• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି । ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଦିନକ ପାଇଁ ଠପ୍ ଅବିଭକ୍ତ କୋରାପୁଟ । ରାଜ୍ୟ ସରକାର ତୁରନ୍ତ ରାଜ୍ୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ବନ୍ଦ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଦାବିରେ ଅଭିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ।

ଏଇ ୪ ଜିଲ୍ଲାର ବିଭିନ୍ନ ସାମାଜିକ, ରାଜନୈତିକ ଓ ଅନ୍ୟାନ୍ୟ ସଂଗଠନଙ୍କୁ ଏକାଠି କରି ଆଜି ରାସ୍ତାକୁ ଓହ୍ଲାଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି । କୋରାପୁଟ ଜିଲ୍ଲା ଜୟପୁର ସହର .. ୧୨ ଘଣ୍ଟିଆ ବନ୍ଦ ପାଳନ ଲାଗି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ପିକେଟିଂ । ୨୬ ନମ୍ବର ଜାତୀୟ ରାଜପଥରେ ଏକାଠି ହୋଇଥିଲେ ଦଳମତ ନିର୍ବିଶେଷରେ ସବୁ ଦଳ ଓ ସଂଗଠନର ନେତା ।

ଆଉ ଜିଲ୍ଲାରେ ଶିକ୍ଷକ ଅଭାବ ଓ ରାଜ୍ୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ବନ୍ଦ ଦାବିରେ କରିଥିଲେ ଜୋରଦାର ନାରାବାଜି । ସେହିଭଳି ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ଛକ, ବଜାର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବନ୍ଦ ପାଳନ କରିଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ଫଳରେ ଏ ୪ ଜିଲ୍ଲାରେ ସ୍କୁଲ, କଲେଜ, ଅଫିସ, ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଆଜି ଗୋଟିଏ ଦିନ ପାଇଁ ଅଚଳ ହୋଇପଡ଼ିଥିଲା ।

ରାସ୍ତାରେ ଚକ-ଅଖ ବନ୍ଦ ଫଳରେ ଠପ୍ ହୋଇଥିଲା ଜୀବନଯାତ୍ରା । ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଏଭଳି ଦୁର୍ବାର ଆନ୍ଦୋଳନ ପଛର କାରଣ କ'ଣ ? ଗତ ମାସ ୨୭ ଓ ୨୮ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ୮୬୦ ଜୁନିଅର ଶିକ୍ଷକ ନିଯୁକ୍ତି ଲାଗି ଚୟନ ହୋଇଥିବା ପ୍ରାର୍ଥୀ ଚୁକ୍ତିନାମା ପାଇଁ ଆସିଥିଲେ ।

ତା ଭିତରୁ ନବରଙ୍ଗପୁର ଜିଲ୍ଲାରୁ ଥିଲେ ମାତ୍ର ୧୩୪ ଜଣ । ତେଣୁ ବାହାର ଜିଲ୍ଲାର ପିଲାଙ୍କୁ ଏଠାରେ ନିଯୁକ୍ତିକୁ ଘୋର ବିରୋଧ କରିଥିଲେ ସ୍ଥାନୀୟ ଗଣ ସଂଗଠନର ସଦସ୍ୟ । ଏହାକୁ ନେଇ ତୁମୁଳ କାଣ୍ଡ ଦେଖିବାକୁ ମିଳିଥିଲା । ସେହିଭଳି ଗତ ୩୦ ତାରିଖରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ୫୫୦ ଜୁନିୟର ଟିଚର ପଦରେ ନିଯୁକ୍ତି ଲାଗି ଚୁକ୍ତିନାମା ଦାଖଲ ଦିନ ଦେଖାଦେଇଥିଲା ସମାନ ସ୍ଥିତି ।

ଏଠି ବି ଜିଲ୍ଲା ଭିତରୁ ଥିଲେ ମାତ୍ର ୬୦ ଜଣ । ଜିଲ୍ଲାବାସୀଙ୍କ ଅଭିଯୋଗ, ରାଜ୍ୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଅସ୍ତ୍ର କରି ଆଦିବାସୀ ଅଧ୍ୟୁଷିତ ଏ ଜିଲ୍ଲାରେ ଅନ୍ୟ ଜିଲ୍ଲାର ଆଶାୟୀମାନେ, ଚାକିରି କରିବା ପରେ ନିଜ ଜିଲ୍ଲାକୁ ବଦଳି ହୋଇ ଯାଉଛନ୍ତି । ଫଳରେ ଜିଲ୍ଲାରେ ଶିକ୍ଷକଙ୍କ ଯେଉଁ ଅଭାବକୁ ସେହି ଅଭାବ ଲାଗି ରହୁଛି ।

ସେପଟେ ନିଜ ଜିଲ୍ଲାର ପିଲା ଚାକିରି ନପାଇ, ଦାଦାନ ଖଟିବାକୁ ବାହାରକୁ ଯାଉଛନ୍ତି । ତେଣୁ ରାଜ୍ୟ ଭିତ୍ତିକ ବଦଳରେ ପୁଣି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କରି ସେଦିନର ବିରୋଧ ଅନ୍ୟ ଜିଲ୍ଲାକୁ ବ୍ୟାପିବା ସହ ଏବେ ଗଣ ଆନ୍ଦୋଳନର ରୂପ ନେଇଛି । ସେପଟେ ଏ ଆନ୍ଦୋଳନ ପଛରେ ବିରୋଧୀଙ୍କ ଭୂମିକାକୁ ଚର୍ଚ୍ଚାରେ ଥିବା ବେଳେ ଆଦିବାସୀଙ୍କୁ ନେଇ ରାଜନୀତି ହେଉଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ।

ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ବେଳେ ଆଗରୁ ଜିଲ୍ଲା ଭିତ୍ତିରେ ନିଯୁକ୍ତି ବ୍ୟବସ୍ଥା ପ୍ରଚଳନ ଥିଲା । କିନ୍ତୁ ୨୦୧୧ ରେ ରାଜ୍ୟର ତତ୍କାଳୀନ ବିଜେଡି ସରକାର, ଏ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି, ଏହାକୁ ରାଜ୍ୟ ଭିତ୍ତିକ କରିବା ପରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଏ ଅସଙ୍ଗତି ସୃଷ୍ଟି ହୋଇଥିବା କୁହାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now