Subhadra Yojana: ଘଣ୍ଟି ବଜାଇଲେ ମୋହନ, ୧ କୋଟି ମହିଳାଙ୍କୁ ମିଳିଲା ଦ୍ୱିତୀୟ କିସ୍ତି

ମହିଳା ଦିବସରେ ମହିଳାଙ୍କୁ ମୋହନଙ୍କ ବଡ଼ ଉପହାର । ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ସୁଭଦ୍ରା ଟଙ୍କା ।

ସୁଭଦ୍ରା ଦ୍ୱିତୀୟ କିସ୍ତି ବଣ୍ଟନ

ମହିଳା ଦିବସରେ ମହିଳାଙ୍କୁ ମୋହନ ସରକାରଙ୍କ ବଡ଼ ଭେଟି । ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି । ଗୋଟିଏ କ୍ଲିକ୍‌ରେ ମହିଳାଙ୍କ ଖାତାକୁ ଆସିଲା ୫ ହଜାର । ଆଜି ୧ କୋଟି ମହିଳାଙ୍କୁ ସୁଭଦ୍ରା ଦ୍ବିତୀୟ କିସ୍ତି ଟଙ୍କା ମିଳିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ୍ରହ୍ମପୁର ଆମ୍ୱପୁଆ ପଡିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଦ୍ବିତୀୟ କିସ୍ତି ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦର କିଛି ସଦସ୍ୟ, ସାଂସଦ ଓ ବିଧାୟକ ଉପସ୍ଥିତ ରହିଛନ୍ତି । 

ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବାବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି କିସ୍ତି ।

ଅଧିକ ପଢ଼ନ୍ତୁ:ହ୍ୱାଟସଆପରେ ମିଳିବ ୪୨୯ ସରକାରୀ ସେବା

୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାସହ ସୁଭଦ୍ରା ସୁରକ୍ଷା ଅଧୀନରେ ମଧ୍ୟ ୧୫୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୋହନ ସରକାର ।

ଆଜି ବ୍ରହ୍ମପୁରରେ ସୁଭଦ୍ରା’ ୨ୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍‌ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର କେବଳ ସ୍ଲୋଗାନରେ ଚାଲିଥିଲା । ୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା । ୯ ମାସର ଆମ ସରକାର କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଛି । ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ନିନ୍ଦୁକମାନେ ଆମ ସଫଳତାକୁ ହଜମ କରିପାରୁ ନାହାନ୍ତି । ବିରୋଧୀଙ୍କୁ ଟିକେ ହଜମ କରିବା ଗୁଲି ଦେବା ଦରକାର । ପୂର୍ବ ସରକାର ଗରିବଙ୍କ ଦୁଃଖ ବୁଝି ପାରି ନଥିଲେ । ଏଥିପାଇଁ ଆମ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା କରିଛନ୍ତି ବୋଲି କହିଛନ୍ତି ମୋହନ ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି