• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କି ବର୍ଷା କି ଶୀତ...ସକାଳ ହେବା ମାତ୍ରେ ରାସ୍ତା କଡରେ ଶ୍ରମିକଙ୍କର ଜମେ ଭିଡ । କିଏ ଗଛ ତଳେ ତ ଆଉ କିଏ ପାଖଆଖ ଦୋକାନ ପିଣ୍ଡିରେ ବସିଥାଆନ୍ତି । ସେମାନେ କୋଉ ଗାଡି କି କାହାକୁ ଅପେକ୍ଷା କରିଛନ୍ତି ତାହା ନୁହେଁ ବରଂ ସମସ୍ତେ କାମକୁ ଅପେକ୍ଷା କରିଛନ୍ତି । କେତେବେଳେ କିଏ ମଜୁରୀ ଖଟିବାକୁ ଡାକିବ ସେମାନେ ଯିବେ ।

କୋରାପୁଟ ସହରରେ ନିଇତି ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି । ବିଶେଷ କରି ଟ୍ରାଫିକ୍‌ ଛକରେ ନିଇତି ଦେଖିବାକୁ ମିଳେ ମଣିଷ ହାଟ । ଗାଁ ଗଣ୍ଡାରୁ କାମ ଅନ୍ୱେଷଣରେ ଏମାନେ ଆସି ସହରର ଟ୍ରାଫିକ୍‌ ଛକରେ ଅପେକ୍ଷା କରନ୍ତି । ଶ୍ରମିକ ହୋଇଥିବାରୁ ନିଇତି ଖଟିଲେ ଘରେ ଚୁଲି ଜଳିବ, ପେଟକୁ ଦାନା ଯିବ । ସେଇଥି ଲାଗି ତ ସେମାନେ ଲଗାଇଛନ୍ତି ଭିଡ । ଜାଣି ଆଶ୍ଚର୍ଯ୍ୟ ହେବେ କି ଶ୍ରମିକମାନେ ବସିବାକୁ ବା ଅପେକ୍ଷା କରିବାକୁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଛିଡା ହୋଇ ରୁହନ୍ତି ଶ୍ରମିକ । ଯେଉଁ ଦୃଶ୍ୟ ଶହଶହ ଲୋକଙ୍କ ବ୍ୟଥିତ କରୁଛି ସତ କିନ୍ତୁ କାହା ପାଖରେ କିଛି କରିବାର ଉପାୟ ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରତିଦିନ ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଶ୍ରମିକ ରାସ୍ତାରେ ଭିଡ ଲଗାନ୍ତି । ଯିଏ ଯିଏ କାମ ପାଇଲେ ସେମାନେ ଯାଆନ୍ତି ନହେଲେ ମଧ୍ୟାହ୍ନ ୧୨ ଯାଏ ଅପେକ୍ଷା କରିକରି ପୁଣି ଥରେ ନିଜ ଘରକୁ ଫେରିଯାଆନ୍ତି । ସହର ଉପକଣ୍ଠ ଚିନ୍ଦ୍ରୀ, ଜାନିଗୁଡ଼ା, ଝରିଗୁଡ଼ା, ଉମୁରି, ଛପର, ବାଡ଼ାମଫୁଟ, ମସ୍ତିପୁଟ, ମହାଦେଇପୁଟ, ରେଲିକୁମ୍ଭା, ଗୌଡଗୁଡ଼ା, ମାନବାର ଆଦି ଅଞ୍ଚଳରୁ ଶ୍ରମିକମାନେ କୋରାପୁଟକୁ ଆସୁଥିବା ଜଣାଯାଏ ।

ଶ୍ରମିକଙ୍କ ଲାଗି ସ୍ଥାୟୀ ଅପେକ୍ଷା କେନ୍ଦ୍ର କରିବାକୁ ଅନେକ ବାର ଦାବି ହୋଇଛି ହେଲେ ପ୍ରଶାସନ ଏଯାଏ କିଛି କରିନି । ଏମିତିକି ରାସ୍ତା ଉପରେ ଏତେ ଅଧିକ ମାତ୍ରାରେ ଭିଡ ଜମୁଥିବାରୁ କେତେବେଳେ କଣ ଅଘଟଣ ଘଟିବା ନେଇ ଆଶଙ୍କା ବି କରାଯାଉଛି । ତେବେ ପୂରା ଘଟଣାରେ ପୌରାଧ୍ୟକ୍ଷ କହିଛନ୍ତି, ବର୍ତ୍ତମାନ୍ ଶ୍ରମିକଙ୍କ ଲାଗି ରେଷ୍ଟ ସେଡ୍‌ ନିର୍ମାଣ ପାଇଁ ଜାଗା ଖୋଜା ଚାଲିଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

ରାସ୍ତା କଡରେ ସେମାନେ ପ୍ରତିଦିନ ଛିଡା ହୋଇ ରହୁଛନ୍ତି । ହେଲେ ବସିବାକୁ ଟିକିଏ ଜାଗା ବି ପାଉନାହାନ୍ତି । ତେବେ ସମୟ କହିବ କେବେ ପ୍ରତିଶ୍ରୁତି ପାଳନ କରୁଛନ୍ତି ପୌରାଧ୍ୟକ୍ଷ ।

 

  • Reported by:
  • Surya Narayan Panda