Drowning Death in Bhadrak: ମାମୁଘର ବୁଲି ଆସିଥିଲେ, ପୋଖରୀରେ ବୁଡ଼ି ଗଲା ଦୁଇ ଭଉଣୀଙ୍କ ଜୀବନ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଭୁଟାନାସିରେ ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ମାମୁଘରକୁ ବୁଲିବାକୁ ଆସିଥିବା ବେଳେ ବୁଡିଗଲେ ।

ପାଣିରେ ବୁଡି ଦୁଇ ଶିଶୁ ମୃତ

ମାମୁଙ୍କ ଦେହ ଖରାପ ଥିଲା । ମାମୁଙ୍କୁ ଦେଖିବାକୁ ବାପାମାଆ ସହ ମାମୁଘରକୁ ବୁଲି ଆସିଥିଲେ ଦୁଇ ଭଉଣୀ । ହେଲେ ପୋଖରୀରେ ପଡି ଏକାସଙ୍ଗେ ଚାଲିଗଲା ଦୁଇ ଜଣକ ଜୀବନ । ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡିହି ଥାନା ଅନ୍ତର୍ଗତ ଭୁଟାନାସି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଦୁଇ ଶିଶୁକନ୍ୟା ହେଲେ ୬ ବର୍ଷୀୟ ଚାନ୍ଦିନୀ ମଣ୍ଡଳ ଓ ନନ୍ଦିନୀ ମଣ୍ଡଳ । 

ସୂଚନା ଅନୁଯାୟୀ, ଚାନ୍ଦବାଲି ବ୍ଲକ କରଣପଲ୍ଲି ଗାଁର ରତନ ମଣ୍ତଳ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ ଧରି ଭୁଟାନାସି ଗାଁରେ ନିଜ ଶ୍ୱଶୁର ଘରକୁ ଆସିଥିଲେ । ତାଙ୍କ ଶଳାର ସ୍ୱାସ୍ଥ୍ୟ ଖରାପ ଥିଲା । ରତନ ଓ ତାଙ୍କ ପତ୍ନୀ ଶଳାକୁ ନେଇ ମେଡିକାଲକୁ ଯାଇଥିଲେ । ଏହି ସମୟରେ ଶ୍ୱଶୁର ଘରେ ଥିବା ତାଙ୍କର ଦୁଇ ଝିଅ କୌଣସି କାରଣବଶତଃ ଏକ ପୋଖରୀରେ ପଡି ଯାଇଥିଲେ ।

ଅଧିକ ପଢନ୍ତୁ: ବାଲେଶ୍ୱରକୁ ବ୍ୟାପିଲା ଝାଡ଼ାବାନ୍ତି, ଆଉ ୩ ଜିଲ୍ଲା ଗସ୍ତ କରିବ ସରକାରୀ ଟିମ

ମାମୁଘର ଲୋକେ ବହୁ ଖୋଜାଖୋଜି କରିବା ପରେ ଦୁହେଁ ପୋଖରୀରେ ପଡିଯାଇଥିବା ଦେଖିବାକୁ ପାଇଥିଲେ । ଦୁଇ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସେଠି ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଦୁଇ ଝିଅଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର ।