/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756462444.jpg)
Elephant Menace
ଡିଭାଇଡର୍ ବ୍ୟାରିକେଡ୍ ଭାଙ୍ଗି ରାସ୍ତା ପାର୍ ହେଲେ ହାତୀ। ଭୟଭୀତ ଲୋକେ। ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଅନନ୍ତପୁର ଛକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ବନକର୍ମଚାରୀମାନେ ପହଞ୍ଚି ହାତୀ ଦୁଇଟିକୁ ସୁକିନ୍ଦା ଅଞ୍ଚଳର ପୋବଳ ଜଙ୍ଗଲକୁ ଘଉଡାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ୮ ଦିନ ପୂର୍ବରୁ ଗୋଟିଏ ଦନ୍ତା ଏବଂ ଗୋଟିଏ ମାଈ ହାତୀ ଷଡ଼ଙ୍ଗୀ ରେଞ୍ଜ ଜଙ୍ଗଲ ଅଞ୍ଚଳରୁ ଆସି ଭୁବନସ୍ଥିତ ଭାରତୀ ପାହାଡ଼ରେ ଥିଲେ। ଆଜି ସକାଳେ ହାତୀ ଦୁଇଟି ହଠାତ ରାସ୍ତା ଉପରକୁ ଆସି ଅନନ୍ତପୁର ଗାଁ ଆଡ଼କୁ ଯିବାକୁ ଚେଷ୍ଟା କରିଥିଲେ। ରାସ୍ତା ପାର୍ ହେବା ସମୟରେ ଡିଭାଇଡର୍ ଉପରେ ହୋଇଥିବା ଲୁହା ବ୍ୟାରିକେଡକୁ ପାଦରେ ମାଡ଼ି ଅପର ପାର୍ଶ୍ବକୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ହାତୀ ଦୁଇଟି ବିଶେଷ କିଛି କ୍ଷୟକ୍ଷତି ଘଟାଇନଥିବା ଜଣାପଡ଼ିଛି।
ଅନ୍ୟପଟେ ହାତୀ ରାସ୍ତା ଉପରେ ବୁଲୁଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ। ବନବିଭାଗକୁ ଖବର ଦେବାପରେ ବନକର୍ମଚାରୀମାନେ ପହଂଚି ହାତୀ ଦୁଇଟିକୁ ସୁକିନ୍ଦା ଅଞ୍ଚଳର ପୋବଳ ଜଙ୍ଗଲକୁ ଘଉଡାଇ ଦେଇଥିଲେ। ସେଠାରେ ସୁକିନ୍ଦା ବନ ବିଭାଗ ଏବଂ ଗ୍ରାମବାସୀ ହାତୀଙ୍କୁ ଜଗି ରହିଛନ୍ତି। ଭାରତୀ ପାହାଡ଼କୁ ପୁଣି ହାତୀ ଦୁଇଟି ଫେରିବାର ସମ୍ଭାବନା ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତିl
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)