ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ସନମୁଗ ରତ୍ନମ । ଦିନ ୧୧ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ୱାର୍ଲଡ ସ୍କିଲ ସେଣ୍ଟର ମଧ୍ୟ ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି। ସେହିପରି ଆସନ୍ତାକାଲି ସେ ରଘୁରାଜପୁର ହେରିଟେଜ ଭିଲେଜ ବୁଲି ଦେଖିବେ। ପରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ। ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତକୁ ନଜରରେ ରଖି ଆଜି ଓ ଆସନ୍ତାକାଲି ପାଇଁ କମିଶନରେଟ ପୋଲିସ ଟ୍ରାଫିକ୍ କଟକଣା ଜାରି କରିଛି। ଏୟାରପୋର୍ଟ ଛକ, ଏଜି, ରାଜଭବନ, ଓୟୁଏଟି ଓ ରାଜଭବନ ଛକ ପାଇଁ କଟକଣା ଜାରି ହୋଇଛି। ସେହିପରି ଡେଲ୍ଟା ଛକ, ଫାୟାର ଷ୍ଟେସନ, ବରମୁଣ୍ଡା ଫ୍ଲାଏ ଓଭର ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ଖଣ୍ଡଗିରି ଫ୍ଲାଏ ଓଭର, କସ୍ମୋପଲିସ ଛକ, ଡୁମଡୁମା ଅଣ୍ଡରପାସ୍ ପାଇଁ ମଧ୍ୟ ଏହି ସମୟରେ କଟକଣା ରହିବ। ସକାଳ ୧୦ଟା ୫୦ରୁ ୧୧ଟା ୪୦, ପୁଣି ୨ଟା ୪୦ରୁ ୩ଟା ୨୦ କଟକଣା ରହିବ। ସେହିପରି ସନ୍ଧ୍ୟା ୫ଟା ୨୦ରୁ ୬ଟା, ୭ଟା ୧୫ରୁ ୭ଟା ୩୫, ୮ଟା ୫୦ରୁ ୯ଟା ୨୦ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି ରହିବ । ପୁଲିସ ପକ୍ଷରୁ ଏହି ସୂଚନା ଦିଆ ଯାଇଥିବା ବେଳେ ସାଧାରଣ ଯାତାୟତ ବନ୍ଦ ରହିବ। ଅନ୍ୟ ପକ୍ଷରେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରଖାଯିବ ବୋଲି ଜଣାପଡିଛି।
Also Read
ଭୁବନେଶ୍ବରରେ ସିଙ୍ଗାପୁରର ସୁରକ୍ଷା ଟିମ। ରାଷ୍ଟ୍ରପତି ସନମୁଗ ରତ୍ନମଙ୍କ ଓଡ଼ିଶା ଗସ୍ତ ପାଇଁ ଏହି ଟିମ କମିଶନରେଟ ପୋଲିସ ସହିତ ସୁରକ୍ଷା ବ୍ୟବସ୍ଥା ନେଇ ଯାଞ୍ଚ କରିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ। କମିଶନରେଟ ପୋଲିସ ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷ କରି ରାଜଧାନୀ ଭୁବନେଶ୍ବର ଓ ପୁରୀ ଗସ୍ତ ଥିବା ବେଳେ ଏନେଇ କାରକେଡ ରିହରସାଲ ବି କରାଯାଇଛି।