Advertisment

ମହଙ୍ଗା ହେଲା ଡାଲମା; ସେଞ୍ଚୁରୀ ପାର୍‌ ଟମାଟୋ..ବିନ୍‌, ବାଇଗଣ କଥା ନ କହିବା ଭଲ

ଆଉ ନା କିଣି ହେଉଛି ପରିବା, ନା ଭଲରେ ଚଳାଇ ହେଉ ତେଲ ଲୁଣର ସଂସାର। ଦରବୃଦ୍ଧିର ମାଡ଼ରେ ଥରହର ନିମ୍ନ ମଧ୍ୟବିତ୍ତ ପରିବାର। ନାଲି ଟହ ଟହ ଟମାଟୋ ଛୁଇଁଲେ ସତେ ଯେମିତି କରେଣ୍ଟ ମାରୁଛି।

author-image
Manoranjan Behera
undefined

Vegetable Price Hike

ପରିବାର ଦର ଏବେ ଆକାଶ ଛୁଆଁ। ପୋଟଳ କୁହନ୍ତୁ କି ପିଆଜ, ଟମାଟୋ ହେଉ କି ବାଇଗଣ, ଏମିତି କୌଣସି ପରିବା ନାହିଁ, ଯାହାର ଦାମ୍ କିଲୋ ପିଛା ୫୦ ତଳେ। ଯେଉଁ ପରିବାକୁ ହାତ ମାରିବେ, ଅମୂଲ ମୂଲ। ଦାମ୍ ଶୁଣି ଗ୍ରାହକ ଛାନିଆଁ ହୋଇପଡୁଥିବାବେଳେ କ୍ଷେତରେ ହାଡ଼ଭଙ୍ଗା ପରିଶ୍ରମ କରି ପରିବା ଫଳାଉଥିବା ଚାଷୀ ଭାଗ୍ୟରେ କିନ୍ତୁ ଜୁଟୁନି ଫୁଟି କଉଡ଼ିଟିଏ।

Advertisment

ଆଉ ନା କିଣି ହେଉଛି ପରିବା, ନା ଭଲରେ ଚଳାଇ ହେଉ ତେଲ ଲୁଣର ସଂସାର। ଦରବୃଦ୍ଧିର ମାଡ଼ରେ ଥରହର ନିମ୍ନ ମଧ୍ୟବିତ୍ତ ପରିବାର। ନାଲି ଟହ ଟହ ଟମାଟୋ ଛୁଇଁଲେ ସତେଯେମିତି କରେଣ୍ଟ ମାରୁଛି। କାରଣ ଏହାର ଦାମ୍ ଆଉ ୨୦ କି ୩୦ ନୁହଁ। କେଉଁଠି ଏବେ କିଲୋ ପିଛା ୮୦ ତ ଆଉ କେଉଁଠି କରିଛି ସେଞ୍ଚୁରୀ ପାର୍। ଖାଲି କ’ଣ ଟମାଟୋ, ତା ନୁହଁ। କଲରାଠୁ କାଙ୍କଡ଼, ବିନ୍ସଠୁ ବାଇଗଣ ଯାଏଁ। ଶହେରୁ ଶହେ କୋଡ଼ିଏ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ।

ରାଜ୍ୟର ବୃହତ ମଣ୍ଡି କୁହାଯାଉଥିବା କଟକର ଛତ୍ରବଜାର ଏବଂ ରାଜଧାନୀ ଭୁବନେଶ୍ୱରର ଏକ ନମ୍ବର ହାଟ..ଉଭୟ ସ୍ଥାନରେ ଆକାଶଛୁଆଁ ପରିବା ଦାମ୍। ଆଉ ଦରବୃଦ୍ଧିର ଏହି ଲମ୍ବଡିଆଁର ପ୍ରଭାବ ସାଧାରଣ ଖାଉଟୀଙ୍କୁ ବେଶ୍ ବାଧୁଛି।

Advertisment

କଟକ-ଭୁବନେଶ୍ୱର କି ଅନ୍ୟ କୌଣସି ସହର କଥା ଛାଡ଼ନ୍ତୁୁ। ଗାଁ ଗହଳିର ହାଟ ବଜାରରେ ବି ହଲାପଟା କରୁଛି ଏହି ମହଙ୍ଗା ପରିବା। ଆଶ୍ଚର୍ଯ୍ୟର କଥା ହେଉଛି, ଗାଁରୁ ସହର ଯାଏଁ ଉଚ୍ଚାଦରରେ ବ୍ୟବସାୟୀ ବିକ୍ରିବଟା କରୁଥିଲେ ବି ନାନା ପ୍ରତିକୂଳ ପରିସ୍ଥିତିରେ ମେହନତ କରି ପରିବା ଫଳାଉଥିବା ଚାଷୀ ଭାଗ୍ୟକୁ ଫୁଟି କଉଡ଼ିଟିଏ ଜୁଟୁନି। କୋରାପୁଟ ଡୋଲିଆମ୍ବର ଜଣେ ଚାଷୀ। କୋବିଠୁ ଆରମ୍ଭ କରି ବିନ୍ସ ଯାଏ, ସବୁ ପ୍ରକାର ଚାଷ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟ, ହାଟ ବଜାରରେ ତାଙ୍କ ପରିବା ଆକାଶଛୁଆଁ ଦାମରେ ବିକ୍ରି ହେଉଥିଲେ ବି ତାଙ୍କର କିଛି ଲାଭ ହିଁ ହେଉନି। ସେହିପରି ଜୟପୁର ବ୍ଲକ୍‌ର ଦୁବୁଲି। ଫଳିଛି ବାଇଗଣ, ଭେଣ୍ଡି, ଜହ୍ନି, କଲରା, କାଙ୍କଡ଼, ପୋଟଳ। କିନ୍ତୁ ଉଠା ଜଳସେଚନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହେବାରୁ ଏଥର ସାଂଘାତିକ ପ୍ରଭାବିତ ହୋଇଛନ୍ତି ପରିବା ଚାଷୀ।

କେଉଁଠି ଦାଉ ସାଧୁଛି ପ୍ରତିକୂଳ ପାଗ ତ ଆଉ କେଉଁଠି ପ୍ରଶାସନିକ ବ୍ୟବସ୍ଥା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି ପରିବା ଚାଷୀ। ଯାହାର ମଉକା ଦେଖି ଚଢ଼ା ଦାମରେ ପରିବା ବିକି ବ୍ୟବସାୟୀ ମାଲାମାଲ ହେଉଥିବାବେଳେ ଚିନ୍ତାରେ ପଡ଼ିଛନ୍ତି ଚାଷୀଙ୍କଠୁ ସାଧାରଣ ଖାଉଟୀ।

Vegetable Price Hike
Advertisment
Advertisment