ରାସ୍ତା ଉପରେ ଧାରଣାରେ ବସିଲେ ଅଣପଞ୍ଜୀକୃତ ହବିଷ୍ୟାଳି

ବୃନ୍ଦାବତୀ ନିବାସ ସମ୍ମୁଖ ରାସ୍ତାରେ ହବିଷ୍ୟାଳିମାନେ ଧାରଣା ଦେଇଛନ୍ତି । ରାସ୍ତାରେ ହବିଷ୍ୟାଳିଙ୍କ ଧାରଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Habisyalis

ପୁରୀରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଅଣ ପଞ୍ଜୀକୃତ ହବିଷ୍ୟାଳି । ବୃନ୍ଦାବତୀ ନିବାସ ସମ୍ମୁଖ ରାସ୍ତାରେ ହବିଷ୍ୟାଳିମାନେ ଧାରଣା ଦେଇଛନ୍ତି । ରାସ୍ତାରେ ହବିଷ୍ୟାଳିଙ୍କ ଧାରଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସକାଳେ ମଧ୍ୟ ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ।

ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ପୁରୀରେ ହବିଷ୍ୟାଳିଙ୍କ ସୁବିଧା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଇଛି । ତେବେ ପଞ୍ଜୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ଥିଲା । ପଞ୍ଜୀକରଣ କରିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଯେଉଁମାନେ ଏଥର ପଞ୍ଜୀକରଣ କରିନାହାନ୍ତି, ଆଗାମୀ ବର୍ଷ ସେମାନେ ପଞ୍ଜୀକରଣ କରି ଆସିବାକୁ କହିଛନ୍ତି ଆଇନ ମନ୍ତ୍ରୀ । ହବିଷ୍ୟାଳିଙ୍କ ରହଣୀଠୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା ଶୃଙ୍ଖଳିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ରହିବାକୁ ଜାଗା ନାହିଁ; ବୃନ୍ଦାବତୀ ନିବାସରେ ହବିଷ୍ୟାଳିଙ୍କ ଆନ୍ଦୋଳନ

ସେପଟେ ଆଜି ସକାଳେ ମଧ୍ୟ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଥିଲେ ହବିଷ୍ୟାଳି । ସୂଚନା ଅନୁସାରେ କାର୍ତ୍ତିକ ମାସରେ ପୁରୀରେ ଲାଗିଛି ହବିଷ୍ୟାଳିଙ୍କ ଭିଡ଼ । ଶ୍ରୀକ୍ଷେତ୍ରରେ ହବିଷ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ହବିଷ୍ୟାଳି ଆସିଛନ୍ତି । ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି । ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଥିଲେ ହବିଷ୍ୟାଳି ।

ଚଳିତଥର ହବିଷ୍ୟାଳି ଯୋଜନାରେ ଅନଲାଇନରେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି । ମାତ୍ର ସିଟ୍ ସଂଖ୍ୟା ସୀମିତ ଥିବାରୁ ଅଧିକ ହବିଷ୍ୟାଳିମାନଙ୍କର ରହିବା ସମ୍ଭବପର ହେଉନି । ଏହାକୁ ବିରୋଧ କରି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ବୁଝାସୁଝା କରିଥିଲେ । ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ । ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଥିଲା ।

ଚଳିତଥର edistrict.odisha.gov.inରେ ହବିଷ୍ୟାଳିମାନେ ପଞ୍ଜିକରଣ କରିଥିଲେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତରୁ ଆସୁଥିବା ହବିଷ୍ୟାଳି ଏହି ଶିବିରରେ ରହିବାର ବ୍ୟବସ୍ଥା ହୋଇଛି। ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ବିଲଡିଂରେ ରଖାଯାଇଛି । ପୂର୍ବ ବର୍ଷ ଭଳି ଏଥିର ବି ହବିଷ୍ୟାଳିଙ୍କୁ ସବୁ ସୁବିଧା ହବିଷ୍ୟାଳିଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେମାନଙ୍କ ପାଇଁ ରହିବା ଓ ମହାପ୍ରସାଦ ସେବନ ବ୍ୟବସ୍ଥା କରିବ ପ୍ରଶାସନ ।