• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ତା’ସହ ବିଷମ ହେଉଛି ଜଳ କଷ୍ଟ । କେଉଁଠି ଶୋଷିଲାଙ୍କ ପାଇଁ ଭଙ୍ଗା ଦଦରା ନଳକୂଅ ସାହା ତ କେଉଁଠି ଚୂଆ ମେଣ୍ଟାଉଛି ଶୋଷ । ପିଇବା ପାଣି ପାଇଁ ନିଇତି କରିବାକୁ ପଡୁଛି ସଂଘର୍ଷ । ହାତରେ ଗରା, ମାଠିଆ, ବାଲଟି ଧରି ମହିଳାଙ୍କ ମାର୍ଚ୍ଚ ବାହାରିଛି ସିଧା ବ୍ଲକ୍ ଅଫିସ ।

ଗରମରେ ସନ୍ତୁଳି ହେଉଥିବା ଗ୍ରାମବାସୀ ପିଇବାକୁ ପାଣି ଟୋପାଏ ନପାଇ ଘେରିଛନ୍ତି,ସରକାରୀ ଅଧିକାରୀଙ୍କୁ । ତେଲକୋଇ ଓରିଆ ପଂଚାୟତ ଜଟ ଗାଁର ଜଣେ ମହିଳାଙ୍କ ଅଭିଯୋଗ, ଅନୁସାରେ ଗାଁରେ ୪୦ ପରିବାର ପାଇଁ ଗୋଟିଏ ମାତ୍ର ନଳକୂଅ ରହିଛି । ପୂର୍ବରୁ ସେଥିରେ ଗୋଳିଆ ପାଣି ବାହାରୁଥିଲା, ଏବେ ନଳକୂଅ ହିଁ ଅଚଳ ।

ମହିଳା ଜଣକ ଯାହାକୁ ଯେତେ କହିଲେ ବି କେହି ଶୁଣିଲେନି, ଶେଷରେ ବାଧ୍ୟ ହୋଇ ଅଭିଯୋଗ ଶୁଣାଇବାକୁ ପହଁଚିଗଲେ ବ୍ଲକ୍ କାର୍ଯ୍ୟାଳୟରେ । ଅଫିସ ଆଗରେ ଗରା-ମାଠିଆ ଥୋଇ ପ୍ରତିବାଦ ଜଣାଇଲେ, ପରେ ବିଡିଓଙ୍କୁ ଭେଟି ନିଇତି ସାମ୍ନା କରୁଥିବା ସମସ୍ୟା ବି ଜଣାଇଲେ ।

ଭଦ୍ରକ ଚାନ୍ଦବାଲି ବ୍ଲକ୍ ର ନୂଆ ଗାଁ । ରାତି ପାହିଲେ ନଳକୂଅ ଆଗରେ ଲାଗେ ପାଣି ପାଇଁ ଭିଡ଼ । ଗରା, ମାଠିଆ, ବାଲଟି, ଡେକଚି, ଘରେ ଯାହା ଅଛି ସବୁତକ ଧରି ନଳକୂଅ ଆଗରେ ଠିଆ ମହିଳା । ନିଇତି ଚାଲେ ପିଇବା ପାଣି ପାଇଁ ତୁତୁ ମେମେ । କାରଣ, ଗାଁରେ ୭୦ ପରିବାରର ୪ଶହ ଲୋକଙ୍କ ପାଇଁ ରହିଛି ଗୋଟିଏ ମାତ୍ର ନଳକୂଅ ।

ସେହି ପାଣିରେ ଗାଧୋଇବାଠାରୁ ଲୁଗାସଫା ଓ ପିଇବା, ସବୁ କରିବାକୁ ପଡୁଛି । ଗାଁ ଲୋକଙ୍କ ଅଭିଯୋଗ, କେବଳ ଖରାଦିନ ନୁହେଁ, ଏଠି ପିଇବା ପାଣିର ଅଭାବ ସବୁଦିନିଆ । ଜିଲ୍ଲାପାଳ କିନ୍ତୁ କହିଛନ୍ତି, ନଳକୂଅ ନୁହେଁ, ମେଗା ପ୍ରକଳ୍ପ କରାଯିବ । ପିଇବା ପାଣି ପାଇଁ ସଂଘର୍ଷର ଆଉ ଏକ କାହାଣୀ ମୟୂରଭଂଜ କପ୍ତିପଦା ବ୍ଲକ୍ ପୁରୁଣାଡିହି ଗାଁର ।

ଏଠି ବି ରାତି ପାହିଲେ ଲାଗେ ପାଣି ଚିନ୍ତା । ହେଲେ ଏଠି ନଳକୂଅ ନାହିଁ, ପାଣି ପାଇଁ ଯିବାକୁ ପଡେ ପାଖ ଗାଡିଆକୁ । ବର୍ଷ ବର୍ଷ ଧରି ଏହି ଦୂଷିତ ପାଣି ପିଇ ବଂଚୁଛନ୍ତି ୪୦ରୁ ଅଧିକ ଅଦିବାସୀ ପରିବାର । ବାରମ୍ବାର ରୋଗରେ ପଡୁଛନ୍ତି, ହେଲେ ଏଥିପ୍ରତି ଯେମିତି କାହାର ନିଘା ନାହିଁ । ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଆଉ ତା’ସହ ତାଳ ଦେଇ ବଢିଚାଲିଛି ଜଳକଷ୍ଟ ।