Illegal Quarrying In Balangir: ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ, ବଲାଙ୍ଗିରରେ କେବେ ବନ୍ଦହେବ ବେଆଇନ କ୍ରସର?

ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ । ବଲାଙ୍ଗିରରେ ଚାଲୁଛି ବେଆଇନ୍ କ୍ରସର । ଖବର ପ୍ରସାରଣ ପରେ ବି ପ୍ରଶାସନ ନିଦାବିଷ୍ଣୁ । ଏବେ ବି ଉଚ୍ଛବପାଲିରେ ଚାଲିଛି ବେଆଇନ କ୍ରସର । ବ୍ଲାଷ୍ଟିଂ ଯୋଗୁ ଘରେ ଘରେ ଫାଟ, ଲୋକ ଆତଙ୍କିତ ।

ବଲାଙ୍ଗିରରେ ଚାଲୁଛି ବେଆଇନ୍ କ୍ରସର ।

ମାଘ ମାସରେ ବାଘ ଖରା । ବଲାଙ୍ଗିରରେ ଅଧିକ ତାତି । ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ । ହରଦମ ଲୁଟ ହେଉଛି ଖଣି ଖାଦାନ । ଜିଲ୍ଳାରେ ପାଖାପାଖି ୧୦୦ଟି କ୍ରସର ପଂଜିକୃତ ହୋଇଛି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ କ୍ରସରର ଆଇନଗତ ଦଲିଲ ଦସ୍ତାବିଜ ନାହିଁ । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଲୁଟି ଚାଲିଛନ୍ତି ଜିଲ୍ଳାର ପାହାଡ ପର୍ବତ ଓ ଜଙ୍ଗଲ ।

ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ ବି ନିଦାବିଷ୍ଣୁ ପ୍ରଶାସନ । ଜାନୁୟାରୀ ୧୧ରେ ଓଟିଭିରେ ପ୍ରସାରଣ ହେଲା ବଲାଙ୍ଗିରରେ ବେଆଇନ୍ କ୍ରସର ସମ୍ପର୍କିତ ଖବର ଦେଖିଲେ ଖଣି ଅଧିକାରୀ ବୀର କିଶୋର ତୀର୍କି । ଲୁଟ୍ କୁ ନେଇ ଅସନ୍ତୋଷ ବି ପ୍ରକାଶ କଲେ । ହେଲେ ପ୍ରତିକ୍ରିୟା ଦେବାକୁ ମନା କଲେ । ଖବର ପ୍ରସାରଣକୁ ମାସେ ପୂରିବାକୁ ବସିଲାଣି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି ପ୍ରଶାସନ ।

ଏବେ ବି ଉଚ୍ଛବପାଲିରେ ଚାଲିଛି ମୁକେଶ ପଟେଲଙ୍କ ବେଆଇନ କ୍ରସର । ବ୍ଳାଷ୍ଟିଂ ପାଇଁ ଦିନରାତି ମେସିନ ଲଗାଇ ହୋଲ କରାଯାଉଛି । ଖଣି ଲୁଟ ହେଉଛି । ଏପରିକି ଦିଆଯାଇଥିବା ଟାର୍ଗେଟଠାରୁ କାହିଁ କେତେ ଗୁଣ ଅଧିକ ଖଣି ଖୋଳା ଚାଲିଛି । କିନ୍ତୁ ପ୍ରଦୁଷଣ ବିଭାଗ ତାଲିକାରେ ଏହି କ୍ରସରର ନାଁଗନ୍ଧ ନାହିଁ । କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅନ୍ୟ ଖଣି ମାଫିଆ ବି ସକ୍ରିୟ । ଫଳ ସ୍ବରୂପ ବିନା ଦଲିଲରେ ଆଉ ଦୁଇଟି କ୍ରସର ଲାଗିଲାଣି । ଏପଟେ ଆଉ ରହିବା ଯୋଗ୍ୟ ହୋଇରହିନାହିଁ ଉଚ୍ଛବପାଲି । ବ୍ଲାଷ୍ଟିଂ ଯୋଗୁ ଘରେ ଘରେ ଫାଟ । ସ୍କୁଲ କାନ୍ଥ ବି ବାଦ୍ ପଡ଼ିନି ।

ରାଜସ୍ବ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଳାପାଳ କହିଛନ୍ତି , ଖଣି ଅଧିକାରୀଙ୍କୁ କହି ତଦନ୍ତ କରାଯିବ । ହେଲେ ମୌନବ୍ରତ ଧାରଣ କରୁଛନ୍ତି ଖଣି ଅଧିକାରୀ । ପଥର କ୍ରସର ସ୍ଥାପନ କରିବା ପାଇଁ ପ୍ରଥମେ ଜିଲ୍ଳା ପ୍ରଶାସନ ପାଖରୁ ସି.ଟି.ଇ ବା କନସର୍ନ ଟୁ ଏଷ୍ଟାବ୍ଳିସମେଣ୍ଟ ଦିଆଯାଇଥାଏ । ଜିଲ୍ଳାପାଳ ସ୍ଥାପନ ହେଲା ପରେ ସି.ଟି.ଓ ବା କନସର୍ନଟୁ ଅପରେସନ ପାଇଁ ଅନୁମତି ଦେଇଥାନ୍ତି । କିନ୍ତୁ ବଡ଼କଥା ହେଲା ଜିଲ୍ଳାର ୯୦ ପ୍ରତିଶତ କ୍ରସରର ସି.ଟି.ଓ ନାହିଁ ।

ଅଧିକ ପଢ଼ନ୍ତୁ: କଟକ ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ନିୟମ ଅନୁଯାୟୀ ଗାଁର ଏକ କିଲୋମିଟର ଭିତରେ କ୍ରସର ରହିପାରିବ ନାହିଁ । କିନ୍ତୁ ଉଚ୍ଛବପାଲିରେ ମୁକେଶ ପଟେଲଙ୍କ ମନମାନି ନିଆରା । ହାଇକୋର୍ଟଙ୍କ ଅର୍ଡର ଅନୁସାରେ, ପ୍ରଦୂଷଣ ବିଭାଗର ନିୟମ ଅବମାନନା କରିଥିଲେ କ୍ରସର ଚାଲିପାରିବ ନାହିଁ । କ୍ରସରକୁ ତୁରନ୍ତ ବନ୍ଦ କରାଯିବ । କିନ୍ତୁ ବଲାଙ୍ଗିରରେ ନିୟମ କାନୁନକୁ ଫୁ କରିଦିଆଯାଇଛି । ଉପଜିଲ୍ଲାପାଳ ଭେରିଫିକେସନ କରୁଛୁରେ ଅଟକି ଯାଉଥିବା ବେଳେ ଲିଖିତ ଅଭିଯୋଗ ଦେବାପାଇଁ କହୁଛନ୍ତି ପ୍ରଦୂଷଣ ଅଧିକାରୀ ।

ଅଧିକ ପଢ଼ନ୍ତୁ: ଚୋରା କୋଇଲା ଡିପୋରେ ଚଢ଼ାଉ, ୧୪ ଅଟକ