Advertisment

Market Price Crisis in Odisha: ବଜାର ବୈଷମ୍ୟ, କାହାର ପୁଷମାସ ତ କାହାର ସର୍ବନାଶ

ଅଟା, ଡାଲି, ତେଲ ଦର ବଢୁଛି ହେଲେ ଲୋକଙ୍କ ରୋଜଗାର ବଢୁନି। କିଛିଦିନ ତଳେ ଆଳୁ, ଟମାଟୋର ଅଭାବ ଦେଖାଦେଇଥିଲା । ଏବେ ଚାଷୀ ଭୋଗୁଛନ୍ତି ଅଭାବୀ ବିକ୍ରି । ଅଭାବ ଅନଟନରୁ ବଲାଙ୍ଗୀର ମାଳପଡାର ଜଣେ ମହିଳା ନିଜ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରିବା ଘଟଣା ଅନେକଙ୍କୁ ବ୍ୟଥିତ କରିଛି । ବଜାର ବ୍ୟବସ୍ଥା ଓ ଦର ବୈଷମ୍ୟ କ୍ରମଶଃ ବିଷମ ହେବାରେ ଲାଗିଛି ।

Market Price

Market Price

Advertisment

୧୦କିଲୋ ଟମାଟୋ ବିକ୍ରି କଲେ ମଧ୍ୟ ଚାଷୀ ଏକ କିଲୋ ଡାଲି କିଣିବା ମୁସ୍କିଲ ! କେବଳ ଟମାଟୋ କାହିଁକି; ଯେକୌଣସି ପରିବାର ବଜାର ଦର ଯାହା ତାହା ତେଲ, ଡାଲି ଭଳି ସଉଦା ସାମଗ୍ରୀ ଅବା ଇନ୍ଧନ ନିକଟରେ ପହଞ୍ଚିବାକୁ ଚାଷୀ ଶକ୍ତି ଜୁଟାଇ ପାରିବା ସହଜ ସାଧ୍ୟ ନୁହେଁ । ଖାଲି ଚାଷୀ ନୁହେଁ, ଆୟ ଅନୁସାରେ ବଜାର ମହଙ୍ଗା ଦର ମେହନତି, ମଜୁରିଆ ଅବା ମଧ୍ୟବିତ୍ତ ଶ୍ରେଣୀକୁ ଚିନ୍ତାରେ ପକାଉଛି । ଅଟା, ଡାଲି, ତେଲ ଦର ବଢୁଛି ହେଲେ ଲୋକଙ୍କ ରୋଜଗାର ବଢୁନି। କିଛିଦିନ ତଳେ ଆଳୁ, ଟମାଟୋର ଅଭାବ ଦେଖାଦେଇଥିଲା । ଏବେ ଚାଷୀ ଭୋଗୁଛନ୍ତି ଅଭାବୀ ବିକ୍ରି । ଅଭାବ ଅନଟନରୁ ବଲାଙ୍ଗୀର ମାଳପଡାର ଜଣେ ମହିଳା ନିଜ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରିବା ଘଟଣା ଅନେକଙ୍କୁ ବ୍ୟଥିତ କରିଛି । ବଜାର ବ୍ୟବସ୍ଥା ଓ ଦର ବୈଷମ୍ୟ କ୍ରମଶଃ ବିଷମ ହେବାରେ ଲାଗିଛି । ରାଷ୍ଟ୍ର ଅର୍ଥନୀତିରେ ସ୍ଥିରତା ଆଣିବାକୁ ହେଲେ ଚାଷ କ୍ଷେତ୍ରରେ ବିକାଶ ଦିଗରେ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଏହାକୁ ହୃଦବୋଧ କରିବା ଜରୁରୀ ।

Advertisment

ଲୋକେ ଚଳିବେ କେମିତି ? 

ଟମାଟୋ କିଲୋ ୧୦ ଟଙ୍କା, କଲରା କିଲୋ ୨୫, ଭେଣ୍ଡି କିଲୋ ୧୫, ଝୁଡଙ୍ଗ ୨୦, ବାଇଗଣ ୨୦, ଜହ୍ନି ୨୫, କୋଶଳା ଶାଗ ୧୦ ଟଙ୍କାରେ ୫ ବିଡା; ଏପ୍ରିଲ ୨୦ ତାରିଖ ରବିବାର ରାଜଧାନୀର ଡମଣା ହାଟରେ କିଛି ଏହିଭଳି ଥିଲା ପରିବା ଦର । ତଟକା ପନିପରିବାର ଏଭଳି ଦରଦାମ ଶୁଣି ଆପଣ ତାଟକା ହୋଇପାରନ୍ତି । କାରଣ ଯେଉଁଠି ଗୋଡ଼ି, ବାଲି, ମାଟି ସୁନା ମୂଲ୍ୟରେ ବିକ୍ରି ହୁଏ; ମୁମ୍ବାଇ, ଦିଲ୍ଲୀ ଆଦି ମେଟ୍ରୋ ସିଟି ଭଳି ଯେଉଁଠି ଚଳିବା ବ୍ୟୟବହୁଳ ସେହି ଭୁବନେଶ୍ୱରରେ ଏଭଳି ଶସ୍ତା ପରିବା ଦର ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ । କିନ୍ତୁ ଥରେ ଭାବିଲେ ଦେଖି ଏଥିରୁ ବ୍ୟବସାୟୀ କେତେ ଲାଭ ପାଇବ ଆଉ ଚାଷୀ କେତେ ପାଇବ? ଅବଶ୍ୟ ରାଜ୍ୟର ଅଭାବୀ ବିକ୍ରିକୁ ଦୃଷ୍ଟିରେ ରଖି ୫୮ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ବର୍ତ୍ତମାନର ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି ।

ଅମଳ କରି ଅପଦସ୍ତ ଚାଷୀ

ଚଳିତ ବର୍ଷ ଶୀତ ନସରୁଣୁ ରାଜଧାନୀ ଉପକଣ୍ଠ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖାଦେଇଥିଲା । ଏଭଳି ସ୍ଥଳେ ପରିବା କ୍ଷେତକୁ କିଭଳି ପାଣି ମଡାଇଥିବ? କେତେ ଖର୍ଚ୍ଚାନ୍ତ ହୋଇଥିବ? କେତେ ମୂଲିଆ, ମଜୁରିଆ ଲାଗିଥିବେ? କେତେ ଝଡ ଝଂଜାରୁ ଉଦ୍ଧାର କରି ସୁନାର ପରିବା ଅମଳ କରିଛି? ଏହା ବାଦ ପୁଣି ପରିବହନ ଖର୍ଚ୍ଚ ରହିଛି । ଚାଷୀର ଲାଭ ତେଣିକି ଥାଉ, ଧାର କରଜ ସୁଝିପାରିବ କେତେ ଆଉ ପରିବାର ଚଳିବ କେମିତି?

Advertisment

ଅଧିକ ପଢ଼ନ୍ତୁ: ସମ୍ବଲପୁରରେ ଅଭିଯୋଗ ଶୁଣିଲେ ମଖ୍ୟମନ୍ତ୍ରୀ ;ସମାଧାନ ପାଇଁ ଲୋକଙ୍କୁ ଦେଲେ ପ୍ରତିଶ୍ରୁତି

ମହଙ୍ଗାରୁ ଅଭାବୀ ବିକ୍ରି

ତିନି ମାସ ତଳେ ଏହି ଚିତ୍ର ଥିଲା ଭିନ୍ନ! ପରିବା ବଜାରରେ ମହଙ୍ଗା ମାଡ ଖାଉଟିକୁ କନ୍ଦାଉ ଥିଲା । କୌଣସି ବି ପରିବା ୫୦ ଟଙ୍କାରୁ କମ୍ ନଥିଲା । ରାଜ୍ୟର ଅନେକ ସ୍ଥାନରେ ଚାଷୀ ଟମାଟୋ କିଲୋ ଟଙ୍କାଏ ଦୁଇଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏଭଳି କି ଅନେକ ସ୍ଥାନରେ କ୍ଷେତରେ ହିଁ ଟମାଟୋ ପଚି ନଷ୍ଟ ହେଉଛି । ଯେତେବେଳେ ଟମାଟୋ କିଲୋ ପ୍ରାୟ ୮୦ରୁ ୯୦ ଛୁଇଁଥିଲା କଟକ, ଭୁବନେଶ୍ୱର, ବ୍ରହ୍ମପୁର ଆଦି ସହର ବଜାର ବୁଲି ବୁଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତଦାରଖ କରିବା ଘଟଣା ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ଆଳୁ, ଟମାଟୋ ଭଳି ପରିବା ସଙ୍କଟ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଅଭାବୀ ବିକି୍ର ଦୂର କରିବାକୁ କି ପଦକ୍ଷେପ ନିଆଯାଇଛି? ଚାଷୀ କେମିତି ତାର ପନିପରିବା ପରିବାରୁ ଉଚିତ ମୂଲ୍ୟ ପାଇପାରିବ?

Advertisment

ଅଭାବରୁ ଶିଶୁ ବିକ୍ରି

ଲୋକଙ୍କ ଅଭାବ ଅନଟନର ବିଡମ୍ବିତ ଚିତ୍ର ବଲାଙ୍ଗୀରରୁ ନିକଟରେ ସାମ୍ନାକୁ ଆସିଛି । ମାଳପଡାର ଜଣେ ମହିଳା ନିଜ ଜନ୍ମକଲା ଶିଶୁ ପୁତ୍ରକୁ ବିକ୍ରି କରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାଙ୍କ କହିବା କଥା, ଅଭାବ ପାଇଁ ମୁଁ ମୋ ଛୁଆକୁ ପ୍ରତିପୋଷଣ କରିପାରିବି ନାହିଁ । ଛୁଆଟି କିଭଳି ଭଲରେ ରହିବ ସେଥିପାଇଁ ଅନ୍ୟ ହାତକୁ ଟେକିଦେଲି । ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣଙ୍କ ନିଜ ବାପ ଘରେ ରହୁଥିଲେ । ବାପା ଦିନ ମଜୁରିଆ ଏବଂ ମହିଳା ନିଜେ ମଧ୍ୟ ଅନ୍ୟଘରେ କାମଦାମ କରନ୍ତି । ଭଡାଘରେ ରହିବା ଓ ଚଳିବା ଚିନ୍ତା ଘାରିବା ପରେ ସେ ନିଜ ଶିଶୁପୁତ୍ରକୁ ବିକ୍ରି କରିବା ନିଷ୍ପତ୍ତି ନେଇଥିବା ଗଣମାଧ୍ୟମ ସମୁଖରେ ପ୍ରକାଶ କରିଥିଲେ । ଘଟଣାର ତଦନ୍ତ କରିବାକୁ ଶିଶୁମଙ୍ଗଳ କମିଟି ଦାବି କରିଛନ୍ତି ।

ରାସନ କାର୍ଡ ବିକଳ୍ପ ନୁହେଁ

ଅଭାବ ଅନଟନ ବା ଦାରିଦ୍ର୍ୟ ଦୂରୀକରଣ ଖାଦ୍ୟ ସୁରକ୍ଷା ଯୋଜନା ଦ୍ୱାରା ସମ୍ଭବ ବୋଲି କହିବା ଠିକ ହେବ ନାହିଁ । ରାଜ୍ୟରେ ୩.୩୦କୋଟି ହିତାଧିକାରୀଙ୍କୁ ସରକାର ରାସନ କାର୍ଡ ମାଧ୍ୟମରେ ଯେଉଁ ୫ କିଲୋ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି ତାହା ଅନ୍ୟାନ୍ୟ ସାମଗ୍ରୀର ଆବଶ୍ୟକତାକୁ ଦୂର କରିପାରିବ ନାହିଁ । ଲୋକଙ୍କ ଆର୍ଥକ ଅବସ୍ଥା ଓ ରୋଜଗାର ବୃଦ୍ଧି କରିବା କ୍ଷେତ୍ରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ତେବେ ଯାଇ ବଜାର ଦରଦାମ ସହିତ ସମାଜର ସବୁ ଶ୍ରେଣୀ ଟକ୍କର ଦେବାକୁ ସକ୍ଷମ ହୋଇପାରିବେ ।

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ:ଆଜିଠୁ ପାରଦ ଉପରମୁହାଁ; ବଢ଼ିବ ତାତି

Economy Vegetable Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ