• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାର୍‌ଙ୍କୁ ଯେତେ ଉଠାଇଲେ ବି ଉଠୁ ନାହାନ୍ତି । ଶୋଇଛନ୍ତି ଯେ ଶୋଇଛନ୍ତି । ଆଜ୍ଞା ହଁ.. ପିଲା ମାନେ ସ୍କୁଲରେ ସାର୍‌ଙ୍କୁ ଠେଲିପେଲି ଯେତେ ଉଠାଇଲେ ବି ଉଠୁ ନାହାନ୍ତି । ସାରେ ଉଠ ଉଠ ବୋଲି ପିଲାମାନେ ଯେତେ ଚିତ୍କାର କଲେ ବି ସାର କିଛି ଶୁଣୁ ନାହାନ୍ତି । ନା ହୁଲ ନା ଡୁଲ.. ସାରେ ପୁରା ଗଭୀର ନିଦ୍ରାରେ...

ଆପଣ ଏବେ ଟିକେ ଦ୍ୱନ୍ଦ୍ୱରେ ରହୁଥିବେ । ଆମେ କ’ଣ କହିବାକୁ ଚାହୁଁଛନ୍ତି । ଆଜ୍ଞା ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଞ୍ଚାୟତରେ ଥିବା ନୂଆଟିପିଲେଇ ସରକାରୀ ପ୍ରାଥମିକ ବିଦ୍ୟାଳୟର କଥା । ଏଠାକାର ଭାରପ୍ରାସ୍ତ ପ୍ରଧାନ ଶିକ୍ଷକ ସକାଳୁ ସ୍କୁଲ ଆସିଛନ୍ତି । ଆଉ ସ୍କୁଲକୁ ଆସି କ୍ଲାସ୍‌ରୁମ୍‌ରେ ଶୋଇପଡ଼ିଛନ୍ତି । ସେଇଠି ପିଲାମାନେ ବି ଅଛନ୍ତି । ସାର ଚଉକିରେ ବସି ବସି ଶୋଇପଡ଼ିଛନ୍ତି । ଆଉ ସାରଙ୍କୁ ଏତେ ମାତ୍ରାରେ ନିଦ୍ରାଦେବୀ ଗ୍ରାସ କରିଛନ୍ତି ଯେ, ଯେତେ ପେଲିଲେ ଠେଲିଲେ ଦୋହଲେଇଲେ ବି ସାରଙ୍କ ନିଦ ଭାଙ୍ଗୁନି ।

ଏବେ ଆପଣ ଟିକେ ଟିକେ ବୁଝିପାରୁଥିବେ.. ଆମେ କ’ଣ କହିବାକୁ ଚାହୁଁଛୁ । ଆଜ୍ଞା ହଁ... ସାର୍‌ଙ୍କୁ ଏମିତି ସେମିତି ସାଧା ନିଦ ହୋଇ ନାହିଁ । ସାର ସକାଳୁ ସକାଳୁ ଢ଼କଲମ୍‌ ମାରି କ୍ଲାସ୍‌ରୁମ୍‌ ଆସିଛନ୍ତି । ଆଉ ସେଇଠି ଶୋଇପଡ଼ିଛନ୍ତି । ନିଶା ଏତେ ଯେ, ପିଲାମାନେ ଯେତେ ଚିତ୍କାର କଲେ ବି ସେ କିଛି ଜାଣିପାରୁ ନାହାନ୍ତି କି ତାଙ୍କ ନିଦ ଭାଙ୍ଗୁନି । ସକାଳ ଯାଇ ଦିନ ଦୁଇ ପ୍ରହର ହୋଇଯାଇଥିଲେ ମଧ୍ୟ ନିଦ୍ରାରୁ ଉଠିନଥିଲେ ରବୀନ୍ଦ୍ରନାଥ । ସ୍କୁଲ ପିଲାଙ୍କ କହିବା କଥା ସାର ଅଧିକାଂଶ ସମୟରେ ଏମିତି ମଦ ପିଇ କ୍ଲାସ୍‌କୁ ଆସନ୍ତି । 

ତେବେ ସବୁଠାରୁ ବଡ଼ କଥା ହେଲା, ଏହି ସ୍କୁଲ ପାଇଁ ମାତ୍ର ଜଣେ ହିଁ ଶିକ୍ଷକ । ଆଉ ସେ ହେଉଛନ୍ତି ସେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାଙ୍କ ନାଁ ରବୀନ୍ଦ୍ରନାଥ ମୁର୍ମୁ । ସ୍ଥାନୀୟ ଲୋକଙ୍କ କହିବା କଥା ସ୍କୁଲକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଖୋଲା ମଦ ଦୋକାନ କରିଦେଇଛନ୍ତି । ଯାହାକୁ ଖୋଦ୍‌ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧରିଛନ୍ତି ।

ତେବେ ଏନେଇ ଛାତ୍ରଛାତ୍ରୀ ମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ l ବିଦ୍ୟାଳୟରେ ବାବୁଙ୍କର ହୋସ ଧିରେଧିରେ ଆସିବା ଆରମ୍ଭ ହୋଇଯାଇଥିଲା । କିନ୍ତୁ ପାଟିରୁ କଥା ଆଉ ବାହାରିନଥିଲା କିମ୍ବା ସିଧାରେ ଠିଆ ମଧ୍ୟ ହୋଇପାରୁନଥିଲେ ରବିନ୍ଦ୍ରନାଥ । କୁହାଯାଉଛି ଯେ ପୂର୍ବରୁ ମଧ୍ୟ ଏଭଳି ନିଶାସକ୍ତ ଅବସ୍ଥାରେ ଧରାପଡ଼ି କାର୍ଯ୍ୟରୁ ନିଲମ୍ବିତ ମଧ୍ୟ ହୋଇଥିଲେ ରବିନ୍ଦ୍ରନାଥ । ନିଲମ୍ବନ ଉଠିବା ପରେ ଗତ ୭ ମାସ ହେବ ସେ କାର୍ଯ୍ୟରେ ଯୋଗଦେଇଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now