Advertisment

‘ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି’

ମନ୍ତ୍ରୀ କହିଛନ୍ତି ସମୁଦ୍ର ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇ ପାରିବ।

author-image
Sujit kumar Swain
ଅଦ୍ୟତନ ହୋଇଛି
 Seawater

Seawater

ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି। ଏଥିପାଇଁ ଖୁବ୍‌ଶୀଘ୍ର ଏକ କମ୍ପାନି ଓଡ଼ିଶାକୁ ଆସିବ। ବିଧାନସଭାରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ।

Advertisment

ମନ୍ତ୍ରୀ କହିଛନ୍ତି ସମୁଦ୍ର ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇ ପାରିବ।

କେମିତି ସଂଗ୍ରହ କରିହେବ ପିଇବା ପାଣି ? 

ସମୁଦ୍ର ଜଳରୁ କଣ ସଂଗ୍ରହ କରିହେବ ପିଇବା ପାଣି ? ସମୁଦ୍ରର ଅତ୍ୟନ୍ତ ଲୁଣିଆ ପାଣିକୁ ପାନୀୟ ଯୋଗ୍ୟ କରିବା ସମ୍ଭବ କି ? ହଁ। ବୈଜ୍ଞାନିକ ପଦ୍ଧତିରେ ଏହା ସମ୍ଭବ ଏବଂ ଏହି ପ୍ରକ୍ରିୟାକୁ କୁହାଯାଏ ଡିସାଲାଇନେସନ୍। ଏହି ପ୍ରକ୍ରିୟାରେ ସମୁଦ୍ର ଜଳରୁ ଦ୍ରବିଭୂତ ଖଣିଜ ଲବଣକୁ ଅଲଗା କରାଯାଇ ଏହାକୁ ପିଇବା ଯୋଗ୍ୟ ଏବଂ କୃଷି କାର୍ଯ୍ୟରେ ବ୍ୟବହାର ଯୋଗ୍ୟ କରାଯାଇପାରେ । 

Advertisment

ସୂଚନା ଅନୁସାରେ, ଏବେ ବହୁ ଦେଶ ଏହି ପଦ୍ଧତିରେ ସମୁଦ୍ରରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ୧୭୭ଟି ଦେଶରେ ଏଥିପାଇଁ ୧୬ ହଜାର ଛୋଟବଡ଼ ଡିସାଲାଇନେସନ୍ ପ୍ଲାଣ୍ଟ କାର୍ଯ୍ୟ କରୁଛି । ଅଷ୍ଟ୍ରେଲିଆରେ ୧୯୯୭ରୁ ୨୦୦୯ ମସିହା ମଧ୍ୟରେ ଯେତେବେଳେ ଉତ୍କଟ ଜଳାଭାବ ଦେଖାଦେଇଥିଲା, ସେତେବେଳେ ପ୍ରଥମ ଦେଶ ଭାବେ ଏହି ପ୍ରକ୍ରିୟାରେ ସମୁଦ୍ର ଜଳରୁ ବ୍ୟବହାର ଯୋଗ୍ୟ ପାଣି ଉତ୍ପାଦନ କରିଥିଲା ଅଷ୍ଟ୍ରେଲିଆ । ତେବେ ବର୍ତ୍ତମାନ ସ୍ଥିତିରେ ସାଉଦି ଆରବ, ୟୁଏଇ, କୁଏତ୍, କାତାର ଆଦି ମରୁ ଦେଶ ଜନତାଙ୍କ ଶୋଷ ମେଣ୍ଟାଇବା ପାଇଁ ଏହି ପଦ୍ଧତି ଉପରେ ଅଧିକ ନିର୍ଭରଶୀଳ। ଭାରତର ତାମିଲନାଡ଼ୁରେ ବି ଏଭଳି ଦୁଇଟି ପ୍ଲାଣ୍ଟ କାର୍ଯ୍ୟ କରୁଛି । 

ଏବେ ନଜର ପକାନ୍ତୁ ସମୁଦ୍ର ଜଳର ପିଇବା ପାଣି ସଂଗ୍ରହ କରିବାର ଉପାୟ ଉପରେ। ସମୁଦ୍ର ଜଳକୁ ଗରମ କରି ସେଥିରୁ ନିର୍ଗତ ଜଳୀୟ ବାଷ୍ପକୁ ଘନୀଭୂତ କଲେ ତାହା ମଧୁର ଜଳ ଭାବେ ସଂଗୃହିତ ହୋଇପାରିବ। ଠିକ୍ ଯେପରି ପ୍ରାକୃତିକ ଜଳଚକ୍ରରେ ଘଟିଥାଏ । ତେବେ କୃତ୍ରିମ ଭାବେ ଏଭଳି କରିବା ପାଇଁ ଅତ୍ୟଧିକ ପରିମାଣର ବିଦ୍ୟୁତ ଶକ୍ତି ଆବଶ୍ୟକ ହୁଏ ଏବଂ ବ୍ୟୟବହୁଳ। ଫଳରେ ଯେତିକି ଜଳ ସଂଗ୍ରହ ହୁଏ, ସେହି ତୁଳନାରେ ଖର୍ଚ୍ଚ ବହୁତ ଅଧିକ। ତେଣୁ ଏବେ ରିଭର୍ସ ଅସ୍ମୋସିସ୍ ବା RO, ସୋଲାର୍ ଡିଷ୍ଟିଲେସନ୍, ନାନୋ ଫିଲଟ୍ରେସନ, ଇଲେକ୍ଟ୍ରୋଡାଏଲିସିସ୍ ଆଦି ଆଧୁନିକ ପଦ୍ଧତି ଉପଯୋଗ ହେଉଛି । 

ଅନ୍ୟପଟେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୂଷିତ ପାନୀୟ ଜଳ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। ବିଷାକ୍ତ ପାନୀୟ ଜଳ ଯୋଗୁ କ୍ୟାନ୍ସର ଓ ଚର୍ମ ରୋଗରେ ଲୋକେ ଶିକାର ହେଉଥିବା ନେଇ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ଡେଲାଙ୍ଗ, କଣାସର ୧୨୬, ବ୍ରହ୍ମଗିରିରେ ୧୪ଟି, କୃଷ୍ଣପ୍ରସାଦ, ସତ୍ୟବାଦୀ ବ୍ଲକର ଅନେକ ଗାଁରେ ଦୂଷିତ ପାନୀୟ ଜଳ ନେଇ ଅସହାୟତା ପ୍ରକାଶ କରିଛନ୍ତି। ଦୟା ନଦୀର ଶଯ୍ୟା ନଭେମ୍ବର ପରେ ଶୁଷ୍କ ହୋଇଯାଉଥିବା କହିଛନ୍ତି। ପ୍ରଦୂଷଣ ମୁକ୍ତ ଜଳ ଉପରେ ସରକାର ଧ୍ୟାନ ଦେବା ନେଇ ଗୃହରେ ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ଏହାର ଉତ୍ତରରେ ପାନୀୟ ଜଳ ମନ୍ତ୍ରୀ କହିଛନ୍ତି ଯେ, ଦୟା ନଦୀ ଉପରେ ୫ଟି ପାନୀୟ ଜଳ ପ୍ରକଳ୍ପ ରହିଛି। ମୁଣ୍ଡଳୀରୁ ଭାର୍ଗବୀ ଖାଲ ଏବଂ ଦୟା ଉପରେ ରହିଛି। ଗ୍ରୀଷ୍ମ କାଳରେ ପାଣି ଯାଉଛି, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ବିଭିନ୍ନ ଚେକ ଡ୍ୟାମ ମାଧ୍ୟମରେ ଜଳ ସଂରକ୍ଷଣ କରି ତାକୁ ବ୍ୟବହାର କରାଗଲେ ପାଣିର ଅଭାବ ରହିବ ନାହିଁ।

Clean Drinking Water Waters
Advertisment
Advertisment