/odishatv-khabar/media/post_attachments/uploadimage/library/16_9/16_9_0/Subhadra_1728741012.jpg)
Subhadra
ସୁଭଦ୍ରା ପାଇଁ ଆବେଦନ କରି କୌଣସି ମହିଳା ଯଦି ଟଙ୍କା ନପାଇ ଦ୍ବନ୍ଦ୍ବରେ ଅଛନ୍ତି, ତେବେ ନିଶ୍ଚିନ୍ତ ରୁହନ୍ତୁ। କାରଣ ଆପଣଙ୍କ ପାଖକୁ ତ୍ରୁଟି ସୁଧାରିବାକୁ ସରକାରଙ୍କ ତରଫରୁ ଯିବ ଫୋନ୍ କଲ୍। ଦରକାର ପଡ଼ିଲେ ଅଙ୍ଗନବାଡ଼ି କର୍ମୀ ଘରକୁ ଯାଇ ସୁଭଦ୍ରା ଟଙ୍କା ପାଇବା ପାଇଁ ନିଶ୍ଚିତ କରାଇବେ। ଏପରିକି ବ୍ଲକସ୍ତରରେ ବି ଯାଞ୍ଚ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏହି ସୂଚନା ପରେ ଦୀର୍ଘଦିନ ଧରି ଆବେଦନକରି ଟଙ୍କା ପାଇନଥିବା ଆଶାୟୀ ଆଶ୍ବସ୍ତ ହୋଇଛନ୍ତି।
ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିଥିବା ପ୍ରତ୍ୟେକଟି ମହିଳାଙ୍କ ଦ୍ବନ୍ଦ୍ବ ଏବଂ ଆଶଙ୍କାକୁ ଦୂର କରିବ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ଏକଥା ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ହଜାର ହଜାର ମହିଳାଙ୍କ ମନରେ ଥିବା ଦ୍ୱନ୍ଦକୁ ଦୂର କରିବା ସହ ପ୍ରଭାତୀ କହିଛନ୍ତି, ଏଭଳି ଆବେଦନ ଗୁଡ଼ିକୁ ବ୍ଲକସ୍ତରରେ ପୁଣି ଥରେ ଯାଞ୍ଚ କରାଯିବ। ଅଙ୍ଗନବାଡ଼ି କର୍ମୀ ଆବେଦନକାରୀ ମହିଳାଙ୍କ ଘରକୁ ଯିବେ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ସୁନିଶ୍ଚିତ କରିବେ। ଏହି ଆଶ୍ବାସନା ପରେ ଆଶ୍ୱସ୍ତ ହୋଇଛନ୍ତି ଅନେକ ସୁଭଦ୍ରା ଆଶାୟୀ ମହିଳା।
ସୋରର ପାର୍ବତୀ ଜେନା ମାସେ ହେଲା ଆବେଦନ କଲେଣି। ଦୁଇ ଦୁଇଟି ପର୍ଯ୍ୟାୟ ଟଙ୍କା ବି ଅନ୍ୟ ଯୋଗ୍ୟ ହିତାଧିକାରୀ ପାଇଲେଣି। ତାଙ୍କ କହିବା କଥା, ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରି ଆବେଦନ କରିସାରିଥିବା ସତ୍ତ୍ବେ, ତାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନି। ତାଙ୍କ ସାଙ୍ଗରେ ଏବଂ ତାଙ୍କ ପରେ ଆବେଦନ କରିଥିବା ମହିଳା ଟଙ୍କା ପାଇସାରିଛନ୍ତି। କିନ୍ତୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିବାରୁ ମନରେ ରହିଛି ନାନା ଆଶଙ୍କା। ଏବେ ଫୋନ୍ କଲ୍ ମାଧ୍ୟମରେ ଦ୍ବନ୍ଦ୍ବ ଦୂର ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିବା ପରେ ଏହାକୁ ସ୍ୱାଗତ କରିବା ସହ ଯଥାଶୀଘ୍ର ସ୍ପଷ୍ଟ କରିବାକୁ ନିବେଦନ କରିଛନ୍ତି।
ସେହିପରି ଖଲ୍ଲିକୋଟର ସବିତା ନାହାକଙ୍କର ବି ସମାନ କଥା। ସେପ୍ଟେମ୍ବର ୯ରୁ ଆବେଦନ କରି ଏଯାଏଁ ଟଙ୍କାଟିଏ ପାଇନଥିବାରୁ ସେ ବି ଦ୍ବନ୍ଦ୍ବରେ।ଏଯାଏଁ ୧ କୋଟି ୬୦ ହଜାର ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଛନ୍ତି। ସରକାର ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ଯୋଜନା ଅନ୍ତର୍ଗତ କିସ୍ତି ବି ବାଣ୍ଟି ସାରିଛନ୍ତି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିବାବେଳେ ଏଥର ସଂଖ୍ୟା ଅଧିକା ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)