/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728703678.jpg)
Khandadhar Waterfall
ଶୀତ ଆସିବା ଆଗରୁ ସୁନ୍ଦର ରୂପରେ ସଜେଇ ହେଲାଣି, ସୁନ୍ଦରଗଡ଼ର ସୁନ୍ଦର ପର୍ଯ୍ୟଟନସ୍ଥଳ ଖଣ୍ଡାଧାର। ପ୍ରାକୃତିକ ବଣ ପାହାଡ଼ ଘେରା ଏ ଅଞ୍ଚଳରେ ଜଳପ୍ରପାତର ଦୃଶ୍ୟ ଅତିବ ମନୋରମ। ତେବେ ଆଗରୁ ଏଠାରେ ବିଶେଷ କିଛି ସୁବିଧା ନଥିବାରୁ ପିକନିକ ରୁତୁରେ ପର୍ଯ୍ୟଟକଙ୍କ ସଂଖ୍ୟା କମ ଥିଲା। କିନ୍ତୁ ଏବେ ସବୁକିଛି ବ୍ୟବସ୍ଥିତ ହେବା ପରେ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ।
ଅପୂର୍ବ ଦୃଶ୍ୟ, ମନୋରମ ଅନୁଭୂତି। ଥରେ ଚାହିଁଲେ, ଆଉ ଆଖି ଫେରାଇ ନେବାକୁ ଇଛା ହେବନି ଯେମିତି। ପ୍ରକୃତିର ପ୍ରତିଟି ସୁନ୍ଦର ଉପାଦାନରେ ସଜେଇ ହୋଇଥିବା ଅପରୂପ ସୌନ୍ଦର୍ଯ୍ୟ ଭରା ଇଏ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଖଣ୍ଡାଧାର ଜଳପ୍ରପାତ। ସୁଦୀର୍ଘ ଓ ଉଚ୍ଚ ପର୍ବତ ଶୀଖରର ପ୍ରାୟ ୧୨ ଶହ ମିଟର ଉପରୁ ଝରି ଆସୁଥିବା ଏ ଅବିରତ ଜଳଧାରାକୁ ଦୂରରୁ ଦେଖିଲେ ଲାଗିବ, ଯେମିତି କେଉଁ ସ୍ୱପ୍ନ ରାଜ୍ୟରେ ହଜି ଯାଇଛି ମଣିଷ। ନୀଳ ସବୁଜିମା ଭରା ପ୍ରାକୃତିକ ପରିବେଶ, ମେଘ ମାଳା ଭିତରେ ଲୁଚକାଳି ଖେଳୁଥିବା ବିଶାଳ ପର୍ବତ ଏବଂ ପର୍ବତ ଶୀଖରରୁ ଝରି ଆସୁଥିବା ଝରଣାର ଶୁଭ୍ର ଜଳରାଶି ଯେ କୌଣସି ପ୍ରକୃତିପ୍ରେମୀକୁ ଆନମନା କରିବାର ଯଥେଷ୍ଟ କ୍ଷମତା ରଖେ।
କିଛି ବର୍ଷ ଆଗରୁ ଏ ଜଳପ୍ରପାତକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ଲାଗି ସେଭଳି କିଛି ବିଶେଷ ସୁବିଧା ନଥିଲା। କିନ୍ତୁ ଏବେ ପର୍ଯ୍ୟଟନ ଯୁଗରେ ବଦଳି ଯାଇଛି ଖଣ୍ଡାଧାରର ପରିବେଶ ଓ ପରିସ୍ଥିତି। ପାହାଡ଼ ଉପରକୁ ଚଢିବାକୁ ପ୍ରଶସ୍ତ ପାହାଚ, ଭୋଜିଭାତ ଲାଗି ପିଣ୍ଡିର ବ୍ୟବସ୍ଥା, ପିଲାଙ୍କ ପାଇଁ ପାର୍କ ଓ ଖେଳ ଉପକରଣର ସୁବିଧା, ଦୁଃସାହାସୀ ପର୍ଯ୍ୟଟଖଙ୍କ ଲାଗି ଆଡେଭନଚର ସ୍ପଟ୍ ଏମିତି କେତେକଣ ଆମୋଦ ପ୍ରମୋଦର ମାଧ୍ୟମ ସାମିଲ ହୋଇଛି ଖଣ୍ଡାଧାର ପିକ୍ ନିକ୍ ସ୍ପଟ୍ ସହ।
ସେହିଭଳି ଦୂରଦୂରାନ୍ତର ପର୍ଯ୍ୟଟଙ୍କ ଲାଗି ରାତିରେ ରହିବାକୁ ଓଡ଼ିଶା ସରକାରଙ୍କ ଇକୋ ଟୁରିଜିମ୍ କଟେଜ, ଖାଇବା ଲାଗି କାଫେ ଭଳି ସୁବିଧା ବି ଉପଲବଧ। ତେଣୁ ରାଜ୍ୟ ହେଉ କି ଦେଶ କିମ୍ବା ବିଦେଶ, ଏବେ ଖଣ୍ଡାଧାର ଆସିବାକୁ ଆଉ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ବୃଦ୍ଧି ପାଉଛି ଅହେତୁକ ଆଗ୍ରହ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)