ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ । ଟ୍ରାଙ୍କୁଲାଇଜ୍ କରି ଜିନ୍ନତକୁ ଓଡ଼ିଶା ଫେରାଇ ଅଣାଯିବ । ଏ ନେଇ ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ । ଶିମିଳିପାଳରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ । ମହାବଳର ଗତିବିଧି ଉପରେ ନଜର ରଖିଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ । ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ଠିକଠାକ୍ ଥିବା ନେଇ ବାରିପଦା ଆରସିସିଏଫ ସୂଚନା ଦେଇଛନ୍ତି ।
ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି । ଶିମିଳିପାଳରୁ ଜିନ୍ନତ ଯିବାର ଦଶ ଦିନ ହେବାକୁ ବସିଲାଣି ହେଲେ ଜିନ୍ନତ ଶିମିଳିପାଳ ଫେରିବାର ନାଁ ଧରୁନାହିଁ । ଜିନ୍ନତ ଗୁରୁବାର ରାତିରେ ଝାରଖଣ୍ଡରୁ ଯାଇ ପଶ୍ଚିମବଙ୍ଗର ବେଲପାହାଡି ଜଂଗଲକୁ ପଳାଇଛି ।
ସୂଚନା ଅନୁସାରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଥିଲା । ଶିମିଳିପାଳର ଏନକ୍ଲୋଜରରୁ କୋର ଏରିଆ ଭିତରେ ଛାଡି ଦିଆଯାଇଥିବା ବେଳେ ଗତ ୧୦ ଡିସେମ୍ବରରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା । ଜିନ୍ନତ ଶରୀରରେ ଲାଗିଥିବା ଜିପିଏସକୁ ଟ୍ରାକିଂ କରି ସ୍ୱତନ୍ତ୍ର ଟିମ୍ ଏବେ ତା’ ଗତିବିଧି ସଂପର୍କରେ ଅନୁଧ୍ୟାନ ଚଳାଇଛି ।
Also Read
ଅଧିକ ପଢ଼ନ୍ତୁ: ବଦଳିଲା ନିୟମ; ଏଣିକି ପ୍ରାର୍ଥୀଙ୍କୁ ମିଳିବନି ପୋଲିଂ ବୁଥ୍ ସିସିଟିଭି ଫୁଟେଜ୍ ଓ ଇ-ରେକର୍ଡ
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ଶିମିଳିପାଳରେ ପୂର୍ବରୁ ଅନେକ ମହାବଳ ଅଛନ୍ତି । ଖାଦ୍ୟର ବି ଅଭାବ ନାହିଁ । କିନ୍ତୁ ହୁଏତ, ମହାରାଷ୍ଟ୍ରରୁ ଏ ଦୁଇ ବାଘୁଣୀ ଆସିବା ପରେ ଇଲାକାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ହୋଇଥାଇପାରେ । ଅଥବା ନିଜସ୍ୱ ଟେରିଟୋରି ତିଆରି ପାଇଁ ସେମାନେ ଶିମିଳିପାଳ ଛାଡ଼ି ଥାଇପାରନ୍ତି ।
ଯଦି ଏଭଳି ହୋଇଥାଏ, ସେମାନଙ୍କର ଶିମିଳିପାଳ ଫେରିବାର ସମ୍ଭାବନା ଯଥେଷ୍ଟ ରହିଛି । ଅନ୍ୟପଟେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜଙ୍ଗଲରୁ ଜଙ୍ଗଲ ବୁଲିବା ମହାବଳଙ୍କ ପାଇଁ ଏକ ସ୍ୱାଭାବିକ ପ୍ରକ୍ରିୟା । ଯମୁନା ଓଡ଼ିଶା ସୀମା ଭିତରେ ରହିଛି । ଜିନ୍ନତ ବି ଧୀରେ ଧୀରେ ଶିମିଳିପାଳ ମୁହାଁ ହେଲାଣି ।
ଇନ୍ ବ୍ରିଡିଂ ରୋକିବା ସହ ମହାବଳ ବଂଶ ବିସ୍ତାର ଲାଗି ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ପ୍ରଥମେ ବାଘୁଣୀ ଯମୁନା ଓ ପରେ ପରେ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା । ପ୍ରଥମେ ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଚାଲିଯାଇଥିଲା, ଆଉ ଏବେ ଯମୁନା ବି ଶିମିଳିପାଳ ଛାଡ଼ି କୁଲଡିହା ଅଭୟାରଣ୍ୟରେ । ହେଲେ ଦୁଇ ବାଘୁଣୀ ଶିମିଳିପାଳ ଛାଡ଼ିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ଶିମିଳିପାଳରୁ ମୁହଁ ଫେରାଇ ନେଉଛନ୍ତି ?