• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କଥାରେ ଅଛି ପ୍ରେମ ଓ ରାଜନୀତିରେ ସବୁ କିଛି ସମ୍ଭବ । ବିଶେଷ କରି ରାଜନୀତିରେ ନିଜ ପଦ ବଞ୍ଚାଇବାକୁ ଅନେକ ରୋଚକ ଘଟଣା ଘଟିଥାଏ । ଏପରି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ଜଣେ ସରପଞ୍ଚ । କୋଭିଡ ସମୟରେ ଜିଲ୍ଲାପାଳଙ୍କ କ୍ଷମତା ପାଇଥିଲେ ସରପଞ୍ଚ, ମାତ୍ର ସାମାନ୍ୟ ଅନାସ୍ଥାରୁ ବର୍ତ୍ତିବା ପାଇଁ ଜଣେ ସରପଞ୍ଚ ଯେଉଁ ଉପାୟ ଆପଣାଇଛନ୍ତି ତାହା ଏବେ ଆଲୋଚନାର ବିଷୟ ପାଲଟିଛି ।

ପୂରା ଘଟଣା ଯେତିକି ରୋଚକ, ସେତିକି କୌତୁହଳପୂର୍ଣ୍ଣ । ଭାଇରାଲ ହେଉଥିବା ଭିଡିଓରେ ଏକାଧିକ ବ୍ୟକ୍ତି ଉପସ୍ଥିତ ଅଛନ୍ତି । ଘଞ୍ଚ ଜଙ୍ଗଲ ଭିତରେ କୁକୁଡା ମାଂସ ଭୋଜିଭାତ ଜମିଛି । ଜଣେ ବ୍ୟକ୍ତି ସାଷ୍ଟାଙ୍ଗ ପ୍ରଣିପାତ ହେଉଛନ୍ତି । ଜଣ ଜଣ କରି ସମସ୍ତଙ୍କ ଗୋଡ଼ ଧରି ମୁଣ୍ଡିଆ ମାରୁଛନ୍ତି । ଦୀର୍ଘ ସମୟ ଧରି ସାଷ୍ଟାଙ୍ଗ ପ୍ରଣାମ କଲା ପରେ, କିଛି ଲୋକ ଦୟାପରବଶ ହୋଇ ଉଠାଇ ଦେଉଛନ୍ତି । ଘଟଣାUg ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ବଡବାଙ୍କି ପଞ୍ଚାୟତର ବୋଲି ଜଣାପଡ଼ିଛି । ପଞ୍ଚାୟତର ଆଠଜଣ ୱାର୍ଡମେମ୍ବର ରାଣ ଖାଇ, ଉପ-ଜିଲ୍ଳାପାଳଙ୍କୁ ଅନାସ୍ଥା ପାଇଁ ଲିଖିତ ଦେଇଛନ୍ତି । ତେଣୁ ଅନାସ୍ଥାରୁ ବର୍ତ୍ତିବା ପାଇଁ ଗୋଡହାତ ଧରି ନେହୁରା ହେଉଛନ୍ତି ସରପଞ୍ଚ ।

ମୁଣ୍ଡିଆ ମାରୁଥିବା ବ୍ୟକ୍ତିଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ମାଓପ୍ରବଣ ଇଲାକା ବଡବାଙ୍କି ପଞ୍ଚାୟତର ସରପଞ୍ଚ ଡୋଳାଧର ବାଗ । ତାଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । ଆଠଜଣ ୱାର୍ଡମେମ୍ବର ଅନାସ୍ଥା ପାଇଁ ପ୍ରସ୍ତୁତ ହେଇଛନ୍ତି । ଏହା ଜାଣିବା ପରେ ଗାଁ ନିକଟରେ ଏକ ଭୋଜିର ଆୟୋଜନ କରିଛନ୍ତି ସରପଞ୍ଚ । କୁକୁଡା ମାଂସ ଭୋଜିରେ ଅନାସ୍ଥା ଆଣିଥିବା ୮ ଜଣ ସଦସ୍ୟଙ୍କ ମନ ପରିବର୍ତ୍ତନ ପାଇଁ ଆୟୋଜନ କରିଛନ୍ତି । ଖାଲି ସେତିକି ନୁହେଁ, ଅନାସ୍ଥାରୁ ବଞ୍ଚିବା ପାଇଁ ସାଷ୍ଟାଙ୍ଗ ପ୍ରଣିପାତ କରି ଗୋଡ଼ ଧରି ସଂପୃକ୍ତ ୱାର୍ଡମେମ୍ବରଙ୍କୁ ମୁଣ୍ଡିଆ ମାରିଥିଲେ ସରପଞ୍ଚ ବାବୁ । 

ସୂଚନା ଅନୁସାରେ, ଗତ ଜୁଲାଇ ୨୩ ତାରିଖରେ ପଞ୍ଚାୟତରେ ବୈଠକ ଡାକିଥିଲେ ୱାର୍ଡମେମ୍ବର ବିଳାସ ମାଝି । ୧୨ ଜଣ ୱାର୍ଡମେମ୍ବରଙ୍କ ମଧ୍ୟରୁ ଉପସ୍ଥିତ ଥିଲେ ୮ ଜଣ ସଦସ୍ୟ । ସରପଞ୍ଚ ଡୋଳାଧର ବାଗଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ପ୍ରଥମେ ପଞ୍ଚାୟତରେ ଲିଖିତ ପ୍ରସ୍ତାବ ଗୃହିତ କରିଥିଲେ ସଦସ୍ୟ । ତାପରେ ସିଧାସଳଖ ନିକଟରେ ଥିବା ତନ୍ତ୍ରପୀଠ ରାଣିପୁର ଝରିଆଲକୁ ଯାଇ ଯେକୌଣସି ପରିସ୍ଥିତିରେ ଅନାସ୍ଥା ଆଣିବାକୁ ରାଣ ଖାଇଥିଲେ । ଆଉ ସେହିଦିନ ୮ ଜଣ ୱାର୍ଡମେମ୍ବର ଟିଟିଲାଗଡ ଉପ-ଜିଲ୍ଳାପାଳକୁ ଲିଖିତ ଭାବେ ଜଣାଇଥିଲେ । 

ଆଉ ଏସବୁ ଜାଣିବା ପରେ ବିପଦ ଟାଳିବାକୁ ଲାଗିପଡ଼ିଛନ୍ତି ସରପଞ୍ଚ ବାବୁ । କ୍ଷମତାରେ ରହିବା ପାଇଁ ଭୋଜିଭାତ ଦେଇ ମୁଣ୍ଡିଆ ମାରିବାକୁ ବି ପଛାଇ ନାହାନ୍ତି । କିନ୍ତୁ କେଉଁ କାରଣରୁ ଏତେ ଦିନ ଧରି ଉପ-ଜିଲ୍ଳାପାଳ କୌଣସି ପଦକ୍ଷେପ ନେଇନଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ମାତ୍ର ଏବେ ମୁଣ୍ଡିଆ ମାରିବା ଘଟଣା ପ୍ରଘଟ ହେଲା ପରେ, ତୁରେକେଲା ବିଡିଓଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି ଟିଟିଲାଗଡ ଉପ-ଜିଲ୍ଲାପାଳ । 

 

 

  • Reported by:
  • MANARANJAN JOSHI , Antim Panigrahi

OTV is now on Whatsapp

Join and get latest news update delivered to you via whatsapp

Join Now