• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସରକାରୀ ଚାକିରିରେ ଯାହା ଦରମା ମିଳୁଥିଲା, ତାହା କେବଳ ନାଁକୁ ଥିଲା । ବାବୁ ଯେତିକି ଉପୁରି ଆୟ କରୁଥିଲେ, ତା’ଆଗରେ ଦରମା କିଛି ବି ନୁହଁ । ଯେଉଁ ବାଟଦେଇ ବାବୁ ଅମାପ ସମ୍ପତ୍ତି ଠୁଳ କରି ବିଳାସମୟ ଜୀବନ ଜୀଉଁଥିଲେ, ତାହା ଦେଖି ସମସ୍ତେ ତାଟକା । ପର ଧନରେ କୁବେର ହେବାର ନିଶା ଘାରିଥିବା ଆଉ ଜଣେ ବାବୁ । ନାଁ ତାରାପ୍ରସାଦ ମିଶ୍ର । ଥିଲେ R & B ବିଭାଗର ମୁଖ୍ୟଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡରୁ ଯାହା ମିଳିଛି ତାହା ସମସ୍ତଙ୍କୁ ତାଟକା କରିଛି ।

ଘରୁ ମିଳିଛି ଭଳିକି ଭଳି ଚେନ୍ ସହ ହାର । ଏପରିକି ନଅଟି ହୀରାର ହାର ବି ମିଳିଛି । ଏଭଳି ଭାବେ ଦେଢ଼ କେଜିର ସୁନା ଅଳଙ୍କାର, ସୁନା ବିସ୍କୁଟ୍ ସହ କଏନ ମିଳିଛି । ନାମୀଦାମୀ ହାତଘଣ୍ଟା ଭିତରେ ୧୩ ଲକ୍ଷର ବ୍ରାଣ୍ଡେଡ୍ ରୋଲେକ୍ସ ବି ରହିଛି । ଗୋଟିଏ କି ଯୋଡ଼ିଏ ନୁହଁ, ଅଢ଼େଇ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୧୩ ଲକ୍ଷ ଯାଏଁ ମିଳିଛି ପ୍ରାୟ ୨୦ଟି ହାତଘଣ୍ଟା । ତା’ସହ ୬ଟି ରୂପାଥାଳି । ଦେଖିଲେ ଲାଗୁଛି, ତାରାଙ୍କ ୟେ ସତେ ଯେମିତି ମିନି ଜୁଏଲାରୀ ସୋ’ରୁମ୍ । 


ତାରାପ୍ରସାଦଙ୍କ ନୟାପଲ୍ଲୀ ଆପାର୍ଟମେଣ୍ଟରୁ ମିଳିଛି ବିଳାସମୟ ମର୍ସିଡିଜ୍ ସି କ୍ଲାସ୍ କାର୍ । ଯାହାର ମୂଲ୍ୟ ପ୍ରାୟ ଦେଢ଼ କୋଟି । ଏଭଳି 
ଆଉ ଏକ ଦାମୀ କାର୍ ବି ମିଳିଛି । ବାବୁଙ୍କ ଥାଟବାଟ କହୁଛି, ଚାକିରି ସମୟରେ ଜୀବନ ଜୀଉଁଥିଲେ କିଙ୍ଗସାଇଜ୍ । ୧୪ ଥର ବିଦେଶ ବୁଲିଛନ୍ତି । USAଠୁ ଆରମ୍ଭ କରି ୟୁଏଇ, କାନାଡା, ମେକ୍ସିକୋ, ସିଙ୍ଗାପୁର ଭଳି ଦେଶ ବୁଲି ଅୟସ କରିଛନ୍ତି । ଏହି ବିଦେଶୀ ମୁଦ୍ରା ସହ ଘରସଜା ସାମଗ୍ରୀ ହେଉଛି ତା’ର ଗୋଟିଏ ଗୋଟିଏ ନମୂନା ।

ଏସବୁ ବାଦ୍ ନୟାପଲ୍ଲୀ ଅର୍ପଣ ଫ୍ଲାଟକୁ ଛାଡ଼ିଦେଲେ ଭୁବନେଶ୍ୱର କସମୋପଲିସରେ ୨ଟି, ଫାଲକନ୍ କ୍ରେଷ୍ଟ ଓ କଟକ-ଭୁବନେଶ୍ୱର ରୋଡରେ ଥିବା ଗ୍ରାଣ୍ଡ ଆୱାସରେ ଗୋଟିଏ ଲେଖାଏଁ, ଆସୋଟେକରେ ୨ଟି ଫ୍ଲାଟ୍ ରହିଛି । ସେହିପରି ଝାରସଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ୩ଟି ଫ୍ଲାଟ, ଭୁବନେଶ୍ୱର, କଟକ ଓ ଜଟଣୀରେ ମୋଟ୍ ୭ଟି ଦାମୀ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ । ୨ କୋଟି ୭୦ ଲକ୍ଷର ବ୍ୟାଙ୍କ ଜମା, ନଗଦ ୬ ଲକ୍ଷ  ଟଙ୍କା ସହ ଲକର, ବୀମା ଓ ଫିକ୍ସଡ ଡିପୋଜିଟର ହିସାବ ଚାଲିଛି । ଝିଅର ମେଡିକାଲ ଶିକ୍ଷା ପାଇଁ ତାରା ୮୦ ଲକ୍ଷ ଖର୍ଚ୍ଚ କରିଥିବା ତଥ୍ୟ ପାଇଛି ଭିଜିଲାନସ । ଏଭଳି ତଥ୍ୟ ପରେ ରାଜ୍ୟର ୯ଟି ଜାଗାରେ ଭିଜିଲାନସ ଛାପା ମାରିଛି । 

୧୯୮୪ରେ ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ ତାରାପ୍ରସାଦ । ୨୦୨୩ ଜୁନରେ R & B ବିଭାଗର ମୁଖ୍ୟଯନ୍ତ୍ରୀ ପଦରୁ ଅବସର ନେଇଥିଲେ । କୁହାଯାଉଛି, ତତ୍କାଳୀନ ବିଜେଡି ସରକାରର ଗୁଡ୍ ବୁକରେ ଥିବା ତାରାଙ୍କ ପାଇଁ ୬ ମାସ କାଳ R & B ବିଭାଗର ମୁଖ୍ୟଯନ୍ତ୍ରୀ ପଦ ଖାଲି ରହିଥିଲା ।

ଭିଜିଲାନ୍ସର ଏଭଳି କ୍ରମାଗତ ଧରପଗଡ଼ ଭିତରେ ଗତ ୧୫ ଦିନ ମଧ୍ୟରେ ଏଭଳି ଚାରି ଚାରି ଜଣ କୁବେର ଯନ୍ତ୍ରୀ ଧରାପଡ଼ିଲେଣି । ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସୁନିଲ ରାଉତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ, OBCC କଟକ ଡିଭିଜନର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । କାହାଠୁ ମିଳିଛି ୧୦୫ଟି ପ୍ଲଟ୍ ଆଉ କାହା ପାଖରୁ ମିଳିଛି ୪୫ଟି । ଏଭଳି ଅମାପ ଆୟ ବହିର୍ଭୁତ ସଂପତ୍ତି ମିଳିଛି ଏହି ବାବୁ ମାନଙ୍କଠାରୁ । ତେବେ କାହା ଛତ୍ରଛାୟାରେ ଏମାନେ ଚଳାଇଥିଲେ ଆୟ ବହିର୍ଭୂତ ସଂପତ୍ତି ଠୁଳର କଳା କାରନାମା ? କେବଳ ଏତିକି ନା ଆହୁରି ବି ଅଛନ୍ତି ବଡ଼ ମାଛ ? 

OTV is now on Whatsapp

Join and get latest news update delivered to you via whatsapp

Join Now