/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724660424.jpg)
Son Refuses Final Rite
କଥାରେ ଅଛି ବାପା ଥିଲା ପୁଅ ସଭାରେ ହାରେନା । ଏହି ଲୋକ କଥାଟିକୁ ବିଭିନ୍ନ ସମୟରେ କୁହାଯାଏ । ହେଲେ କିଛି ସ୍ୱାର୍ଥବାଦୀ ପୁଅଙ୍କ ପାଇଁ ଏହି କଥାଟିର ମର୍ଯ୍ୟାଦାହାନୀ ହେବାକୁ ବସିଲାଣି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି, ଯାହା ଜାଣିଲେ ଆପଣଙ୍କ ବି କହିବେ ଧିକ୍ ଏମିତି ପୁଅକୁ ।
ପୁଅଟିଏ ପାଇଁ ଶହେ ମାନସିକ ପୂଜାପାଠ କରିଥାନ୍ତି ବାପ ମାଆ । ଆଶାଥାଏ ପୁଅ ଅନ୍ତିମ ସଂସ୍କାର ସମୟରେ ସବୁ କର୍ମ କରିବ କିନ୍ତୁ ଭଦ୍ରକର ଜଣେ ବାପାଙ୍କ ଭାଗ୍ୟରେ ଏତିକି ବି ନାହିଁ । ଶବ ଶ୍ମଶାନକୁ ନେବା ପାଇଁ କାନ୍ଧ ଦେବାକୁ ଆସିଲାନି ଏକମାତ୍ର ପୁଅ । ଦୁଇ ଭଉଣୀ ଏବଂ ପଡ଼ୋଶୀଙ୍କ ସହଯୋଗରେ ହେଲା ଶେଷକୃତ୍ୟ ସମ୍ପନ୍ନ । ଭଦ୍ରକ ବନ୍ତ ଥାନା ଦେବତାଗଡ଼ିଆ ଗାଁର ୬୫ ବର୍ଷୀୟ ରଙ୍ଗାଧର ଜେନାଙ୍କର ଗତ ୨୨ ରାତ୍ରୀରେ ମୃତ୍ୟୁ ଘଟିଥିଲା ।
ଦୀର୍ଘ ଦିନ ଧରି ମଧୁମେୟ ରୋଗରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମାତ୍ର ରଙ୍ଗାଧରଙ୍କ ଔରସରୁ ଜନ୍ମ ହୋଇଥିବା ଏକମାତ୍ର ପୁଅ ଅକ୍ଷୟ ଜେନା ପରିବାର ଠାରୁ କିଛି ବର୍ଷ ହେବ ଅଲଗା ହୋଇ ନିଜ ଶ୍ଵଶୁର ଘରେ ରହିଆସୁଥିଲେ । ଗତକାଲି ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ନିଜ ପରିବାର ନିକଟରେ ପହଞ୍ଚି ଶେଷକୃତ୍ୟ ସମ୍ପନ୍ନ ହୋଇପାରିବ ନାହିଁ ବୋଲି ରୋକ୍ ଠୋକ୍ କହି ଚାଲିଯାଇଥିଲେ ।
ଶେଷରେ ନିରୁପାୟ ହୋଇ ରଙ୍ଗାଧରଙ୍କ ଆତ୍ମୀୟ ସ୍ୱଜନ, ଝିଅ ଏବଂ ପଡ଼ୋଶୀ କାନ୍ଧରେ ନେଇ ଶ୍ମଶାନ ନିକଟରେ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ସେପଟେ ଜନ୍ମକଲା ପୁଅର ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)