/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723449735.jpg)
Special Story
ଜୀବନ ଦେଇଛି ସିଏ, ଆଉ ବାଟ କେମିତି ଅବା ସରିବନି । ଯେବେ ଭକ୍ତଟିଏ ଭଗବାନଙ୍କୁ ଖୋଜେ ସେଠି ଅସହାୟତା ବି ହାରମାନେ । କାନ୍ଧରେ ପଡ଼ିଛି ପାଣିଗଡ଼ୁ । ଚାଲିବାକୁ ପାଦରେ ବଳ ନାହିଁ । ଦୁଇ ହାତରେ ଆଶାବାଡ଼ିକୁ ସାହାରା କରି ଚାଲିଚାଲି ଯିବାକୁ ବାକି ଅଛି ୩୫ କିଲୋମିଟର । ଏଇ ମଣିଷ ଜଣକ ଆମପରି ସାଧାରଣ ନୁହଁନ୍ତି କି ତାଙ୍କ ଭକ୍ତି ବି ସାଧାରଣ ନୁହେଁ। ମାନସିକ ସିନା ସିଏ କରିଛନ୍ତି, କିନ୍ତୁ ଭୋଳାବାବା ତାଙ୍କୁ ଗୋଟିଗୋଟି କରି ବାଟ କଢ଼ାଇ ନେଉଛନ୍ତି ।
ନାଁ ତାଙ୍କର ଗିରିଶ ମହାନ୍ତି । ବାଲେଶ୍ଵର ବୁଢ଼ାବଳଙ୍ଗ ନଦୀ ବାଲିଘାଟରୁ ପାଣି ନେଇ ବାହାରିଥିଲେ ପଞ୍ଚଲିଙ୍ଗେଶ୍ଵର ପୀଠ । ସେଠାରେ ପହଞ୍ଚିବା ପରେ ବାବାଙ୍କ ମଥାରେ ପାଣି ଢ଼ାଳିଛନ୍ତି । ନିଜର ମନକଥା ଭୋଳାନାଥଙ୍କୁ କହିଛନ୍ତି । ଗିରିଶ ପିଲାବେଳୁ ସମ୍ପୂର୍ଣ୍ଣ ଠିକ୍ ଥିଲେ । ତାଙ୍କୁ ଚାଲିବାରେ କୌଣସି ଅସୁବିଧା ହେଉନଥିଲା । ହେଲେ ହଠାତ୍ ତାଙ୍କର ଗୋଡ଼ର ଅବସ୍ଥା ଖରାପ ହୋଇଗଲା । ଯଦି ବାବା ଭଲ କରିଦିଅନ୍ତି ତେବେ ଆଗକୁ ପୁଣି ଭୋଳାନାଥଙ୍କ ମଥାରେ ପାଣିଢ଼ାଳିବାକୁ ସେ ମାନସିକ ରଖିଛନ୍ତି ।
ମହାଦେବଙ୍କ ପାଇଁ ଶ୍ରାବଣରେ ହେଉଛି ଏକ ଭକ୍ତିର ଧାରା । ପାଣିଭାର ନେଇ ମାହାଦେବଙ୍କ ପାଖକୁ ଛୁଟୁଛନ୍ତି କାଉଡିଆ । ଆଉ ଏ ଜଣେ ଭିନ୍ନକ୍ଷମ । ଆଶା ମହାଦେବ ତାଙ୍କ ଡାକ ଶୁଣିବେ ଆଉ ତାଙ୍କୁ ସୁସ୍ଥ କରିଦେବେ । ସେଇଥିପାଇଁ ତ ଆଜି ଏ ଭକ୍ତ ଦେଇଛି ତା’ର ଭକ୍ତିର ପରୀକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)