୭ ମାସର ପ୍ରତୀକ୍ଷା ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ପୁରୁଖା ନେତା ଭକ୍ତ ଚରଣ ଦାସଙ୍କୁ ଦାୟିତ୍ବ ଦେଇଛି ଏଆଇସିସି । ତେବେ ପିସିସି ସଭାପତି ହେଉ ହେଉ ଘର ସଜାଡ଼ିବାକୁ ପ୍ରାଥମିକତା ଦେବେ ବୋଲି ଭକ୍ତ କହିବା ସହ ଦଳ ଛାଡିଥିବା ନେତା ଫେରି ଆସିବାକୁ ବି ନିବେଦନ କଲେଣି । ତେବେ ପିସିସି ସଭାପତି ପାଇଁ ଅନେକ ଦାବିଦାର ନେତା ଥାଉ ଥାଉ ଭକ୍ତଙ୍କ ପାଇଁ କେଉଁ ଫ୍ୟାକ୍ଟର କାମ ଦେଲା ତାକୁ ନେଇ ଚର୍ଚ୍ଚା ଭିତରେ ଶ୍ରୀକାନ୍ତ ମାରିଛନ୍ତି ତେରେଛା ବାଣ ।
ରାଜନୀତି ସମୀକ୍ଷକ କହିଛନ୍ତି ଭକ୍ତଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ଅଗ୍ନି ପରୀକ୍ଷା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭକ୍ତ ଦାସଙ୍କ କାନ୍ଧରେ କଂଗ୍ରେସ ହାଇକମାଣ୍ଡ ଦେଲେ ଓଡ଼ିଶା ଭାର । ଏହି ରେସରେ ଭକ୍ତଙ୍କୁ ମିଶାଇ ୪ଜଣ ନେତାଙ୍କ ନାଁ ରହିଥିଲା । ମୋକିମ୍, ସପ୍ତଗିରି ଓ ଶ୍ରୀକାନ୍ତ ଦିଲ୍ଲୀରେ ଡେରା ବି ପକାଇଥିଲେ । କିନ୍ତୁ ଏଆଇସିସି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନାଁରେ ମୋହର ମାରିଛି । ତେଣୁ ଏଠି ପ୍ରଶ୍ନ ଓଡ଼ିଶାରେ ଅତି ଦୁର୍ବଳ ସ୍ଥିତିରେ ଥିବା ଦେଶର ସର୍ବ ପୁରାତନ ଦଳକୁ କେମିତି ଟ୍ରାକ୍ କୁ ଆଣିବେ ଭକ୍ତ ? ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ଓ କ୍ଷମତା ଦଖଲ ପରେ କେମିତି ଗେରୁଆ ଦଳକୁ କରିବେ ମୁକାବିଲା ? ବିଜେଡିର ଭୋଟ୍ ବ୍ୟାଙ୍କକୁ ଛଡ଼ାଇ ଆଣିବାରେ ସଫଳ ହେବ ତ ଭକ୍ତଙ୍କ ରଣନୀତି ?
Also Read
ଏସବୁ ଚର୍ଚ୍ଚା ଭିତରେ ଭକ୍ତ ଦାସ ଓଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି-ରାଜ୍ୟ କଂଗ୍ରେସର ଘର ସଜାଡି ପାରିଲେ ହିଁ ସେ ବେଶି ଆତ୍ମସନ୍ତୋଷ ପାଇବେ । ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ଲାଳସା ନାହିଁ । ଯେଉଁମାନେ ଦଳ ଛାଡ ଯାଇଛନ୍ତି ସେମାନଙ୍କୁ ପୁଣି ବିନା ସର୍ତ୍ତରେ ଘର ବାହୁଡ଼ିବାକୁ ସେ ଆହ୍ବାନ କରୁଛନ୍ତି । ସେ ଆହୁରି କହିଛନ୍ତି ଆସନ୍ତା ୧୮ରେ ସେ ଓଡ଼ିଶା ଫେରିବା ପରେ ଭୁବନେଶ୍ବରରୁ ପୁରୀ ଯାଏଁ ପାଦଯାତ୍ରାରେ ଯାଇ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ ।
ଅଧିକ ପଢନ୍ତୁ: ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା
ତେବେ ଏଠି ପ୍ରଶ୍ନ- ସପ୍ତଗିରି, ମୋକିମ୍ ଓ ଶ୍ରୀକାନ୍ତଙ୍କ ଭଳି ରେସରେ ଥିବା ନେତାଙ୍କୁ ପଛରେ ପକାଇ କିଭଳି ପିସିସି ମୁଖିଆ ପଦରେ ବସିଲେ ଭକ୍ତ ? ଭକ୍ତଙ୍କ ପାଇଁ କାମ ଦେଲା କେଉଁ ବଡ଼ ଫ୍ୟାକ୍ଟର ? କୁହାଯାଉଛି ଗାନ୍ଧୀ ପରିବାର ସହ ଭକ୍ତଙ୍କ ସଂପର୍କ ଦୁଇ ପୀଢି ଧରି ବେଶ୍ ମଜବୁତ ଥିଲା । ଏହାସହ ଏଆଇସିସି ତାଙ୍କୁ ବିଭିନ୍ନ ରାଜ୍ୟ ପାଇଁ ଦେଇଥିବା ଗୁରୁ ଦାୟିତ୍ବକୁ ବି ଅତି ସୂଚାରରୂପେ ତୁଲାଇଥିଲେ ଭକ୍ତ ଦାସ ।
ଅପରପକ୍ଷରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ସମସ୍ତ ବିଧାୟକ ନୂଆ ପିସିସି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ତେରେଛା ବାଣ ମାରି କହିଛନ୍ତି ଭକ୍ତ ବାବୁ ଅଭିଜ୍ଞ ସତ ହେଲେ ଆଗକୁ ତାଙ୍କ ଆଗରେ ରହିଛି ଅନେକ ଆହ୍ବାନ । ତାସହ ଯେଉଁ ନିର୍ଦ୍ଦିଷ୍ଟ ପରିବାର ରାଜ୍ୟର ଖଣି ଖାଦାନକୁ ଲୁଟୁଛନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ବର ଉଠାଇ ପାରିବେ କି ବୋଲି ପଚାରିଛନ୍ତି ଶ୍ରୀକାନ୍ତ ।
ଅନ୍ୟପଟେ ରାଜନୀତି ସମୀକ୍ଷକ କହିଛନ୍ତି ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି । ଦଳର ସବୁ ବର୍ଗର ନେତା ଓ କର୍ମୀଙ୍କୁ ଏକାଠି ନେଇ ଚାଲିବା ଓ କଂଗ୍ରେସର ପୁରୁଣା ରୋଗକୁ ମ୍ୟାନେଜ୍ କରିବା ଭକ୍ତଙ୍କ ପାଇଁ ହେବ କାଠିକର ପାଠ । ଏବେ ଦେଖିବାର କଥା ରାଜ୍ୟ କଂଗ୍ରେସକୁ କେତେ ବଳ ଦେଉଛି ଏଆଇସିସିର ଭକ୍ତ ସଂଜିବନୀ ।