/odishatv-khabar/media/post_attachments/uploadimage/library/16_9/16_9_0/Elephant_1754289058.jpg)
Elephant
ଦୁଆରେ ହାତୀ, ଛାତ ଉପରେ ମଣିଷ। ଦନ୍ତା ହାତୀ ଭୟରେ ଗୃହବନ୍ଦୀ ଗାଁର ବହୁ ପରିବାର। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ରାଇପଦାରେ ମାତିଛି ଦନ୍ତା ହାତୀ।
କିଛି ଦିନ ଧରି ହାତୀଟି ଜନବସତି ଅଞ୍ଚଳରେ ବୁଲୁଥିବାରୁ ଘରୁ ପଦାକୁ ବାହାରି ପାରୁ ନାହନ୍ତି ଲୋକେ। ସ୍ଥିତି ଏମିତି ଯେ, ଲୋକେ ଭୟରେ ଛାତ ଉପରେ ହିଁ ଆଶ୍ରୟ ନେଉଛନ୍ତି। ଦନ୍ତା ହାତୀ ଘର ଅଗଣା ଛାଡ଼ି ଯାଉନଥିବା ବେଳେ, ଲୋକେ ପିଲା ଛୁଆଙ୍କୁ ଧରି ବର୍ଷାରେ ବି ଛାତ ଉପରେ ରହୁଛନ୍ତି। କାଳେ ହାତୀ ଆକ୍ରମଣ କରିବ ଏବଂ ଜୀବନ ନେଇଯିବ, ସେହି ଆଶଙ୍କାରେ ନିଜକୁ ଛାତ ଉପରେ ହିଁ ସୁରକ୍ଷିତ ଭାବୁଛନ୍ତି ଲୋକେ।
ସେହିଭଳି ରାଇପଦାର କିଛି ଲୋକେ ଘର ଦ୍ବାର ଛାଡ଼ି ଅନ୍ୟ ଅଞ୍ଚଳକୁ ମଧ୍ୟ ପଳାଇ ଯାଇଛନ୍ତି। ଜଙ୍ଗଲ ନିକଟରେ ବସବାସ କରୁଥିବା ଲୋକେ ଜଙ୍ଗଲକୁ ଆଉ ଜୀବନ ଜୀବିକା ଓ ଜାଳେଣି କାଠ ପାଇଁ ମଧ୍ୟ ଯାଇ ପାରୁ ନାହାନ୍ତି। ଏମିତିକି ହାତୀ ଭୟରେ ଲୋକେ ରାତିରେ ଶୋଇ ପାରୁନଥିବା ଅଭିଯୋଗ କରିଛନ୍ତି। ସେପଟେ ବନ ବିଭାଗ ହାତୀ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଥିଲେ ବି ଏଥିରେ ସଫଳ ହୋଇପାରି ନାହିଁ।
ପାଖାପାଖି ୪ ମାସ ହେଲାଣି ଆମ ଅଞ୍ଚଳରେ ହାତୀ ବୁଲୁଛି। କେତେ ମଣିଷ, ଗାଇଗୋରୁ ମାରିସାରିଲାଣି। ହାତୀ ଭୟରେ ଜଙ୍ଗଲକୁ କାଠପତ୍ର ସଂଗ୍ରହ ପାଇଁ ଯାଇପାରୁନୁ। ରାତିରେ ଘରୁ ବାହାରି ପାରୁନୁ। ହାତୀ ପାଇଁ ସରକାର ବିଦ୍ୟୁତ୍ କାଟୁଛନ୍ତି। ଏଥିଯୋଗୁ ଅଧିକ ଭୟଭୀତ ହୋଇଯାଉଛୁ। କାରଣ ହାତୀର ଗତିବିଧି ଜାଣିପାରୁନୁ। ହାତୀ ଅଚାନକ ଆସି ଦୁଆର ପାଖରେ ପହଞ୍ଚି ଘର ଭାଙ୍ଗୁଛି, ଅତର୍କିତ ଆକ୍ରମଣ କରୁଛି ବୋଲି ଜଣେ ଗ୍ରାମବାସୀ କହିଛନ୍ତି। ଏଥିସହ ତୁରନ୍ତ ହାତୀ ଘଉଡ଼ାଇବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)