ଦିନେ କି ଅଧେ ନୁହେଁ, ମାସେ କି ବର୍ଷେ ବି ନୁହେଁ । ବର୍ଷ ବର୍ଷ ଧରି ବେଆଇନ ମଦର ପସରା ବସାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ମାଫିଆ । ଗଞ୍ଜାମ ଜିଲ୍ଲା ହେଉ କିମ୍ବା ରାଜଧାନୀରୁ ରାଜ୍ୟବ୍ୟାପୀ । ଘନ ଘନ ରେଡ୍ ଭିତରେ ମାଟି ଭିତରୁ ମୁଣ୍ଡ ଟୁଙ୍ଗାରୁଛି ବେଆଇନ ମଦ ମାଫିଆଙ୍କ ଅସଲ ଚେହେରା । ଆଉ ସେଭଳି ମଦ କେମିତି ବିଷ ପାଲଟି ପ୍ରାଣ ନେଉଛି ଗଞ୍ଜାମ ଚିକିଟିରେ, ତା’ର ଅଙ୍ଗେନିଭା କାହାଣୀ ବଖାଣିଛନ୍ତି ଭୁକ୍ତଭୋଗୀଙ୍କ ପରିବାର ।
ମଦ ଆଜି ଯେଉଁ ଦଶା କରିଛି, ଏହି ଜୀବଦଶାରେ ଆଉ ଭୁଲି ପାରିବେନି ପରିବାର । ଭେଣ୍ଡିଆ ପୁଅ ଆଖି ବୁଜିଦେଇଛି...ଘର ଏବେ ମୂରବୀଶୂନ୍ୟ ହୋଇଯାଇଛି । ବିଷାକ୍ତ ମଦ ବିଭୀଷିକା ଭିତରେ ଦୁଇ ଦୁଇ ଜଣଙ୍କ ଜୀବନ ଚାଲିଯିବା ପରଠୁ ଛାତି କୋରି ହୋଇଯାଉଛି । ଉଜୁଡ଼ିଯାଇଛି ଗଞ୍ଜାମ ଜିଲ୍ଲା ଜେନାପୁର ଗାଁର ପରିବାର ।
ମଦ ପାନ ପରେ ପ୍ରାଣ ହରାଇଛନ୍ତି ଜୁରା ବେହେରା । ବାହୁନି ବାହୁନି କାନ୍ଦୁଛି ଜୁରାଙ୍କ ପରିବାର । ଚାଷ କାମ ସାରି ସାହିର କିଛି ବ୍ୟକ୍ତିଙ୍କ ସହ ମିଶି ଏକାଠି ମଦପାନ କରିଥିଲେ । ଆଉ ତା’ପରଠୁ ଜଣଙ୍କ ପରେ ଜଣେ କେମିତି ଅସୁସ୍ଥ ହୋଇ ମେଡ଼ିକାଲ ଯାଇଥିଲେ ତାହା ବଖାଣିଲା ବେଳକୁ ଲୁହ ଛଳ ଛଳ ମୃତ ଜୁରାଙ୍କ ଝିଅ ।
Also Read
ଅଗଷ୍ଟ ୧୯ ତାରିଖ । ଗାଁ ମୁଣ୍ଡରେ ଥିବା ମାଉନ୍ଦପୁର ଗାଁକୁ ଯାଇ ମଦ ପିଇଥିଲେ ପ୍ରାୟ ୧୫ ଜଣ । ତାପରଠୁ ଜୁରା ବେହେରା ଓ ପଡ଼ୋଶୀ ଯୁବକ ଲୋକନାଥ ବେହେରାଙ୍କ ଜୀବନ ଚାଲିଯାଇଥିଲା ବ୍ରହ୍ମପୁର MKCGରେ । ଆଜି ନିସ୍ତବ୍ଧ ଲୋକନାଥଙ୍କ ଘର ପରିବାର । ମଦ ବିଭୀଷିକାର କାହାଣୀ ବଖାଣି ଭାଙ୍ଗିପଡ଼ିଛନ୍ତି ବୃଦ୍ଧା ମା’ ।
ତେବେ ମାଉନ୍ଦପୁର ଗାଁର କିଏ ସେହି ମଦ ବେପାରୀ, ଯାହାର ବିଷାକ୍ତ ମଦ ପିଇ ଆଜି ଏତେବଡ଼ କାଣ୍ଡ ଘଟିଗଲା ? କାହାଠୁ ମଦ ଆଣି ପସରା ମେଲାଇଥିଲା ସେହି ମାଉନ୍ଦପୁର ଗାଁରେ ? ଏଭଳି ପ୍ରଶ୍ନ ଭିତରେ ମାଉନ୍ଦପୁରର ରାଜେନ୍ଦ୍ର ସାହୁକୁ ଗିରଫ କରିଛି ପୋଲିସ । ଯିଏ ମୁଖ୍ୟ ଅଭିଯୁକ୍ତଠାରୁ ମଦ ଆଣି ବିକ୍ରି କରୁଥିଲା ରାଜେନ୍ଦ୍ର ।
ଏଭଳି ବେଆଇନ ମଦ ମାଫିଆଙ୍କ ସହ ବିଜେଡି ଲିଙ୍କ୍ ଧିରେ ଧିରେ ପଦାକୁ ଆସୁଛି । ମଦ ବେପାର ପଛରେ ବିଜେଡି ନେତା ସୁରେନ୍ଦ୍ର ମଣ୍ଡଳଙ୍କ ହାତ ଥିବା ଅଭିଯୋଗ ଆଣି କାଲି ବିଜେଡିକୁ ନିଶାନା କରିଥିଲେ ଚିକିଟି ବିଧାୟକ । ଗୋଟେ ଫଟୋରେ ବିଜେଡି ନେତା ସୁରେନ୍ଦ୍ର ମଣ୍ଡଳଙ୍କ ସହ ପୂର୍ବତନ ମନ୍ତ୍ରୀ ଉଷାଦେବୀଙ୍କ ପୁଅ ତଥା ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେବ ଥିବା ଭାଇରାଲ ହେଉଛି ।
ତେବେ ଏନେଇ ଉଷାଦେବୀ କିମ୍ବା ତାଙ୍କ ପୁଅଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଥିଲେ ସୁରେନ୍ଦ୍ର । ଏସବୁ ଭିତରେ ରାଜ୍ୟବ୍ୟାପି ଜାରି ରହିଥିବା ଧରପଗଡ଼ ଭିତରେ କେଉଁଠୁ ନଦୀପଠାରେ ଠାବ ହୋଇଛି ଦେଶୀ ମଦଭାଟି ତ ଆଉ କେଉଁଠି ମାଟିତଳୁ ମିଳିଛି ବିପୁଳ ପୋଚ । ଚିକିଟି ଶାସନ ଗାଁର ନଦୀପଠାରେ ଚାଲିଥିବା ବେଆଇନ ଦେଶୀମଦ ଭାଟିର ଖୁଲାସା କରିଛି ଅବକାରୀ ବିଭାଗ ।
ପୁରୀ କୃଷ୍ଣପ୍ରସାଦ ବ୍ଳକର ସେନପାଟାନା ଗାଁରେ ମାଟିତଳେ ପୋତାଯାଇଥିଲା ହଜାର ହଜାର ଲିଟର ଦେଶୀ ମଦ । ପ୍ରାୟ ୫ହଜାର ଲିଟରରୁ ଅଧିକ ଦେଶୀ ମଦ ଓ ପୋଚକୁ ମାଟିତଳୁ ଏଭଳି ଉଦ୍ଧାର କରି ନଷ୍ଟ କରିଛି ପୋଲିସ । ପୁରୁଣା ବାଲେଶ୍ୱର ନିକଟରେ ବି ଦେଶୀ ମଦଭାଟିରେ ଅଚାନକ ଚଢାଉ କରି ବିପୁଳ ମଦ ସହ ପୋଚ୍ ନଷ୍ଟ କରାଯାଇଛି । ଏଣେ ଗଞ୍ଜାମରୁ ଭୁବନେଶ୍ୱରକୁ ଚାଲାଣ ବେଳେ ମିଳିଛି ୫୫୦ ଲିଟର ଦେଶୀ ମଦ । ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ବିପିନ ନାହାକ ।