Advertisment

ପ୍ରଚଣ୍ଡ ଖରାରେ ଲୁଚକାଳି ଖେଳୁଛି ବିଜୁଳି, ରାଜଧାନୀରେ ବି ୩ରୁ ୪ଘଣ୍ଟା ଗୁମ୍ ହୋଇଯାଉଛି କରେଣ୍ଟ

ପ୍ରଶ୍ନ ଉଠୁଛି, ଶକ୍ତି ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶାରେ କାହିଁକି ହେଉଛି ପାୱାର କଟ୍ ? କ’ଣ ଏହା ପଛର ବାସ୍ତବ କାରଣ ?

author-image
Santosh Kumar Sahoo
undefined

Power Cut

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କଷ୍ଟକୁ ବଳିଯାଉଛି ବିଜୁଳି ଯନ୍ତ୍ରଣା । କେଉଁଠି ଅଘୋଷିତ ପାୱାର୍ କଟ୍ ତ’ ଆଉ କେଉଁଠି ଲୋ' ଭୋଲଟେଜ ଆଳରେ ଉପଭୋକ୍ତାଙ୍କୁ ଦିନରେ ଡିବିରି ଦେଖାଉଛି ଟାଟା ପାୱାର। ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ କାହିଁକି ଏମିତି ବିଜୁଳି ସଙ୍କଟ ?

Advertisment

ହନ୍ତସନ୍ତ କରୁଛି ଘନ ଘନ ଅଘୋଷିତ ପାୱାର କଟ୍। ଗାଁରେ ବିଜୁଳି କାଟ୍ ଯୋଗୁ ହଇରାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଦହିମାଛ ଗାଁର ବାସୁଦେବ ସାମଲ। ହେଲେ ଦେହ ଭଲ ନଥିବାରୁ ଭୁବନେଶ୍ୱର ରସୁଲଗଡ଼ରେ ରହୁଥିବା ଝିଅ ଘରକୁ ଆସି ଆହୁରି ଦହଗଞ୍ଜ ହେଉଛନ୍ତି। ଏଠି ନିଇତି ରାତିରେ ୩-୪ ଘଣ୍ଟା ବିଜୁଳି କଟୁଥିବାରୁ ସେ ଶାନ୍ତିରେ ଟିକେ ଶୋଇ ବି ପାରୁନାହାନ୍ତି। ଖାଲି ଅଘୋଷିତ ବିଜୁଳି କାଟ୍ ନୁହେଁ, ପାୱାର ଫ୍ଲକ୍ଚୁଏସନ୍ ବି ଭୁବନେଶ୍ୱରବାସୀଙ୍କ ରହିବା ମୁସ୍କିଲ କରିଦେଲାଣି। କେତେବେଳେ ଲୋ ଭୋଲଟେଜ୍ ଯୋଗୁ ପଙ୍ଖା ଘୁରୁନି ତ’ ଆଉ କେତେବେଳେ ଅଧିକ ଭୋଲଟେଜ୍ ଆସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ଦେଉଛି। ଏମିତିକି ସମସ୍ୟାର ସମାଧାନ ଲାଗି ଅଭିଯୋଗ କଲେ, ଟାଟା ପାୱାର କର୍ତ୍ତୃପକ୍ଷ ବିଭିନ୍ନ ବାହାନା ଦେଖାଉଥିବା ଅଭିଯୋଗ ଆଣିଛନ୍ତି ରାଜଧାନୀବାସୀ। ଏନେଇ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ପ୍ରଶ୍ନ ଉଠୁଛି, ଶକ୍ତି ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶାରେ କାହିଁକି ହେଉଛି ପାୱାର କଟ୍ ? କ’ଣ ଏହା ପଛର ବାସ୍ତବ କାରଣ ? State Load Despatch Centre- SLDC ତଥ୍ୟ କହୁଛି, ଏବେ ରାଜ୍ୟର ପିକ୍ ବିଦ୍ୟୁତ୍ ଚାହିଦା ୬ ହଜାର ୨୯୨ ମେଗାୱାଟ୍ । ହେଲେ ବିଭିନ୍ନ ଉତ୍ସରୁ ମାତ୍ର ୫ ହଜାର ୫୮୫ ମେଗାୱାଟ୍ ଯୋଗାଡ଼ କରିବାରେ ସମର୍ଥ ହେଉଛି ରାଜ୍ୟ। ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାୱାଟ୍ ଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୬୩୫ ମେଗାୱାଟ୍। ଅନ୍ୟପଟେ ଫେବ୍ରୁଆରୀ ମାସରେ ଲୋକାର୍ପିତ ଏନ୍ଟିପିସି ଦର୍ଲିପାଲି ପାୱାର ପ୍ଲାଣ୍ଟର ୮୦୦ ମେଗାୱାଟ୍ ବିଶିଷ୍ଟ ଦୁଇଟି ୟୁନିଟରୁ ଗୋଟିଏରୁ ଉତ୍ପାଦନ ବନ୍ଦ ରହିଛି । ଏମିତିକି ୩୫୦ ମେଗାୱାଟ୍ ବିଶିଷ୍ଟ ଢେଙ୍କାନାଳ ଜିଏମ୍ଆର୍ ପାୱାର ପ୍ଲାଣ୍ଟ ବି ଅଚଳ ପଡ଼ିଛି। ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ କମୁଥିବାରୁ ପାୱାର କଟ୍ ହେଉଛି। ଏହାଛଡ଼ା ଶିଳ୍ପଜଗତକୁ ବି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି।

Advertisment

ଗୋଟିଏ ପଟେ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ, ଅନ୍ୟପଟେ ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ତାଳ ଦେଇ ଆହୁରି ବଢ଼ିବ ବିଦ୍ୟୁତ୍ ଚାହିଦା। ଏହା ଆଗକୁ ରାଜ୍ୟରେ ବିଜୁଳି ସଙ୍କଟ ଘନେଇବାର ସଙ୍କେତ ନୁହେଁ ତ ?

TATA Power Power Cut
Advertisment
Advertisment