/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753112011.jpg)
BRIDGE WORK
ଅଧାରେ ଅଟକିଛି ପୋଲ କାମ। ୨ ବର୍ଷ ହେଲା କାମ ଚାଲିଛି ଯେ ଏଯାଏଁ ସରିପାରୁନି। ଅବଧି ସରିବା ପରେ ବି ପୋଲର ଏ ଅବସ୍ଥା। ପିଲାର ଉଠିଛି, ଛାତ କେବେ ପଡ଼ିବ ଜଣାନାହିଁ। ଏ ହେଉଛି ସମ୍ବଲପୁର ସହର ଉପକଣ୍ଠ ଗୁଣ୍ଡେରପୁରର ଦୃଶ୍ୟ। ନୂତନ ପୋଲ କାମ ସରିନଥିବାରୁ ମାଳତି ଜୋର ଉପରେ ନିର୍ମିତ ବହୁ ପୁରୁଣା ପୋଲ ଉପରେ ଅତି ବିପଦଶଙ୍କୁଳ ଅବସ୍ଥାରେ ଯା ଆସ କରୁଛନ୍ତି ଲୋକେ। ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ବେଳେ ଏ ପୋଲ ଉପରେ ପାଣି ଚାଲିଥାଏ। ଫଳରେ ପଡୋଶୀ ସୋନପୁର ଜିଲ୍ଲାକୁ ଯାତାୟାତ ବାଧାପ୍ରାପ୍ତ ହୋଇଥାଏ। ଏଥିଲାଗି ଏଠାରେ ନୂତନ ପୋଲର ପରିକଳ୍ପନା କରାଯାଇଥିଲା। ମାତ୍ର ଆଜିଯାଏଁ ଏହା ସରିପାରିନି। ଏ ନେଇ ପୂର୍ତ୍ତ ବିଭାଗ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି, ପୋଲକୁ ସଂଯୋଗ କରୁଥିବା ଏକ ପ୍ଲଟ୍ କିଣା ଚାଲିଛି। ସେଥିଲାଗି କାମ ବିଳମ୍ବ ହେଉଛି।
ଏପଟେ ସୁନ୍ଦରଗଡ଼ ନୂଆଗାଁ ହାତୀବରି ପଞ୍ଚାୟତର ଖଟମା ନାଳ ଉପରେ ନିର୍ମାଣାଧିନ ପୋଲର ବି ସମାନ ଅବସ୍ଥା। ୫ ବର୍ଷ ବିତିଲାଣି, ଏଯାଏଁ କାମ ସଂପୂର୍ଣ୍ଣ ହୋଇପାରୁନି। ୬ କୋଟି ୬୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ବ୍ରିଜ୍ ଏବେ ବି ଅଧପନ୍ତରିଆ ହୋଇ ପଡି ରହିଛି। ଫଳରେ ଏ ରାସ୍ତା ଦେଇ ଯିବା ବେଳେ ନିଇତି ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି ଯାତ୍ରୀ। ବ୍ରିଜ୍ ନିର୍ମାଣରେ ମନ୍ତରତାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ଝାଡ଼ିବା ସହ ବିଭଗୀୟ ଅବହେଳାକୁ ଦାୟୀ କରିଛନ୍ତି।
ଅନ୍ୟପଟେ ଏ ନେଇ ରାଉରକେଲା ପୂର୍ତ୍ତ ବିଭାଗ ସୁପରିନଟେଣ୍ଡେଣ୍ଟ କହିଛନ୍ତି ସିଆରଏଫ୍ ଫଣ୍ଡ ସମସ୍ୟା ରହିଥିଲା I ଏବେ ଫଣ୍ଡ୍ ଆସିଯାଇଥିବାରୁ ପ୍ରାୟ ମାସେ ଭିତରେ କାମ ସରିଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)