ତିଷ୍କ ମଧ୍ୟ ସଠିକ୍ ଭାବେ ଚାଲିବ । ତେଣୁ ସୁସ୍ଥ ରହିବାକୁ ହେଲେ ସୁସ୍ଥ ମସ୍ତିଷ୍କ ତଥା ମାନସିକ ଚାପଠାରୁ ମୁକ୍ତ ରହିବାକୁ ହେଲେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ନଶୋଇ ଚାହିଁ ରହିବା ଅଭ୍ୟାସକୁ ଛାଡ଼ିବାକୁ ପଡ଼ିବ । ରାତିରେ ଶୀଘ୍ର ଖାଇବା ସାରି ଶୋଇବାକୁ ହେବ ।