Women Protecting Forests: ଜଙ୍ଗଲକୁ ଘଣ୍ଟ ଘୋଡ଼ାଇଛି ମାଆର ପଣତ କାନି

ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା ଆଜି ତାହା ସମସ୍ତଙ୍କୁ ଆକର୍ଷିତ ଏବଂ ଆଚମ୍ବିତ କରୁଛି । ୨୨ ବର୍ଷ ତଳେ ଟାଙ୍ଗରା ଭୂଇଁ ପଡ଼ିଥିବା ଏ ଇଲାକା ଏହି ମହିଳାମାନଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।

ଘୁମୁସରର ଜଙ୍ଗଲ ଜନନୀ ।

ଗ୍ରୀଷ୍ମ ଋତୁ ଆସିବା ପରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । କିନ୍ତୁ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କଣ୍ଟେଇପଲ୍ଲୀ ଜଙ୍ଗଲରେ ନିଆଁ ଲାଗିବାର ଭୟ ନାହିଁ । କାହିଁକିନା ଏହି ବିରାଟ ଜଙ୍ଗଲକୁ ଘଣ୍ଟ ଘୋଡ଼ାଇଛି ମାଆର ପଣତ କାନି । ପ୍ରାୟ ୧୦ ହେକ୍ଟରରୁ ଅଧିକ ଜଙ୍ଗଲକୁ ଗଛ କଟାଳି, ଶିକାରୀ ଓ ଜଙ୍ଗଲ ନିଆଁ କବଳରୁ, ୨୨ ବର୍ଷ ଧରି ସୁରକ୍ଷା ଦେଉଛନ୍ତି ୫୦ରୁ ଅଧିକ ମହିଳାଙ୍କ ଠେଙ୍ଗା ପାଳି ।

ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା ଆଜି ତାହା ସମସ୍ତଙ୍କୁ ଆକର୍ଷିତ ଏବଂ ଆଚମ୍ବିତ କରୁଛି । ୨୨ ବର୍ଷ ତଳେ ଟାଙ୍ଗରା ଭୂଇଁ ପଡ଼ିଥିବା ଏ ଇଲାକା ଏହି ମହିଳାମାନଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । ଏମାନେ ଏ ଜଙ୍ଗଲର ଜନନୀ । ନାରୀଟିଏ ମଣିଷ ତିଆରି କରିପାରେ, ଘର ସଂସାର ଗଢ଼ିପାରେ, ଆଉ ଇଚ୍ଛା କଲେ, ଏମିତି ବିରାଟ ଜଙ୍ଗଲ ବି ସର୍ଜି ଦେଇପାରେ । ଏହାର ପ୍ରମାଣ ହେଉଛନ୍ତି ଏହି ଶକ୍ତିସ୍ୱରୂପାମାନେ ।

 ଅଧିକ ପଢନ୍ତୁ: ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ କଳିଯୁଗର ସାବିତ୍ରୀ

ହାତରେ ଠେଙ୍ଗା ଧରି ,ମୁଣ୍ଡରେ ଟୋପି ପିନ୍ଧି ଏବଂ ହାତରେ ଝାଡ଼ୁ ଧରି ଏମାନେ ଜଙ୍ଗଲ ସୁରକ୍ଷା ଦେଉଥିବା ଦେଖିବାକୁ ମିଳୁଛି । ଏହିଁ ମହିଳା ମାନଙ୍କ ଠେଙ୍ଗାପାଳି ବିନା ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କଣ୍ଟେଇପଲ୍ଲୀ ଗାଁ ଚାରିପଟେ ଏହି ଜଙ୍ଗଲ ଅସମ୍ଭବ ଥିଲା । ବିନା ପାରିଶ୍ରମିକରେ ଦୀର୍ଘ ୨୨ ବର୍ଷ ହେଲା ଚାଲିଛି ଅଭିଯାନ । ପ୍ରତିଦିନ ଏହି ଅଞ୍ଚଳର ୫ ଜଣ ମହିଳା ପାଳି କରି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଜଙ୍ଗଲ ଜଗୁଛନ୍ତି । ଏହାର ଯତ୍ନ ନେଉଛନ୍ତି, ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।

୨୦୦୨ ମସିହାରେ ଏଠି ବନ ସୁରକ୍ଷା ସମିତି ଗଠନ ହୋଇଥିଲା । ଟାଙ୍ଗରା ଭୂଇଁରେ ମହିଳାମାନେ ବୃକ୍ଷରୋପଣ କରିଥିଲେ । ଏଥିରେ ୫ଟି ସ୍ୱୟଂ ସହାୟିକା ଗୋଷ୍ଠୀର ୫୦ରୁ ଅଧିକ ସଦସ୍ୟା ଯୋଡ଼ି ହୋଇଛନ୍ତି । ଏହି ଜଙ୍ଗଲ ଏବେ ୧୦ ହେକ୍ଟରରୁ ଅଧିକ ଜାଗାରେ କାୟା ମେଲାଇ ସାରିଲାଣି । ପଶୁପକ୍ଷୀ ରହିଲେଣି, ବଣଭୋଜି ଚାଲିଲାଣି । ସବୁଠୁ ଖୁସିର କଥା, ୬ ବର୍ଷ ହେଲା ଏ ଜଙ୍ଗଲରେ ନିଆଁ ଲାଗିବାକୁ ଦେଇନି ଏହି ସବୁଜ ସିପାହୀଙ୍କ ଠେଙ୍ଗାପାଳି ।

ସେମାନେ ଦିନସାରା ଅକ୍ଳାନ୍ତ ପରିଶ୍ରମ କରି ଜଙ୍ଗଲ ଯାକ ବୁଲି ଫାୟାର ଲାଇନ୍ କାଟନ୍ତି । ଏମାନଙ୍କ ଇଚ୍ଛାଶକ୍ତି ଦେଖି ଜଙ୍ଗଲ ସୁରକ୍ଷା ଅଭିଯାନରେ ଅନେକ ପୁରୁଷ ମଧ୍ୟ ଯୋଡ଼ି ହୋଇଛନ୍ତି । ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ବି ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରୋଜଗାରଧର୍ମୀ ପଦକ୍ଷେପ ନିଆଯାଇଛି । ଖରା ହେଉ କି ବର୍ଷା, ଅବା ହାଡ଼ଭଙ୍ଗା ଶୀତ । ଏହି ମହିଳାମାନଙ୍କ ଦିନ ଜଙ୍ଗଲରେ ପାଦ ନରଖିଲେ ପୂରା ହୁଏନି । ହୁଏତ କଣ୍ଟେଇପଲ୍ଲୀର ଜଙ୍ଗଲ ସେମାନଙ୍କ ଆସିବା ବାଟକୁ ଚାହିଁ ରହିଥାଏ । ମାଆର ମମତା ସ୍ପର୍ଶ ପାଇବା ପାଇଁ ସିଏ ବି ଅନେଇ ରହିଥାଏ । କାହିଁକି ନା ଜଙ୍ଗଲର ବି ତ ଜୀବନ ଅଛି ।

ଅଧିକ ପଢନ୍ତୁ:  ପତ୍ନୀଙ୍କ ମୃତ୍ୟୁ ପରେ କଲମ ପ୍ରେମରେ ପଡ଼ିଛନ୍ତି ଅର୍ଜୁନ, ସାଉଁଟୁଛନ୍ତି ପୁରୁଣା ସ୍ମୃତି