• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସାବଧାନ! ଆକ୍ସନ ମୋଡ୍‌ରେ ବନ ବିଭାଗ । ସୋସିଆଲ ମିଡିଆରେ ଛାଡ଼ି ନାହାନ୍ତି ତ ବନ୍ୟଜନ୍ତୁଙ୍କ ଫଟୋ କି ଭିଡିଓ ? ମହଙ୍ଗା ପଡ଼ିପାରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ୍ । ୭ ବର୍ଷ ଯାଏଁ ଜେଲ ସହ ଦେବାକୁ ପଡ଼ିପାରେ ଲକ୍ଷେ ଟଙ୍କା ତଣ୍ଡ । ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇବା ପରେ, କାଲି ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ । ଗିରଫ ହୋଇଛନ୍ତି ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍ ।

ବନ ବିଭାଗର ବାରମ୍ବାର ଚେତାବନୀକୁ ଖାତିର ନକରି, ସେ ବେଆଇନ ଭାବେ ସାପ ଧରୁଥିଲେ ଏବଂ ସେହି ଭିଡିଓକୁ ୟୁଟ୍ୟୁବ୍ ଓ ଫେସବୁକ ଆଦିରେ ଛାଡ଼ୁଥିଲେ ବୋଲି ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ବିଭାଗର କଡ଼ା ତାଗିଦ ପରେ ଲକ୍ଷ ଲକ୍ଷ ସବସ୍କ୍ରାଇବର ଓ ଫଲୋଅର ଥିବା ତାଙ୍କ ଆକାଉଣ୍ଟ କଣ୍ଟେଣ୍ଟକୁ ସସ୍ପେଣ୍ଡ କରିଛନ୍ତି ଫେସବୁକ୍ ଓ ୟୁଟ୍ୟୁବ କର୍ତ୍ତୃପକ୍ଷ । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜଙ୍ଗଲୀ ଜୀବଜନ୍ତୁ ଆମର ଖେଳଣା ନୁହନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରିବା, ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ବନ ବିଭାଗ ଜଏଣ୍ଟ ଟାସ୍କଫୋର୍ସର କ୍ରାଇମ ସେଲ ଏଭଳି ପୋଷ୍ଟ ଉପରେ ନଜର ରଖୁଛି ।

ଫଟୋ ଓ ଭିଡିଓ ଉଠାଇ ଆପଣଙ୍କ ମଜା, କିନ୍ତୁ ବିଚରା ବନ୍ୟଜନ୍ତୁଙ୍କ ପାଇଁ ବନିପାରେ ବଡ଼ ସଜା। ବିଶେଷଜ୍ଞଙ୍କ ମତରେ, ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁସାରେ ନିଷିଦ୍ଧ ବନ୍ୟପ୍ରାଣୀଙ୍କୁ ଧରିବା ହିଁ ଅପରାଧ। ଏପରିକି ମୃତ ବନ୍ୟପ୍ରାଣୀ ବି ସରକାରଙ୍କ ସଂପତ୍ତି । ତେଣୁ ତାହାର କୌଣସି ଅଂଶ ବି ରଖିବା ବେଆଇନ। ଫଟୋ ଓ ଭିଡିଓ ଉଠାଇବା ବେଳେ କ୍ୟାମେରା ଓ ମୋବାଇଲର ଫ୍ଲାସ ଲାଇଟ୍ ତଥା କ୍ଲିକ୍ ଶବ୍ଦ ବନ୍ୟପ୍ରାଣୀଙ୍କୁ ବିରକ୍ତ କରିଥାଏ । ଏହା ସେମାନଙ୍କ ପାଇଁ କ୍ଷତିକାରକ । ଲୋକେସନ ସହ ବନ୍ୟପ୍ରାଣୀଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ, ଏହା ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧିରେ ସହାୟକ ହୁଏ । ତା ଛଡ଼ା ଏଭଳି ଫଟୋ ଓ ଭିଡିଓ ପୋଷ୍ଟ ଅନ୍ୟମାନଙ୍କୁ ବି ସେଭଳି କରିବାକୁ ପ୍ରେରିତ କରିଥାଏ । ଯାହାକି ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ।

ବନବିଭାଗର ବନ୍ୟପ୍ରାଣୀ ମୁଖ୍ୟାଳୟ ସର୍କୁଲାର ଅନୁସାରେ, ଯଦି କୌଣସି ବ୍ୟକ୍ତି ଗବେଷଣା ତଥା ସଚେତନତା ଉଦ୍ଦେଶ୍ୟରେ ବନ୍ୟପ୍ରାଣୀଙ୍କ ଫଟୋ ନେବାକୁ ଚାହୁଁଛନ୍ତି, ତେବେ ବନବିଭାଗର ଅନୁମତି ନେବାକୁ ପଡ଼ିବ।

  • Reported by:
  • KAPILENDRA PRADHAN