ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛନ୍ତି ଶିଳ୍ପପତି । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ସରକାରଙ୍କ ଏହି ଉଦ୍ୟମ ପଛରେ ରହିଛି ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ସହଯୋଗ । ସେଇଥିପାଇଁ ଦେଶ ବିଦେଶରୁ ଓଡ଼ିଶା ଛୁଟି ଆସିଛନ୍ତି ନିବେଶକ । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗଦେବା ଅବସରରେ ବେଦାନ୍ତ ରିସୋର୍ସେସର ଅଧ୍ୟକ୍ଷ ଅନୀଲ୍ ଅଗ୍ରୱାଲ୍ କହିଛନ୍ତି ଯେ, ରାୟଗଡାରେ ବେଦାନ୍ତ ଏକ ଆଲୁମିନିୟମ୍ ପ୍ଲାଣ୍ଟ କରିବ । ବେଦାନ୍ତ ଆଲୁମିନିୟମ୍ କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି । ୩୦ ଲକ୍ଷ ଟନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ସେ କହିଛନ୍ତି ଯେ, ଏଥିରେ ଦେଢ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ । ଆଗକୁ ଷ୍ଟିଲ୍ ନୁହେଁ ଆଲୁମିନିୟମର ଯୁଗ ବୋଲି ସେ ମତ ଦେଇଛନ୍ତି । ଉଡାଜାହାଜ ଠାରୁ ଆରମ୍ଭ କରି ବୁଲେଟ୍ ଟ୍ରେନ୍ ପର୍ଯ୍ୟନ୍ତ ସବୁ ଆଲୁମିନିୟମରେ ତିଆରି ହେଉଛି । ଏବେ ନିବେଶକଙ୍କ ସମୟ ଆସିଗଲା ଓ ଓଡିଶା ମୋତେ ସ୍ୱର୍ଗ ଭଳି ଲାଗୁଛି ବୋଲି କହିଛନ୍ତି କହିଛନ୍ତି ଅନୀଲ୍ ।
ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ନିବେଶ କରିବ ଆଦିତ୍ୟ ବିର୍ଲା । ଏ ସଂପର୍କରେ ସୂଚନା ଦେଇ ଆଦିତ୍ୟ ବିର୍ଲା ମୁଖ୍ୟ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ, ଓଡ଼ିଶାରେ ଆଲୁମିନିୟମ ରିଫାଇନେରୀ ଏବଂ ଆଲୁମିନିୟମ୍ ସ୍ମେଲଟର କରିବାକୁ ଯୋଜନା କରିଛି ଆଦିତ୍ୟ ବିର୍ଲା । କେନ୍ଦୁଝରରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟରେ ୩୦ ରୁ ୪୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ JSW । ପସ୍କୋ ସହ ମିଶି ଏହି ପ୍ଲାଣ୍ଟ ବସାଇବାକୁ ଯୋଜନା କରିଛି JSW । ଏହା କହିଛନ୍ତି JSW ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ । ସେହିପରି ଟାଟା କଂପାନି ପକ୍ଷରୁ ମଧ୍ୟ ସଂପ୍ରସାରଣ କଥା କୁହାଯାଇଛି ।
ଅଧିକ ପଢ଼ନ୍ତୁ: ମୋଦିଙ୍କ ସମ୍ବୋଧନ: କହିଲେ-ସମ୍ଭାବନାର ଭୂଖଣ୍ଡ ଓଡ଼ିଶା
ଇଣ୍ଡିଆନ ଅଏଲ ୭୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲ କ୍ଷେତ୍ରରେ ହେବ ଏହି ପୁଞ୍ଜିନିବେଶ । ଏହା କହିଛନ୍ତି IOCL ଅଧ୍ୟକ୍ଷ ଏ ଏସ୍ ସାହାଣୀ ।
ଗୋପାଳପୁରରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ । ଏହି ଗ୍ରୁପର ମୁଖ୍ୟ ବିନୀତ ମିତ୍ତଲ କହିଛନ୍ତି, ଓଡ଼ିଶା ଲୋକ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତି । କୋଣାର୍କ ଏହାର ନିଦର୍ଶନ । ଆମ ଗ୍ରୁପ୍ ସୂର୍ଯ୍ୟ କିରଣ, ବାୟୁ ଓ ଜଳ ବ୍ୟବହାର କରି ଆମେ ଗ୍ରୀନ ପାୱାର ତିଆରି କରିବୁ । ଏହାକୁ ବ୍ୟବହାର କରି ଗୋପାଳପୁରରେ ହାଇଡ୍ରୋଜେନ୍ ଓ ଗ୍ରୀନ ଆମୋନିଆ ପ୍ଲାଣ୍ଟ ପ୍ରତିଷ୍ଠା କରିବୁ ବୋଲି ସେ କହିଛନ୍ତି । ଏହା ସହ ପାରାଦ୍ୱୀପରେ ନୂଆ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଏକ ଏମଓୟୁ ମଧ୍ୟ ସ୍ଵାକ୍ଷରିତ କରିବାକୁ ଯାଉଛି ।
ଆଜି ସ୍ବାକ୍ଷର ହେଉଛି ୫୪ MOU । ଏହା ଜରିଆରେ ରାଜ୍ୟକୁ ଆସିବ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ । ଏହା ଭିତରୁ ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଛି । ୨.୨୮ ଲକ୍ଷ କୋଟି ଟଙ୍କାର MOU ସ୍ବାକ୍ଷର କରିଛି ଆଦାନୀ । କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ MOU ହୋଇଛି । JSPL ଗ୍ରୁପ୍ ଅନୁଗୁଳସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି JSPL ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ MOU ସ୍ବାକ୍ଷର କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।