/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721231517.jpg)
Lord Jagannath
କେଡ଼େ ସୁନ୍ଦର ଏ ବେଶ...କେଡ଼େ ସୁନ୍ଦର ରୂପକାନ୍ତି...ବଡ଼ ଦାଣ୍ଡରେ ଆଜି ସୁନାବେଶରେ ଝଟକୁଛନ୍ତି କୋଟି ବ୍ରହ୍ମାଣ୍ଡ ଈଶ୍ୱର। ମହଣ ମହଣ ସୁବର୍ଣ୍ଣର ଅଳଙ୍କାରରେ ଶୋଭାପାଉଛି ଶ୍ରୀ ଅଙ୍ଗ। ହେଲେ ସେହି ପୁରୁଣା ଅଳଙ୍କାର, ସେଇ ପାରମ୍ପରିକ ଆଭୁଷଣ। ଆଜି ନୁହେଁ ଦୀର୍ଘ ବର୍ଷ ହେବ ସୁନାବେଶ ସମୟରେ ନିର୍ଦ୍ଦିଷ୍ଟ ଗୋଟିଏ ସେଟର ପୁରୁଣା ସୁନା ଅଳଙ୍କାର ଧାରଣ କରି ଆସୁଛନ୍ତି ଅଳଙ୍କାର ପ୍ରିୟ ଠାକୁର।
କେବଳ ସୁନାବେଶ ନୁହେଁ, ଦୈନିକ ନୀତିକାନ୍ତିରେ ବି ଶ୍ରୀଜିଉ ମାନଙ୍କୁ ସେଇ ପୁରୁଣା ଅଳଙ୍କାର ପିନ୍ଧାଯାଉଛି। ଖାଲି ପୁରୁଣା ନୁହେଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୧ ସୁନାବେଶ ବେଳେ ଜଗନ୍ନାଥଙ୍କ ମସ୍ତକରେ ଲାଗିଥିବା ଭଙ୍ଗା କିରୀଟର କିଆଫଳିକୁ ଲୁଚାଇବାକୁ ଯାଇ ସେଇ ସ୍ଥାନରେ ମଲ୍ଲିଫୁଲ ଲଗାଯାଇଥିଲା। ଯାହା ବ୍ୟଥିତ କରିଥିଲା ଭକ୍ତ-ସେବାୟତ ଓ ପ୍ରତିଟି ଜଗନ୍ନାଥପ୍ରେମୀଙ୍କୁ।
ଯିଏ ବ୍ରହ୍ମାଣ୍ଡ ଠାକୁର, ମହଣ ମହଣ ସୁନା-ରୁପା, ମୋତି ମାଣିକ୍ୟରେ ସମୃଦ୍ଧ ଯାହାଙ୍କ ରତ୍ନଭଣ୍ଡାର ତାଙ୍କୁ ଏଭଳି ହତାଦରକୁ ନେଇ ଉଦବେଗ ସୃଷ୍ଟି ହୋଇଥିଲା ସେତେବେଳେ। ଦାବି ଉଠିଥିଲା ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ନୂଆ ସେଟ୍ ଅଳଙ୍କାର ଗଢ଼ାଯାଉ। ଆଉ ଏବେ ରତ୍ନଭଣ୍ଡାର ଖୋଲି ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଆଶା ବଢ଼ିଛି। ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଦାବି କରିଛନ୍ତି ଠାକୁରଙ୍କ ପାଇଁ ଅନ୍ତତଃ ୫-୬ ସେଟ୍ ନୂଆ ଗହଣା ତିଆରି ହେଉ। ଏମିତି କି ବିଭିନ୍ନ ନୀତିକାନ୍ତିରେ ସୋଲ, ଫୁଲ ବଦଳରେ ସୁନା ଗହଣା ବ୍ୟବହାର ପାଇଁ ବି ଦାବି ଉଠିଛି।
ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ବ୍ୟତୀତ ମିଳିଥିବା ସୂଚନା ଅନୁଯାୟୀ, ଭକ୍ତଙ୍କ ଦାନ ସୂତ୍ରରେ ମିଳିଥିବା ପ୍ରାୟ ୩୦ କେଜି ସୁନା ଏବେ ବ୍ୟାଙ୍କରେ ଅଛି। ସେହିପରି ଏମାର ମଠରୁ ଉଦ୍ଧାର କରାଯାଇଥିବା ୫୨୨ ଖଣ୍ଡ ରୁପା ଇଟା ଜିଲ୍ଲା ଆର୍ମୋରିରେ ବି ପଡିରହିଛି। ତା ସତ୍ତ୍ୱେ, ଠାକୁର ପୁରୁଣା ଗହଣା ପିନ୍ଧୁଛନ୍ତି। ହେଲେ ଏବେ ରତ୍ନଭଣ୍ଡାର ବି ଖୋଲିଥିବାରୁ ଆସନ୍ତା ସୁନାବେଶ ବେଳେ ଶ୍ରୀଜିଉଙ୍କ ଆଭୁଷଣରେ ଆସିବ କି ନୂତନତ୍ୱ? ଗଢ଼ା ହେବ ତ ନୂଆ ସେଟ୍ ଗହଣା ? ଆଇନ ମନ୍ତ୍ରୀ କହିଛନ୍ତି, ନୂଆ ଅଳଙ୍କାର ସେଟ୍ ସମ୍ପର୍କରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ।
ଏବେ ଦେଖିବାର କଥା, ପୁରୁଣା ବଦଳରେ କେବେ ଅଳଙ୍କାର ପ୍ରିୟ ଠାକୁରଙ୍କ ଶ୍ରୀଅଙ୍ଗରେ ଶୋଭାପାଉଛି ନୂଆ ଆଭୁଷଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)