Advertisment

Cyclone Dana: ଖାଁ ଖାଁ ପୁରୀ ସହର, ନର୍ଜନ ସମୁଦ୍ର କୂଳ !

ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ନେଇ ମନ୍ତ୍ରୀଙ୍କ ସମୀକ୍ଷା । ୨୪ ଓ ୨୫ରେ ଶ୍ରୀମନ୍ଦିର ନଆସିବାକୁ ଭକ୍ତଙ୍କୁ ପରାମର୍ଶ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Cyclone Dana

ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ରରେ ଯେଉଁଠି ଦିନେ ଲହଡ଼ି ଭାଙ୍ଗୁଥିଲା ଜନ ସମୁଦ୍ର, ସେଇଠି କମି ଆସିଲାଣି ବାହାରୁ ଆସୁଥିବା ଜନତାଙ୍କ ସୁଅ । ବଡ଼ଦାଣ୍ଡରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଯେଉଁ ବ୍ୟାରିକେଡ୍ ଲାଗିଥିଲା, ତାକୁ ଏବେ ଖୋଲାଯାଉଛି। କାଳେ ଝଡ଼ ପବନରେ ଉଡ଼ି କାହାର କ୍ଷତି ଘଟାଇବା ସେଥିପାଇଁ ଚାଲିଛି ଆଗୁଆ ପ୍ରସ୍ତୁତି।

Advertisment

ତେଣେ କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ର ଧାଇଁ ଆସୁଥିବା ହବିଷ୍ୟାଳି ଓ ସାଧାରଣ ଭକ୍ତଙ୍କ ସୁରକ୍ଷା ଚିନ୍ତା କିନ୍ତୁ ଘାରିଛି ପ୍ରଶାସନକୁ। ପୁରୀ ଜିଲ୍ଲାପାଳଙ୍କ ସୂଚନା, ୨୪ ଓ ୨୫ରେ ୨ ଦିନ ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ହବିଷ୍ୟାଳି ଓ ଭକ୍ତଙ୍କୁ ଶ୍ରୀମନ୍ଦିର ନଆସିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦେଖି ହବିଷ୍ୟାଳିଙ୍କ ରହଣୀ କେନ୍ଦ୍ରରେ କରାଯାଇଛି ବ୍ୟାପକ ବ୍ୟବସ୍ଥା।

ସେହିପରି ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇଛି ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ଏପଟେ ବାତ୍ୟା ଯୋଗୁଁ ସ୍ମାର୍ଟସିଟି ଭୁବନେଶ୍ୱର ଏବଂ ବାଉନ ବଜାର ତେପନ ଗଳିର ସହର କଟକରେ ବି ବଢ଼ିଛି ଚିନ୍ତା। ଜଳବନ୍ଦୀ ସମସ୍ୟାକୁ ଏଡ଼ାଇବା ପାଇଁ କଟକ ଜିଲ୍ଲାପାଳ ଏବଂ ମେୟର ପ୍ରମୁଖ ବକ୍ସଡ୍ରେନ ଏବଂ ମାତୃ ଭବନ ଗେଟର ତଦାରଖ କରିଛନ୍ତି। ସେହିପରି ତଳି ଅଞ୍ଚଳ ବାସିନ୍ଦାଙ୍କ ସ୍ଥାନାନ୍ତର ଓ ଥଇଥାନ ପାଇଁ ମୋଟ ୨ ଶହରୁ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ। ଜଳ ନିଷ୍କାସନ ପାଇଁ ଲଗାଯାଇଛି ୨୧୧ଟି ହେଭି ପମ୍ପସେଟ୍। ତେବେ କାଠଯୋଡ଼ି ନଦୀକୂଳରେ ସରକାରୀ ପ୍ରସ୍ତୁତି ନଥିବାରୁ ଭୟଭୀତ ସ୍ଥାନୀୟ ବସ୍ତି ବାସିନ୍ଦା।

ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଥିବା ସ୍ମାର୍ଟସିଟି ଭୁବନେଶ୍ବରରେ ବି ବାତ୍ୟା ମୁକାବିଲା ପାଇଁ ବଡ଼ ପ୍ରସ୍ତୁତି। ତଳି ଅଞ୍ଚଳ ଏବଂ ବସ୍ତି ବାସିନ୍ଦାଙ୍କ ପାଇଁ ସହରରେ ୮୦ରୁ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯିବା ସହ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମେୟର। ବିଜୁଳି, ପିଇବା ପାଣିର ନିରବଚ୍ଛିନ୍ନ ସେବା ପାଇଁ ପଦକ୍ଷେପ ନିଆଯାଇଥିବା ମେୟର କହିଛନ୍ତି।

ସେହିପରି ବିଏମସି ପକ୍ଷରୁ ଜାରି ହୋଇଛି ହେଲପଲାଇନ ନମ୍ବର 1929। ସମ୍ଭାବ୍ୟ ବାତ୍ୟାକୁ ଦେଖି ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ହାଇମାଷ୍ଟ ଲାଇଟ୍ ଗୁଡ଼ିକୁ ତଳକୁ ଖସାଇ ଦିଆଯାଇଛି। ସେପଟେ ଟ୍ବିନସିଟି ପାଇଁ କମିଶନରେଟ ପୋଲିସ ପକ୍ଷରୁ ୧୦ଟି ଜରୁରୀକାଳୀନ ସେଣ୍ଟର୍ ଖୋଲାଯାଇଥିବା କହିଛନ୍ତି ସିପି।

ବାତ୍ୟା ରାଡାରରେ ଥିବା ଭଦ୍ରକ, ବାଲେଶ୍ବର, ଜଗତସିଂହପୁରରେ ବି ହୋଇଛି ବଡ଼ ତୟାରୀ । ବାଲେଶ୍ୱରରେ କୌଣସି ସ୍ଥାନରେ ଗଛଲତା ପଡ଼ି ରାସ୍ତା ଅବରୋଧ ହେଲେ, ତାକୁ କାଟି ସଫା କରିବା ପାଇଁ ପ୍ରସ୍ତୁତ ରଖାଯାଇଛି ଯନ୍ତ୍ରପାତି। ସେପଟେ ଭଦ୍ରକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝୀ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏସବୁ ଭିତରେ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦେବା ସହ ବିଭାଗୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

Weather Update Cyclone Update Cyclone Dana
Advertisment
Advertisment