Sarathi Baba: ପୁଣି ଅଡ଼ୁଆରେ ଆତ୍ମଘୋଷିତ ସାରଥି ବାବା; ଥାନାରେ ଏତଲାଦେଲେ ସମାଜସେବୀ

ସାରଥିଙ୍କ ଫଟୋରେ ତୁଳସୀ ଚଢ଼ାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ସମାନ୍ତରାଳ ପୂଜାର୍ଚ୍ଚନା କରିଛନ୍ତି ସାରଥିଙ୍କ ଅନୁଗାମୀ । ଅନୁଗାମୀ କହିଛନ୍ତି ସାରଥି ଓ ମହାପ୍ରଭୁ ଜଗନ୍ନାଥ ଏକ୍ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ ଅସନ୍ତୋଷ ଝାଡ଼ିଥିବାବେଳେ ମାମଲା ଥାନାରେ ପହଞ୍ଚିଛି । ତେବେ ଏହାପରେ ଏଭଳି ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ଅଡ଼ୁଆରେ ଭଣ୍ଡ ସାରଥି ।

ପୁଣି ସକ୍ରିୟ ସାରଥିଙ୍କ ସାମ୍ରାଜ୍ୟ । ପୁଣି ଉପାନ୍ତରୁ ଉପକୂଳକୁ ଚଳଚଞ୍ଚଳ କରିଛି ସାରଥି ନାଁରେ ସତ୍‌ସଙ୍ଗ ଏବଂ ଭଜନ, କୀର୍ତ୍ତନ ସହ ଅନୁଗାମୀଙ୍କ ମୁହଁରେ ବିବାଦୀୟ ସାରଥି ବାବାଙ୍କ ଗୁଣଗାନ । ଦୋଳପୂର୍ଣ୍ଣିମା ଅବସରରେ ଭୁବନେଶ୍ବରରେ ସତ୍‌ସଙ୍ଗ ଏବଂ ଜୟପୁରରେ ସାରଥିଙ୍କ ସ୍ବତନ୍ତ୍ର ମନ୍ଦିର ପ୍ରତିଷ୍ଠା ଅବସରରେ ଆଜି ଦେଖିବାକୁ ମିଳିଛି ଭିନ୍ନ ଚିତ୍ର ।

ସାରଥିଙ୍କ ଫଟୋରେ ତୁଳସୀ ଚଢ଼ାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ସମାନ୍ତରାଳ ପୂଜାର୍ଚ୍ଚନା କରିଛନ୍ତି ସାରଥିଙ୍କ ଅନୁଗାମୀ । ଅନୁଗାମୀ କହିଛନ୍ତି ସାରଥି ଓ ମହାପ୍ରଭୁ ଜଗନ୍ନାଥ ଏକ୍ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ ଅସନ୍ତୋଷ ଝାଡ଼ିଥିବାବେଳେ ମାମଲା ଥାନାରେ ପହଞ୍ଚିଛି । ତେବେ ଏହାପରେ ଏଭଳି ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ପୁଣି ବିସ୍ତାରିବ କି ସାରଥିଙ୍କ ସାମ୍ରାଜ୍ୟ ? ପୁଣି ଆସରକୁ ଆସି ଆଶୀର୍ବାଦ ଲୋଡ଼ିବେ କି ବଡ଼ବଡ଼ିଆ ? ପୁଣିଥରେ ନିଜ ପାଦରୁ ମହୁ ଝରାଇବେ କି ଏହି ଆତ୍ମଘୋଷିତ ଭଗବାନ ? ପୁଣି କ୍ଷୀର ଦେବ କି ତାଙ୍କ ଧଳାରଙ୍ଗର ସିମେଣ୍ଟ ଗାଇ ? ଭୁବନେଶ୍ବରର କାର୍ଗିଲ୍ ବସ୍ତି ଏବଂ କୋରାପୁଟ ଜିଲ୍ଲାର ଜୟପୁର ଫାମ୍ପୁଣିରେ ଦୋଳପୂର୍ଣ୍ଣିମା ଅବସରରେ ଆଜି ଯେଉଁ ଦୁଇଟି ଦୃଶ୍ୟ ସାମ୍ନାକୁ ଆସିଛି, ତାହା ପୁଣିଥରେ ବିବାଦୀୟ ସାରଥି ବାବାଙ୍କ ସେହି ପୁରୁଣା କେଳେଙ୍କାରୀକୁ ମନେ ପକାଇ ଦେଇଛି ।

ଭୁବନେଶ୍ୱରରେ ସାରଥି ଫଟୋ ତଳେ ଚଢ଼ା ଯାଇଛି ଧୂପ, ଦୀପ ଓ ନୈବେଦ୍ୟ । ଏପରିକି ତୁଳସୀ ବି ଚଢ଼ାଯାଇଥିବା ଦେଖିବାକୁ ମିଳିଛି । ତାହାରି ଭିତରେ ଉଚ୍ଛୁଳି ପଡୁଛି ସାରଥି ଅନୁଗାମୀଙ୍କ ଭକ୍ତି । ସମସ୍ତେ ସାରଥୀ ଗାଇଥିବା ନାନା ଭଜନର ତାଳେ ତାଳେ ବିଭୋର ହୋଇଛନ୍ତି । ସମସ୍ତେ ସାରଥିଙ୍କ ଗୁଣଗାନରେ ହଜିଯାଇଛନ୍ତି ।

ଅଧିକ ପଢ଼ନ୍ତୁ : ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା 

ଜୟପୁର ଫାମ୍ପୁଣିରେ ଠିକ୍ ସମାନ ଚିତ୍ର ଦେଖିବାକୁ ମିଳିଛି । ଏଠି ବି ଭଜନ କୀର୍ତ୍ତନରେ ବିଭୋର ଅନୁଗାମୀ । ବିଶାଳ ଫଟୋ ରଖି ସମବେତ କଣ୍ଠରେ ଗାନ ସାରଥିଙ୍କ ସଂଗୀତ ଗାନ କରିଥିଲେ। ହେଲେ ଏମାନେ ଭୁଲିଯାଇଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାକୁ । ଅନୁଗତମାନେ ଅତି ଗୌଣ କରି ସାରଥିଙ୍କ ବଡ଼ ଫଟୋ ତଳେ ମହାପ୍ରଭୁଙ୍କ ଛୋଟ ମୂର୍ତ୍ତି ରଖିଛନ୍ତି। ତା’ସହ ସାରଥିଙ୍କ ସ୍ବତନ୍ତ୍ର ମନ୍ଦିର ପ୍ରତିଷ୍ଠା ଅବସରରେ ବ୍ରହ୍ମାଣ୍ଡ ଠାକୁରଙ୍କ ସହ ସାରଥୀଙ୍କୁ ତୁଳନା ବି କରିଛନ୍ତି । ଅନୁଗତ କହିଛନ୍ତି ସାରଥୀ ଓ ମହାପ୍ରଭୁ ଜଗନ୍ନାଥ ଏକ ଓ ଅଭିନ୍ନ । ତେବେ କାହା ଅନୁମତିରେ ଏବଂ କାହା ଇସାରାରେ ବିବାଦୀୟ ତଥା ଆତ୍ମଘୋଷିତ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କ ନାଁରେ ଏଭଳି ସତ୍‌ସଙ୍ଗ କରିଛନ୍ତି, ସେନେଇ ମୁହଁ ଖୋଲୁନାହାଁନ୍ତି ଅନୁଗତ । ବରଂ ସାରଥୀଙ୍କୁ ଭଗବାନ ଦର୍ଶାଇ ଭୁଲିଯାଇଛନ୍ତି ହିତାହିତ ଜ୍ଞାନ ।

ଯାହାକୁ ନେଇ ବର୍ଷିଛନ୍ତି ଜଗନ୍ନାଥ ପ୍ରେମୀ । ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ବାରିମୂଳ ଆଶ୍ରମ ବନ୍ଦ ହେବା, ସାରଥି ଜେଲ୍ ଯିବା ଏବଂ ଆତ୍ମଘୋଷିତ ବାବା ସାରଥୀଙ୍କ ଭଣ୍ଡାଫୋଡ୍ ପରେ ବି ଚେତିନାହାନ୍ତି ଅନୁଗତ ଓ ସମର୍ଥକ । ଦୀର୍ଘଦିନ ଧରି ଜେଲରେ ରହିବା ପରେ ଏବେ ସର୍ତ୍ତମୂଳକ ଜାମିନରେ ସାରଥି ଅଛନ୍ତି ସତ । ତା’ର ଅର୍ଥ ନୁହେଁ, ବିବାଦୀୟ ସାରଥୀଙ୍କ ସାମ୍ରାଜ୍ୟ ବିସ୍ତାର ପାଇଁ ପୁଣି ବାଟ ତିଆରି କରି ମହାପ୍ରଭୁଙ୍କ ସହ ତୁଳନା କରାଯିବ ।

ସାରଥିଙ୍କ ଫଟୋ ତଳେ କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କ ପ୍ରତିମା ବସାଯିବା ଏବଂ ତୁଳସୀ ଚଢ଼ା ଯିବାକୁ ନେଇ ଏବେ ତେଜିଛି ବିବାଦ । ଏନେଇ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ସମାଜସେବୀ । ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ବିଶେଷଜ୍ଞ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅସୁସ୍ଥ ଭାଇଙ୍କୁ ଦେଖା କରିବା ପାଇଁ ଜାମିନରେ ଥିବା ସାରଥିଙ୍କୁ ବାରିମୂଳ ଯିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ସର୍ତ୍ତ ଅନୁଯାୟୀ ସେ ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି କି ଆଶ୍ରମ ଯାଇପାରିବେନି । ଏପରିକି ୨ ଶହରୁ ଅଧିକ ଲୋକଙ୍କୁ ସମାଗମ ନକରିବାକୁ ବି କହିଛନ୍ତି ହାଇକୋର୍ଟ । ଏତେସବୁ ପରେ ବି ଚେତା ପଶୁନଥିବା ଅନୁଗତ, ସାରଥୀଙ୍କୁ ପୁଣି ନୂଆ ବିବାଦକୁ ଟାଣି ଆଣିଛନ୍ତି । ତେବେ ଏନେଇ ସାରଥିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ : ପୁଣି ଘାରିଲାଣି ଭଣ୍ଡ ସାରଥୀଙ୍କ ମୋହ; ଚାଲିଛି ପୂଜାର୍ଚ୍ଚନା, ସତସଙ୍ଗ