Subhadra Yojana Registrations: 'ସୁଭଦ୍ରା': କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି, ୩୧ ସୁଦ୍ଧା ଆବେଦନ କଲେ ମିଳିବ ୨ କିସ୍ତି

ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ଆବେଦନକାରୀ ମହିଳାଙ୍କୁ ।

Subhadra Yojana Registrations

ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ଆବେଦନକାରୀ ମହିଳାଙ୍କୁ । ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ ।

ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ୨ଟି କିସ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ମଧୁବାବୁ ଭତ୍ତା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତା’ଠୁ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡ଼ା ୮୦ ପ୍ରତିଶତ କିମ୍ବା ତା’ଠୁ ଅଧିକ ଭିନ୍ନକ୍ଷମ ଥିବା ହିତାଧିକାରୀଙ୍କ ଭତ୍ତା ରାଶି ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ: ବାଣ ନେଲା ଜୀବନ ! ପ୍ରଚଣ୍ଡ ବିସ୍ଫୋରଣରେ ଉଡ଼ିଲା ଛାତ

ଏହା ଚଳିତ ମାସରୁ ହିଁ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ମିଳିଛି । ତା’ମଧ୍ୟରୁ କୃଷି ଉଦ୍ୟୋଗୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ରୋଜଗାର ଏବଂ ୠଣ ଦେବା ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି ।

ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା ପାଇଁ ୩୦ ହଜାର ଟଙ୍କା କେନ୍ଦ୍ର ସରକାର ସବସିଡି ଦେଉଥିବାବେଳେ ରାଜ୍ୟ ସରକାର ୨୫ ହଜାର ଟଙ୍କା ଅତିରିକ୍ତ ସବସିଡି ଦେବେ ବୋଲି ନିଷ୍ପତ୍ତି ହୋଇଛି ରାଜ୍ୟ କ୍ୟାବିନେଟରେ । ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ବ୍ୟାଙ୍କ ୠଣ ପାଇଁ ସରକାରୀ ଗ୍ୟାରେଣ୍ଟି ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି ।

ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା