୬ ଘଣ୍ଟା ଧରି ଉତ୍ପାତ କଲେ । ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ନାକେଦମ୍ କଲେ । ଯେତେ ଯାହା କଲେ ବି କାହା କଥା ଶୁଣିଲେ ନାହିଁ। ଶେଷରେ ବିଦ୍ୟୁତ ଟାୱାରରେ ଚଢ଼ି ଉତ୍ପାତ କରୁଥିବା ଯୁବକଙ୍କୁ ତଳକୁ ଆଣିଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ ।
ବଲାଙ୍ଗୀର ପୁଇଁତଳା ଥାନା ଖମାରମୁଣ୍ଡା ଗାଁରେ ୨ ଶହ ଫୁଟ ଉଚ୍ଚ ବିଦ୍ୟୁତ ଟାୱାର ଉପରେ ଚଢ଼ି ଉତ୍ପାତ କରୁଥିବା ଯୁବକ ୬ ଘଣ୍ଟା ପରେ ତଳକୁ ଓହ୍ଲାଇଛି । ଏହାପରେ ସଂପୃକ୍ତ ଯୁବକଙ୍କୁ କାବୁ କରି ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି । ସଂପୃକ୍ତ ଯୁବକ ଜଣକ ହେଲେ ସିଦ୍ଧେଶ୍ବର ଭୋଇ । ତେବେ ସେ କାହିଁକି ଟାୱାର ଉପରେ ଚଢ଼ିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଚିକିତ୍ସା ପରେ ପୋଲିସ ତାଙ୍କୁ ପଚରାଉଚା କରିବ ବୋଲି ସୂଚନା ମିଳିଛି ।
Also Read
ଅଧିକ ପଢ଼ନ୍ତୁ : ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ
ତେବେ ଯୁବକ ଜଣକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଡ୍ ଅଫ୍ ହେଲା ବୋଲି ଟାୱାର ଉପରେ ଚଢ଼ିଗଲି । ଆଗରୁ ବି ଚଢିଥିଲି, ଟେନ୍ସନ୍ରେ ମୁଁ ଚଢି ଯାଉଛି। ମୁଁ ଆଉ ଚଢିବି ନାହିଁ । ମୋତେ ଡ଼ର ଲାଗୁନି ଚଢିବା ପାଇଁ ।
ଦିନକ ତଳେ ସମାନ ଘଟଣାରେ କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ନିକଟରେ ଥିବା ୧୩୨ କେଭି ବିଦ୍ୟୁତ ଟାୱାରରେ ଜଣେ ଯୁବକ ଚଢି ଯାଇଥିଲେ । ପ୍ରାୟ ୭୦ ମିଟର ଉପରେ ଚଢି ଟାୱାରରେ ବସିରହିଥିଲେ । ଯୁବକ ଜଣକ ବଡ଼ମୁକ୍ତାପଶି ଗାଁର ସନିଆ ମଣ୍ଡଳ । ନିଶାସକ୍ତ ଅବସ୍ଥାରେ ସନିଆ ଅପରାହ୍ନରେ ଟାୱାର ଉପରେ ଚଢି ଯାଇଥିଲେ । ତେବେ ଚଢ଼ିବା ପରେ ଓଲ୍ହାଇବାର ନାଁ ଧରିନଥିଲେ ଯୁବକ । ଯେଉଁଥିପାଇଁ ନାକେଦମ ହୋଇଥିଲେ ପୋଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗ ।
ପ୍ରାୟ ଅଢେଇ ଘଣ୍ଟା ଧରି ଯୁବକ ଜଣକ ଟାୱାର ଉପରେ ବସିଥିବା ବେଳେ ଟାୱାର ପାଖକୁ ଯାଉଥିବା ଉଦ୍ଧାରକାରୀ ଦଳକୁ ଦେଖିଲେ ତଳକୁ ଡେଇଁବା ପାଇଁ ଉଦ୍ୟମ କରୁଥିଲେ । ଫଳରେ ଉଦ୍ଧାରକାରୀ ଦଳ ଯୁବକ ଜଣକ ନିକଟରେ ପହଞ୍ଚି ପାରିନଥିଲେ । ତେବେ ଯୁବକଙ୍କ ଏଭଳି ହାଇଡ୍ରାମା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ପ୍ରାୟ ୪ଘଣ୍ଟା କସରତ ପରେ ଯୁବକକୁ ତଳକୁ ଓଲ୍ଲାଇବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ ଓ ପୋଲିସ ।