ମୁଠାଏ ଖାଇବାପାଇଁ ରୀତିମତ ଚାଲିଛି ସଙ୍ଘର୍ଷ l ଓଳିଏ ମିଳିଲେ ଓଳିଏ ଓପାସରେ କଟୁଛି ଜୀବନ l ଜଣେ ନୁହେଁ କି ଦୁଇ ଜଣ ନୁହେଁ ଗୋଟିଏ ପରିବାରର ଛଅ ନାବାଳକ ପିଲା ଓ ୨ ବୃଦ୍ଧ ଦମ୍ପତ୍ତିଙ୍କ ଏହା ହେଉଛି ନିତିଦିନିଆ କାହାଣୀ l ବୟସର ଅପରାହ୍ନରେ ନିଜ ଛଅ ନାତି ଓ ନାତୁଣୀଙ୍କ ମୁହଁରେ ଆହାର ମୁଠାଏ ଦେବାପାଇଁ ସଂଘର୍ଷ ଜାରି ରଖିଛନ୍ତି କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ଗାଁର ସୁନାରାମ ସୋରେନ ଓ ତାଙ୍କ ସ୍ତ୍ରୀ ଆରସୁ ସୋରେନ।
ଅସୁସ୍ଥତା କାରଣରୁ ବର୍ଷେ ତଳେ ସୁନାରାମ ଓ ଆରସୁଙ୍କ ପୁଅ ପରେଶ ସୋରେନଙ୍କ ମୃତ୍ୟୁ ହୋଇଥିଲା l ପରେଶଙ୍କ ମୃତ୍ୟୁ ପରେ ସ୍ତ୍ରୀ ଜାନକୀ ନିଜ ଜନ୍ମକଲା ଛୁଆଙ୍କ ମୁହଁକୁ ନଚାହିଁ ଘର ଛାଡି କେଉଁଆଡେ ଚାଲିଗଲେ l ଗୋଟିଏ ପଟେ ପୁଅକୁ ହରାଇବାର ଦୁଃଖ ଓ ଅନ୍ୟ ପଟେ ବୋହୂ ଛାଡି ଯିବା ପରେ ସୁନାରାମ ଓ ଆରସୁଙ୍କୁ ଘାରିଛି ଛଅ କୁନି କୁନି ନାତିନାତୁଣୀଙ୍କ ଭରଣପୋଷଣ ଓ ପାଠପଢା ଚିନ୍ତା l ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଯାହା ଅର୍ଥ ମିଳୁଛି ସେଥିରେ କାହାକୁ ଖାଇବା ପାଇଁ ମୁଠାଏ ଦେଇ ପାରୁନାହାନ୍ତି ଆଉ ପାଠ ପଢାଇବାତ ଦୂରର କଥାl
ଅଧିକ ପଢନ୍ତୁ: ସ୍ବାସ୍ଥ୍ୟ ବିଭାଗର ବେପରୁଆ ବ୍ୟବସ୍ଥା, ପରିତ୍ୟକ୍ତ ଅବସ୍ଥାରେ ପଡିଛି ୩୦୦ ଅକ୍ସିଜେନ ସିଲିଣ୍ଡର କନିଷ୍ଠ ଶିକ୍ଷକଙ୍କ ଦରମା
ସେପଟେ E-KYC ହୋଇନଥିବାରୁ ରାସନ କାର୍ଡରେ ଚାଉଳ ବି ବନ୍ଦ ହୋଇଯାଇଛି l ତେବେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଏହି ପରିବାରକୁ ସରକାରୀ ସହାୟତା ମିଳିବା ନେଇ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l ଗରିବ ପରିବାରଙ୍କ ଉନ୍ନତି ତଥା ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ସରକାରୀ ଯୋଜନା ରହିଛି l କିନ୍ତୁ ସେହି ଯୋଜନା ଗୁଡିକଠାରୁ ବହୁ ଦୂରରେ ସୁନାରାମ ଓ ତାଙ୍କ ପରିବାରl ତେବେ ସରକାର ଓ ପ୍ରଶାସନର ନଜର କେବେ ସେମାନଙ୍କ ଉପରେ ପଡୁଛି ଆଉ ତାହା ହିଁ ଦେଖିବାକୁ ବାକି ରହିଲା।