ତୁଟୁନି ଭଣ୍ଡ ସାରଥୀ ମୋହ । ଏବେ ବି ମାନ୍ୟବରଙ୍କ ମାୟାରେ ବାୟା ଭକ୍ତ । ଚାଲିଛି ପୂଜାର୍ଚ୍ଚନା, ସତସଙ୍ଗ... ସାରଥୀ ପ୍ରେମରେ ବିଭୋର ହୋଇଯାଉଛନ୍ତି ଭକ୍ତ । ନାଚି ନାଚି କରୁଛନ୍ତି ଭଜନ କୀର୍ତ୍ତନ । ଆଜି ଦୋଳପୂର୍ଣ୍ଣିମାରେ ରାଜଧାନୀ ଭୁବନେଶ୍ୱର ଓ ଜୟପୁରରେ ଏଭଳି କିଛି ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଅନୁଗତ ଦୋଳପୂର୍ଣ୍ଣିମା ଅବସରରେ ଭଣ୍ଡ ବାବା ସାରଥୀଙ୍କ ଲାଗି ସତସଙ୍ଗ ଆୟୋଜନ କରିଛନ୍ତି । ତା' ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋ ରଖି ପୂଜା କରିଥିବା ଦେଖାଯାଇଛି ।
ଅଧିକ ପଢ଼ନ୍ତୁ : ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା
ରାଜଧାନୀର କାର୍ଗିଲ ବସ୍ତିରେ ଏହି ଘଟଣା ଦେଖିବାକୁ ମିଳିଛି । ଏଠାରେ ଦୋଳପୂର୍ଣ୍ଣିମାରେ ସାରଥୀଙ୍କ ପାଇଁ ଉତ୍ସବ ଆୟୋଜନ ହୋଇଛି । ଭକ୍ତଙ୍କ ଘରେ ସତସଙ୍ଗ ଆୟୋଜନ କରାଯାଇ ଥିବାବେଳେ ସାରଥୀ ଗାଇଥିବା ଭଜନର ତାଳେ ତାଳେ ଦୋଳ ଉତ୍ସବ ପାଳନ କରୁଛନ୍ତି ଭକ୍ତ । ଭଣ୍ଡ ସାରଥୀଙ୍କୁ ଭଗବାନ ଦର୍ଶାଇ ବିଭୋର ହୋଇ ଭଜନ କୀର୍ତ୍ତନ ଚଳାଇଛନ୍ତି ।
ସେହିପରି କୋରାପୁଟର ଜୟପୁର ନିକଟସ୍ଥ ଫାମ୍ପୁଣିରେ ବି କିଛି ସାରଥୀ ଅନୁଗାମୀ ଭଜନ, କୀର୍ତ୍ତନ କରିଛନ୍ତି । ଏଠି ସେମାନେ ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଛନ୍ତି । ଏମିତିକି ଜଗନ୍ନାଥ ଓ ସାରଥୀ ଏକା ବୋଲି କହିଛନ୍ତି ସାରଥୀ ଭକ୍ତ ।
କେହି ଅନୁଗତ ଭଣ୍ଡ ସାରଥୀଙ୍କ ସତସଙ୍ଗ କରିପାରିବେନି ବୋଲି କୋର୍ଟଙ୍କ କଟକଣା ରହିଛି । ତଥାପି ଲୋକଙ୍କ ମନରୁ ସାରଥିଙ୍କ ମୋହ ଛାଡୁନି । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରି ନାଚି ନାଚି କୀର୍ତ୍ତନ କରୁଛନ୍ତି ସାରଥୀ ଭକ୍ତ । ପୂର୍ବରୁ ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାରଥୀଙ୍କ ଅନୁଗତ ତାଙ୍କର ପୂଜାର୍ଚ୍ଚନା କରୁଥିବାର ଦେଖଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ବାରିମୂଳାରେ କିଛି ଅନୁଗତ ଏକାଠି ହୋଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ହୋମ ଯଜ୍ଞ ମଧ୍ୟ କରିଥିଲେ ।
ସେହିପରି ପାରାଦୀପ ପିପ୍ପଳ ଗାଁରେ ନନ୍ଦୋତ୍ସବ ପାଳନ ଅବସରରେ ସିଂହାସନରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥୀଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ଏହି ଅବସରରେ ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଇଥିଲା ।