ଭଞ୍ଜନଗରରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଗାଁକୁ ଗାଁ ବୁଲୁଛି, ଗାଈ ବାଛୁରୀ ଶିକାର କରି ଖାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ମହାବଳକୁ ଠାବ କରିପାରୁନି ବନ ବିଭାଗର କ୍ୟାମେରା ।

Tiger

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବୁଲୁଛି ମହାବଳ ବାଘ । ଗାଁକୁ ଗାଁ ବୁଲୁଛି, ଗାଈ ବାଛୁରୀ ଶିକାର କରି ଖାଉଛି । ଯାହାକୁ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ମହାବଳକୁ ଠାବ କରିପାରୁନି ବନ ବିଭାଗର କ୍ୟାମେରା ।

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଅଧୀନରେ ଥିବା ମୁଜାଗଡ଼, ଜଗନ୍ନାଥପ୍ରସାଦ, କେନ୍ଦ୍ରୀୟ ବନାଞ୍ଚଳରେ ଚାରି ମାସ ହେବ ଏକ ମହାବଳ ବାଘ ବୁଲୁଛି । ବନ୍ତା, ବୁଦୁଲି, ଖଣ୍ଡିକୋଟ, ଦିଗୀ, କେଶରା ଭଳି ୧୫ଟି ଗାଁରେ ଏହି ବାଘ ପଶି ଗାଈ, ବାଛୁରୀ, ମଇଁଷିକୁ ମାରି ଖାଇଛି । ବାଘ ଗୃହ ପାଳିତ ପଶୁକୁ ମାରି ଖାଉଥିବା ଖବର ପ୍ରଚାର ହେବା ପରେ ଗୋପାଳକ ଓ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶିଛି । ବନ ବିଭାଗ ତୁରନ୍ତ ବାଘକୁ ଘଞ୍ଜ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ

ବାଘ ମୁହଁରୁ ଗୃହପାଳିତ ପଶୁଙ୍କୁ ରକ୍ଷା କରିବା ପାଇଁ ରାତିରେ ବିଭିନ୍ନ ଗାଁର ଲୋକେ ଏକତ୍ରିତ ହୋଇ ଗୃହ ପାଳିତ ପଶୁଙ୍କୁ ରକ୍ଷା କରୁଛନ୍ତି । ହାତରେ ଠେଙ୍ଗା, ଟର୍ଚ୍ଚ, ନିଆଁ ହୁଳା ଧରି ଗାଈ ଗୋରୁଙ୍କୁ ସୁରକ୍ଷା ଦେଉଛନ୍ତି । ଅନ୍ୟପଟେ ଯେଉଁଠି ଗାଈ ଗୋରୁଙ୍କୁ ବାଘ ଶିକାର କରି ମାରିଛି ସେଠାକୁ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିବା ସହ ଗୋପାଳକମାନଙ୍କୁ କ୍ଷତି ପୂରଣ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ କ୍ଷତିପୂରଣ ଦିଆଯାଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ତେବେ ତୁରନ୍ତ ଏ ଦିଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଗନଗଲେ ଆଗକୁ ପରିସ୍ଥିତି ଗୁରୁତର ହେବ ବୋଲି ଆଶଙ୍କା କରାଯାଉଛି।