• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି । 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି । ଏହିକ୍ରମରେ ଏମିତି ଏକ ସ୍କୁଲର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ବୋଧହୁଏ ପୂର୍ବରୁ ଆପଣ କେବେ ଦେଖିନଥିବେ। ମାତ୍ର ୨ଟି କ୍ଲାସରୁମରେ ଚାଲିଛି ୧୦ଟି ଶ୍ରେଣୀର ପାଠପଢ଼ା । ଗୋଟିକରେ ପ୍ରଥମରୁ ଷଷ୍ଠ, ଆଉ ଗୋଟିଏରେ ସପ୍ତମରୁ ଦଶମ।

ରୂପାନ୍ତରଣ ନାଁରେ ଭୂଆଁ ବୁଲାଣର ଭଣ୍ଡାଭୋଡ୍ । ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ନାଁରେ 5Tର ଧୂଆଁବାଣ । ବାହାରେ ଚମକୁଛି ସବୁଜ ରଙ୍ଗ । ଚକାଚକ୍ ଦିଶୁଛି ସରକାରୀ ସ୍କୁଲ୍ । ହେଲେ ଭିତରକୁ ଗଲେ ଶିକ୍ଷାଦାନର ବିକଳ ଚିତ୍ର ଦେଖି ମୁଣ୍ଡ ଘୁରେଇବ। ରାୟଗଡ଼ା ଜିଲ୍ଲା ଢାମୁଣିପାଙ୍ଗା ପଞ୍ଚାୟତର କତାଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଗୋଟିଏ କ୍ଲାସରୁମକୁ ୪ ଶିକ୍ଷକ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗୋଟିଏ କ୍ଲାସରୁମରେ ହିଁ ପାଠ ପଢୁଛନ୍ତି ୪ଟି କ୍ଲାସର ପିଲା। ବ୍ଲାକବୋର୍ଡକୁ ଚକରେ ଗାର ଟାଣି କରାଯାଇଛି ୪ ଭାଗ । ବାମରୁ ଡାହାଣ ଯାଏଁ ଲେଖାଯାଇଛି ସପ୍ତମ, ଅଷ୍ଟମ, ନବମ ଆଉ ଦଶମ । ପିଲାବି ବସିଛନ୍ତି ଧାଡ଼ିବାନ୍ଧି । ଶୁଭୁଛି ଘୋ ଘା...ପ୍ରଧାନଶିକ୍ଷକଙ୍କଠୁ ଆରମ୍ଭ କରି ଯିଏ ଯାହାର ବିଷୟ ଧରି ପଢ଼ାଇ ଚାଲିଛନ୍ତି ଏଭଳି ଭାବେ କ୍ଲାସରୁମ ନଥିବାରୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଖୁନ୍ଦାଖୁନ୍ଦି ଅବସ୍ଥା । ପିଲା କହୁଛନ୍ତି, ଚକାଚକ୍ ନୁହେଁ, ବରଂ ଆମକୁ ଅଲଗା କ୍ଲାସରୁମ ଦିଅ ।

ସେମିତି ପ୍ରଥମରୁ ଷଷ୍ଠ ପିଲାଙ୍କ ଅବସ୍ଥା । ଗୋଟିଏ ରୁମରେ ଚାଲିଛି ୬ଟି କ୍ଲାସ୍ । ୧୯୬୩ରେ ପ୍ରତିଷ୍ଠିତ ଏହି ପୂରାତନ ସ୍କୁଲରେ ଅଛି ମାତ୍ର ୫ଟି କୋଠରୀ । ଗତବର୍ଷ ଏହି ସ୍କୁଲକୁ 5T ଅନ୍ତର୍ଭୁକ୍ତ କରି ରୁପାନ୍ତରଣ କରାଗଲା । ୫ଟି କୋଠରୀରୁ ୨ଟିକୁ ଇ-ଲାଇବ୍ରେରୀ ଏବଂ ସାଇନ୍ସ ଲାବୋରାଟୋରୀ କରାଯାଇଥିବା ବେଳେ ଅନ୍ୟ ଏକ ରୁମକୁ ଅଫିସ୍ ଭାବେ ବ୍ୟବହାର କରାଯାଉଛି । ବଳକା ୨ଟି ରୁମରେ ଏଭଳି ଦୟନୀୟ ଭାବେ ଗଢ଼ାଯାଉଛି ୯୪ ପିଲାଙ୍କ ଭବିଷ୍ୟତ । 

 

ଅବଶ୍ୟ ଅତିରିକ୍ତ କ୍ଳାସରୁମ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁରୀ କରି ଗତ ନଭେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । କିନ୍ତୁ କାମ ସରିବ କ’ଣ, ଆରମ୍ଭ ହିଁ ହୋଇନାହିଁ । ସମସ୍ୟା ସମ୍ପର୍କରେ ବିଡିଓ, ତହସିଲଦାରଙ୍କୁ ଅବଗତ କରିଛନ୍ତି ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଶିକ୍ଷକ। ଜିଲ୍ଲା ଶିକ୍ଷାଧିକାରୀ ବି ସ୍ଥିତି ଦେଖିଛନ୍ତି। ଅଥଚ କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସଂପର୍କରେ ବିଡ଼ିଓ କିମ୍ବା ତହସିଲଦାରଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ BEOଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

  • Reported by:
  • Maudi Barik